ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) ଢେଙ୍କାନାଳ :- ଜିଲ୍ଲାରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଦଳୀୟ ରାଜନୈତିକ କନ୍ଦଳ ଯୋଗୁଁ ଆଜି ଭାତହାଣ୍ଡିରୁ ଗୋଟିଏ ଚିପିଲା ପରି ପୁରା ବୋରାପଦା ଗାଁ ଦଳିତ ଅଧିବାସୀ ମୋ ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ। ଏହାକୁ ନେଇ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ଥିବାବେଳେ ଦଲାଲ୍ ଦଳିତ ଜମିକୁ ନେଇ ଆଇନର ଜାଲରେ ଚଳୁ କରି ଲାଲେଲାଲ୍ । ସୂଚନାଯୋଗ୍ୟ, ସଦର ନିର୍ବାଚନ ମଣ୍ଡଳୀ ଜିଲ୍ଲାର ପ୍ରମୁଖ ଆସନ ଅଟେ । ଏହି ଆସନରୁ ଲଗାତାର ଭାବେ ଶାସକ ଦଳର ପ୍ରାର୍ଥୀ ବିଭିନ୍ନ ବାଦ ବିବାଦ ଓ ରାଜନୈତିକ କନ୍ଦଳକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭାବାମୂର୍ତ୍ତିରେ ପ୍ରାୟତଃ ଅଳ୍ପ ଭୋଟ୍ ବ୍ୟବଧାନରେ ନିର୍ବାଚିତ ହୋଇ ଆସୁଛନ୍ତି ଏବଂ ପ୍ରତି ଥର ନୂଆ ନୂଆ ନେତା ମଧ୍ୟ ନିର୍ବାଚିତ ହୁଅନ୍ତି । ସଂପ୍ରତି ଖବରରୁ ଜଣାଯାଏ, ପୂର୍ବ ଦୁଇ ନେତାଙ୍କ ଦୁଇ ଅନୁଗତଙ୍କ ଘର ସହର ଉପକଣ୍ଠ ଗୋବିନ୍ଦପୁର ପଞ୍ଚାୟତ ବୋରାପଦାରେ।
ତେଣୁ ପାରିବାପଣିଆ ନିମନ୍ତେ ସେମାନେ ସେତେବେଳେ ନିଜଘର ନିକଟ ତଥା ସହର ଉପକଣ୍ଠରେ ପୂର୍ବ ବିଧାୟକଙ୍କ କାର୍ଯ୍ୟାଳୟ ଖୋଲି ଦଳିତଙ୍କ ଦୁଃଖ ବୁଝିବା ତ ଦୂରର କଥା ନିଜର ପତିଆରା ଜାରି ରଖିଥିଲେ ଏବଂ ପରେ ଜଣେ ଅନୁଗତ ରାଜନୈତିକ ଚଞ୍ଚକତାରେ ହାତେଇ ନେଲେ ନିଜ ସ୍ତ୍ରୀଙ୍କ ନାମରେ ସଦର ବ୍ଲକ ଅଧ୍ୟକ୍ଷା ଆସନ । ଏବେ ଆଉ ସେ ନେତା ନାହାନ୍ତି କି ପତିଆରା ନାହିଁଁ । ଏବେ ଅଛନ୍ତି ଜିଲ୍ଲାର ଜନପ୍ରିୟ ନେତା ତଥା ଢେଙ୍କାନାଳିଆଙ୍କ ମୁହଁରେ ପରିଚିତ ନିଧିଭାଇ । ଯିଏକି ସେ ନିର୍ବାଚିତ ହେବା ଦିନଠୁ ଟିକିଏ ସମୟ ପାଇଲେ ନିଜ ସହଯୋଗୀଙ୍କୁ ଧରି ଗାଁ ଗଣ୍ଡା ବୁଲି ଅସହାୟ ଗରିବ ଦଳିତଙ୍କ ଦୁଃଖ ବୁଝି ମୋ ସରକାରଙ୍କ ଯୋଜନାକୁ ସଫଳ କରିବା ନିମନ୍ତେ ସଦା ଚେଷ୍ଟିତ ଥିବାବେଳେ ଅନ୍ୟପଟେ ବ୍ଲକ ଅଧ୍ୟକ୍ଷା ରହୁଥିବା ଘର ଚାରିପଟ ତଥା ଢେଙ୍କାନାଳ ଦ୍ଵୀପ ତଳ ବୋରାବଦା ଦଳିତ ଆଜି ମୋ ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ । ଅସହାୟ ଗରିବ ଦଳିତଙ୍କ ଦୁଃଖ ବୁଝିବାକୁ ଆସୁଛନ୍ତି କୋଉ ନେତା ନା ଅଧ୍ୟକ୍ଷା । ଭାତହାଣ୍ଡିରୁ ଗୋଟିଏ ଚିପିଲା ପରି ଗ୍ରାମର ପ୍ରତ୍ୟେକ ଦଳିତ ପରିବାର ଆଜି ଅସହାୟ ।
ପ୍ରାୟ ପ୍ରତ୍ୟେକ ପରିବାରରେ ମିଳୁନି ଭତ୍ତା କି ଖାଦ୍ୟ ସୁରକ୍ଷା । ୧୯୯୯ ବାତ୍ୟାରେ ଉଡିଗଲା ଘର ଛପର। ସେବେଠୁ ଆଜିସୁଦ୍ଧା ଚାଲିଛି ଜରିପାଲର ସଂସାର । ପକ୍କାଘର ତ ଦୂରର କଥା, ପ୍ରାୟ ପ୍ରତ୍ୟେକ ଘରର ବୁଢାବୁଢିଙ୍କ ଭତ୍ତା ନାହିଁଁ କି କିଏ ମଲେ ଦାହ କରିବାକୁ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ବି ମିଳୁନି । ଏଭଳି ଭୋକର ଆଉଟୁପାଉଟୁରେ ଦୀର୍ଘ ଦିନ ଧରି ହନ୍ତସନ୍ତ ହେଉଛନ୍ତି ବୋରାପଦା ଗ୍ରାମର ଦଳିତ। କିନ୍ତୁ ଏମାନଙ୍କ ବିକାଶର ଯୋଜନାକୁ ନେଇ ସକ୍ରିୟ ହୋଇ ଉଠିଛନ୍ତି କିଛି ଜମି ଦଲାଲ । ଦଳିତଙ୍କ ଜମିକୁ ନେଇ ଆଇନର ଜାଲରେ ଚଳୁ କରି ଲାଲେଲାଲ୍ ପାଲଟିଛନ୍ତି । ସ୍ଥାନୀୟ ଜିଲ୍ଲା ପ୍ରଶାସନ ଯେହେତୁ ନିରବଦ୍ରଷ୍ଟା, ତେଣୁ ସ୍ଥାନୀୟ ଦଳିତ ଅଧିବାସୀ ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । (ରିପୋର୍ଟ୍ ଅମର ରଞ୍ଜନ ଦାସ)