
ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ମଙ୍ଗଳବାର ) ହିଞ୍ଜିଳିକାଟୁ :- ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଭୀଷଣ ଅବବାପ ରୂପ ନେଇଛି । ଯାହା ଫଳରେ ସୋମବାର ସନ୍ଧ୍ୟାରୁ ଭୀଷଣ ବର୍ଷା ଲାଗିରହିଛି । ଲଗାଣ ବର୍ଷା ଯୋଗୁଁ ହିଞ୍ଜିଳିକାଟୁ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ବନ୍ୟା ଆଶଙ୍କା ଦେଖାଦେଇଛି । ହିଞ୍ଜିଳିକାଟୁ ସହର ଦେଇ ପ୍ରବାହିତ ଘୋଡାହାଡ ନଦୀର ଜଳପତ୍ତନ ସନ୍ଧ୍ୟା ସୁଦ୍ଧା ସାଢେ଼ ୧୧ ଫୁଟ ରହିଛି । ଆଜି ରାତି ତମାମ ବର୍ଷା ଲାଗିରହିଲେ ବନ୍ୟା ପରିସ୍ଥିତି ଆଶଙ୍କା ରହିଛି । ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ବ୍ଳକର ବିଭିନ୍ନ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ନିକଟସ୍ଥ ବନ୍ୟା ଆଶ୍ରୟ ସ୍ଥଳୀକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଥିବା ଜଣାପଡିଛି ।

ହିଞ୍ଜିଳିକାଟୁ ନିକଟସ୍ଥ ରାମଚନ୍ଦ୍ରପୁର ଗ୍ରାମ ନିକଟରେ ୫୯ ନ ଜାତୀୟ ରାଜପଥ ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ବ୍ରହ୍ମପୁର- ଆସିକା ଯାତାୟତ ବାଧାପ୍ରାପ୍ତ ହୋଇଛି । ସଂପୃକ୍ତ ସ୍ଥାନରେ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉପସ୍ଥିତ ରହି ଘଟଣାର ତୀକ୍ଷ୍ଣ ନଜର ରଖିଛନ୍ତି । ଅନ୍ୟ ପକ୍ଷରେ କରୋନା ମହାମାରୀ ଚାଷୀଙ୍କ ଜୀବନ ଜୀବିକା ଛଡାଇ ନେଇଥିବା ବେଳେ ଏବେ ଲଗାଣ ବର୍ଷା ଚାଷୀଙ୍କ ଜୀବିକା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ କରିଦେଈଛି । କରୋନା ଓ ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାଷୀ ମାନଙ୍କ ଦୁଃଖ କହିଲେ ନସରେ ।

ସ୍ଥାନୀୟ ବ୍ଳକର ବୁରୁପଡା, ସିକିରି, ରାଳବ, ଶାସନ ଆମ୍ବଗାଁ, ଆଲପୁର, ଗିରିଆ, ଖରିଡା, ଚାନ୍ଦୁଲି, ଖଣ୍ଡରା ପ୍ରଭୁତି ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିଥିବାରୁ ଚାଷ ଜମିରେ ଧାନ ଫସଲ ସହ ବିଭିନ୍ନ ପ୍ରକାର ପନିପରିବା ଗଛ ନଷ୍ଟ ହୋଇଯାଇଛି ।ଏକର ଏକର ଜମିରେ ପାଣିଜମି ରହୁଥିବାରୁ ଚାଷମାନକଂ ଅଣ୍ଟା ଭାଙ୍ଗି ଯାଈଥିବା ସ୍ଥାନୀୟ ଚାଷୀମାନେ କହିଛନ୍ତି ।ଏକର ଏକର ପନିପରିବା ଫସଲ ନଷ୍ଟ ହୋଇଯାଇଛି । ଚାଷୀମାନଙ୍କ ସମସ୍ୟା ବୁଝି ଚାଷୀଙ୍କ କ୍ଷୟ କ୍ଷତି ଆକଳନ କରି ସମସ୍ୟା ପୁରଣ କରିବେ ବୋଲି ବୁରୁପଡା ଚାଷୀମାନେ ବହୁତ ଆଶା ବାନ୍ଧି ରହିଛନ୍ତି ।

ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡ଼ିଓ ଓ ତହସିଲଦାର ଆସି ଚାଷଜମିକୁ ଦେଖି ଚାଷମାନକଂ ସମସ୍ୟା ବୁଝି କ୍ଷୟକ୍ଷତି ଆକଳନ କରିସେମାନଙ୍କୁ ସହାୟତା ରାଶି ପ୍ରଦାନ କରିବାକୁ ଦାବି ହୋଇଛି । ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ତହସିଲଦାର ଜନ୍ମେଜୟ ସାହୁ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ , ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ବିଭିନ୍ନ ଗ୍ରାମାଞ୍ଚଳ ପରିଦର୍ଶନ କରିବା ସହ ଘଟଣା ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି । (ରିପୋର୍ଟ : ଶୁସାନ୍ତ ପ୍ରଧାନ)














