ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) ବାଲେଶ୍ୱର :- ଛିଣ୍ଡିଲା ବାଲେଶ୍ୱର ବିଜେଡିର ବିବାଦ । ସ୍ୱରୁପଙ୍କୁ ସମର୍ଥନ ଦେବେ ରବୀନ୍ଦ୍ର । ଟିକେଟ ଘୋଷଣା ପରଠାରୁ ବାଲେଶ୍ୱର ବିଜେଡିରେ ସୃଷ୍ଟି ହୋଇଥିବା ବିବାଦରେ ସୁଧାର ଆସିଛି । ବିଜେଡି ନେତାଙ୍କ ଘନଘନ କବାଟକିଳି ବୈଠକ ଓ ହସ୍ତକ୍ଷେପ ପରେ ସ୍ଥିତିରେ ସୁଧାର ଆସିଛି । ସ୍ୱରୁପଙ୍କୁ ସମର୍ଥନ ଦେବାକୁ ସହମତି ଦେଇଛନ୍ତି ରବୀନ୍ଦ୍ର । ବିଜେଡି ଏକ ଶୃଙ୍ଖଳିତ ଦଳ । ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ଆମେ ପାଳନ କରିବୁ ବୋଲି କହିଛନ୍ତି ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା ।ବାଲେଶ୍ୱର ସଦର ଉପ ନିର୍ବାଚନ ପାଇଁ ପୂର୍ବତନ କାଉନସିଲର ତଥା ନଗର ବିଜେଡି ସଭାପତି ସ୍ୱରୁପ ଦାସଙ୍କ ନାଁ ଘୋଷଣା ହେବା ପରେ ଦେଖା ଦେଇଥିଲା ଅନ୍ତଃ କନ୍ଦଳ ।
ପୂର୍ବତନ ସାଂସଦ ତଥା ବାଲେଶ୍ୱର ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା କିମ୍ବା ତାଙ୍କ ସ୍ତ୍ରୀ ସୁବାସିନୀ ଜେନଙ୍କୁ ପ୍ରାର୍ଥୀ କରିବା ପାଇଁ ଅଡି ବସିଥିଲେ ରବୀନ୍ଦ୍ରଙ୍କ ସମର୍ଥକ । ରବୀନ୍ଦ୍ରଙ୍କ ସହ କଥା ହେବାଲାଗି ତାଙ୍କ ବାଲେଶ୍ୱର କର୍ଯ୍ୟାଳୟରେ ପହଁଚି ଥିଲେ ବିଜେଡି ବିଧାୟକ ପ୍ରତାପ ଦେବ । ଖବର ପାଇ ରବୀନ୍ଦ୍ରଙ୍କ ସମର୍ଥକ ସେଠାରେ ପହଁଚି ହୋ ହାଲ୍ଲା କରିବା ସହ ଟିକେଟ ଚୟନ ଠିକ ହୋଇନଥିବା ଅଭିଯୋଗ କରିଥିଲେ । ଦୀର୍ଘ ଦୁଇଘଣ୍ଟା ପରେ ବୈଠକରୁ ବାହରି ସ୍ୱରୁପଙ୍କୁ ଜିତାଇବା ପାଇଁ ଆହ୍ୱାନ ଦେବା ସହ ନିଜ କର୍ମୀ ଓ ସମର୍ଥକଙ୍କ ଭଲ ପାଇବା ଓ ଭାବାବେଗକୁ ବୁଝି ପାରୁଥିବା କହିଥିଲେ ରବୀନ୍ଦ୍ର ।
ଏନେଇ ପ୍ରତାପ ଦେବଙ୍କୁ ଜଣାଇଥିବା ମଧ୍ୟ କହିଛନ୍ତି ରବୀନ୍ଦ୍ର । ସ୍ୱରୁପଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରଠାରୁ ରବୀନ୍ଦ୍ରଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିବା ସହ ସ୍ୱାଧୀନ ଭାବେ ରବୀନ୍ଦ୍ର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଖୋଲାଖୋଲି ଧମକ ମଧ୍ୟ ଦେଇଥିଲେ । (ଦୀପ୍ତିମାନ ପତି /ବାଲେଶ୍ୱର )