ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) କଟକ :- ଅଲଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ(ଏ.ଆଇ.କେ.କେ.ଏମ୍.ଏସ୍) ପକ୍ଷରୁ ୧୯୫୫ ମସିହାର ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ ରଦ୍ଦ କରିବା, ପ୍ରାଇଭେଟ ମଣ୍ଡି ଆଇନ ରଦ୍ଦ କରିବା, କଣ୍ଟ୍ରାକ୍ଟ ଫାରମିଙ୍ଗ ବା ଚୁକ୍ତିଚାଷ ଆଇନ ରଦ୍ଦ କରିବା ଦାବିରେ ଆହୂତ ସର୍ବଭାରତୀୟ ପ୍ରତିରୋଧ ଦିବସ ଉପଲକ୍ଷେ କଟକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସାରା ଦେଶ ଆଜି ଯେତେବେଳେ କରୋନା ମହାମାରୀରେ କବଳିତ, ସାଧାରଣ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ; ସେତେବେଳେ କେନ୍ଦ୍ର ସରକାର ଗୋଟାଏ ପରେ ଗୋଟାଏ ଜନମାରଣ ଆଇନ ପ୍ରଣୟନ କରିଚାଲିଛନ୍ତି । କାଳ ବିଳମ୍ବ ନକରି ରାଜ୍ୟ ସରକାର ମଧ୍ୟ ସେହି ସବୁ ଅନ୍ୟାୟ କଳା ଆଇନ ଗୁଡିକୁ ରାଜ୍ୟରେ ଲାଗୁ କରିଚାଲିଛନ୍ତି । ଗତ ପାର୍ଲାମେଣ୍ଟ ଅଧିବେଶନରେ ସରକାର ୩ ଟି ଚାଷୀମାରଣ ଆଇନ ପ୍ରଣୟନ କରିଛନ୍ତି ।
ଏହି ଆଇନ୍ ଦ୍ୱାରା ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ରର କଳାବଜାରୀ ହେବା ସଂଗେ ସଂଗେ କୃତ୍ରିମ ଅଭାବ ସୃଷ୍ଟି ହେବ । ପ୍ରାଇଭେଟ ମଣ୍ଡି ଆଇନ୍ ଦ୍ୱାରା ବଡ ବଡ ବ୍ୟବସାୟୀ ଓ କର୍ପୋରେଟ ମାନେ ଲାଭବାନ ହେବେ ଓ ଚାଷୀ କ୍ଷତିଗ୍ରସ୍ତ ହେବେ । ଅନ୍ୟପକ୍ଷରେ ଚୁକ୍ତି ଚାଷ ଆଇନ୍ ଦ୍ୱାରା ବହୁ ଦେଶୀୟ କମ୍ପାନୀ ତଥା ବଡ ବଡ ପୁଞ୍ଜିପତିମାନେ ଚାଷୀଙ୍କୁ ଲୁଟିବେ । ପୁଞ୍ଜିପତି ମାନଙ୍କ ସ୍ୱାର୍ଥରେ ଆସିଥିବା ଏହି ଆଇନ ଗୁଡିକୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଆଜିର ଏହି କାର୍ଯ୍ୟକ୍ରମରେ ଏ.ଆଇ.କେ.କେ.ଏମ୍.ଏସ କଟକ ଜିଲ୍ଲା ଆବାହକ ବସନ୍ତ ନାୟକ, ଖଗେଶ୍ୱର ସେଠୀ, ରାଜକିଶୋର ମଲ୍ଲିକ, ଅଶୋକ ବେହେରା, ଶୋଭା ଦେହୁରୀ ପ୍ରମୂଖ ନେତୃତ୍ୱ ନେଇଥିଲେ । ଏହି ପ୍ରତିରୋଧ ଦିବସ ଉପଲକ୍ଷେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିବାଦ କାର୍ଯ୍ୟକ୍ରମ ମାନ ହୋଇଛି । ଏହି ଜନମାରଣ ଆଇନ ଗୁଡିକ ବିରୁଦ୍ଧରେ ସମସ୍ତ ସ୍ତରର ଜନଗଣ ବିଶେଷକରି ଚାଷୀ ମୂଲିଆମାନେ ସଂଗଠିତ ହେବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି । (କଟକ ଟାଉନ ରିପୋର୍ଟ /ରଶ୍ମିତା ମହାପାତ୍ର ରଶ୍ମିତା ମହାପାତ୍ର)