ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ମଙ୍ଗଳବାର ) ବ୍ରହ୍ମପୁର :- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମ୍ବାରି ଗାଁ ନିକଟରେ ରହିଥିବା ଘୋଡାହାଡ ଡ଼୍ୟାମରେ କ୍ରମଶଃ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସନ୍ଧ୍ୟା ସୁଦ୍ଧା ପ୍ରବାହିତ ଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ଜଣାପଡିଛି । ଯାହାଫଳରେ ଘୋଡାହଡ ନଦୀକୂଳିଆ ଗ୍ରାମର ଲୋକମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଖବରପ୍ରକାରେ , ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଗତ ଦୁଇଦିନ ମଧ୍ୟରେ ଗଞ୍ଜାମ ଗଜପତି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଗତକାଲି ସୋମବାର ସକାଳ ୬ ଘଣ୍ଟା ସମୟଠାରୁ ମଙ୍ଗଳବାର ସକାଳ ୬ ଟା ଅର୍ଥାତ୍ ୨୪ ଘଣ୍ଟା ମଧ୍ୟରେ ଘୋଡାହଡ ଅଞ୍ଚଳରେ ୮୩ ମିଲିମିଟର ହୋଇଥିବା ବେଳେ ମଙ୍ଗଳବାର ସକାଳ ଠାରୁ ସନ୍ଧ୍ୟା ସାଢେ଼ ୭ ଟା ସୁଦ୍ଧା ୮୫ ମିଲିମିଟର ବର୍ଷା ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି । ଏହି ଡ଼୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ଥିବାବେଳେ ମଙ୍ଗଳବାର ସନ୍ଧ୍ୟା ସାଢ଼େ ୭ ଟା ସୁଦ୍ଧା ଜଳପତ୍ତନ ୧୧୬.୫୦ ମିଟରରେ ପହଞ୍ଚିଥିବା ସୂଚନା ମିଳିଛି ।
ଡ଼୍ୟାମର ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗି ରହିଥିବାରୁ ଅନ୍ୟାନ୍ୟ ଶାଖା ନଦୀ ମାନଙ୍କରୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସେକେଣ୍ଡ ପ୍ରତି ୧୦୦ କ୍ୟୁମିକ ବନ୍ୟାଜଳ ଡ଼୍ୟାମ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ଡ଼୍ୟାମର ଜଳପତ୍ତନ କ୍ରମଶଃ ବଢ଼ିବାରେ ଲାଗିଛି । ତେବେ ରାତି ୧୦ ଟା ସୁଦ୍ଧା ପରିସ୍ଥିତିକୁ ଦୃଷ୍ଟିରେ ରଖି ଡ଼୍ୟାମରୁ ଯେ କୌଣସି ମୁହୂର୍ତ୍ତରେ ସ୍ପିଲୱେ ଦେଇ ୫୦ କ୍ଯୁମିକ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଜଳସେଚନ କାର୍ଯ୍ୟାଳୟ ଉପନିର୍ବାହୀ ଯନ୍ତ୍ରୀ ଇଂ. ଏ.ଗୋପାଳ ରାଓ କହିଛନ୍ତି । ଫଳରେ ଘୋଡାହାଡ ନଦୀ ତଟବର୍ତ୍ତୀ ସେବକ . ଟିକରପଡ଼ା, ଗୋଲଣ୍ଡା , ବୋରିପଦର , ମଧୁବନ , ପେଣ୍ଠା , ନୁଆଗଡ, କଇଠଖଣ୍ଡି , ତଲାସିଙ୍ଗି, ଗୁମ୍ମା , ଜକମରିପଲ୍ଲି, ଜଲମରିପଲ୍ଲି, ମଳାଭଣଜା, ଖୁଲୁଡି, ତିଳେଶ୍ବର, ନୂଆଗଡ, ଲୁଣିଲାଠି, ଆମ୍ବଗାଁ, ଜଲମରା, ମହାନଳା, ପାଟପୁର, ପଳାସପୁର, ଭୋଇପଲ୍ଲି , ପନାଡ ପ୍ରଭୃତି ଗ୍ରାମଗୁଡିକରେ ଘୋଡାହାଡ ଉପଖଣ୍ଡ ଜଳସେଚନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ନଦୀ ମଧ୍ୟକୁ କୌଣସି ବ୍ୟକ୍ତି ଗାଧୋଇବା କିମ୍ବା ଶୌଚ ପାଇଁ ଯିବାକୁ ବାରଣ କରାଯାଇଛି । ଏପରିକି ଗୃହପାଳିତ ପ୍ରାଣୀମାନଙ୍କୁ ନଦୀ ମଧ୍ୟକୁ ନଛାଡିବା ପାଇଁ ସତର୍କ ସୂଚନା ଜାରି କରାଯାଇଥିବା ସହକାରୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି । ଏହି ସମୟରେ କର୍ମଚାରୀ ପ୍ରଦୀପ ମହାନ୍ତି ସମେତ ସ୍ଥାନୀୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରୁଥିବା ଜଣାପଡିଛି । (ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)
