ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ମଙ୍ଗଳବାର ) ଢେଙ୍କାନାଳ :- ଜିଲ୍ଲାର ବିଭିନ୍ନ ତହସିଲର ଖଣିଖାଦାନ ଗୁଡିକରେ ଅଚାନକ ଚଢ଼ାଉ କରାଯାଇ ଚୋରା ଚାଲାଣ କରି ନେଉଥିବା ଲଘୁ ଖଣିଜ ପଦାର୍ଥର ଗାଡ଼ି ମାନଙ୍କ ଠାରୁ ଚଳିତ ମାସରେ ଚୋରା ଚାଲାଣ ବାବଦକୁ ୧୧,୯୪,୩୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସଦର ତହସିଲଦାର ଶ୍ରୀ ଲକ୍ଷ୍ମୀଧର ରାଉତ ଓ ମାଣିପୁର ଆର୍ ଆଇ ପୁଷ୍ପିତା ମଧୁମତୀ ଦେହୁରୀ ଏବଂ ପୋଲିସ ଫୋର୍ସ ସହ ମାଣିପୁର ଖାଦାନରେ ଚଢାଉ କରି ଅଞ୍ଚଳରୁ ୩ ଟି ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟର ଜବତ କରିବା ସହ ୭୫,୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି ଏବଂ ଭାପୁର ଅଞ୍ଚଳରୁ ଏକ ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରକକୁ ଜବତ କରି ୩୮,୦୦୦ ଟଙ୍କା ଆଦାୟ କରାଯାଇଛି ।
ସଦର ତହସିଲ ଅନ୍ତର୍ଗତ ଗେଙ୍ଗୁଟିଆ ଅଞ୍ଚଳରେ ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ କରି ଜୋରିମାନା ବାବଦରେ ୧୨,୩୦୦ ଟଙ୍କା ଆଦାୟ କରାଯାଇଛି ଏବଂ ସେଠାରେ ଅନ୍ୟ ଏକ ଟ୍ରାକ୍ଟର ଠାରୁ ୧୫,୦୦୦ ଟଙ୍କା ଜୋରିମାନା ନିଆଯାଇଛି । ସେହିପରି ଗନ୍ଦିଆ ତହସିଲଦାର ଶ୍ରୀ ଆଶିଷ୍ ରଞ୍ଜନ ସାହୁ, କାଶିପୁର ଆର୍ ଆଇ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଅଚାନକ ଚଢ଼ାଉ କରି ନିହଲପ୍ରସାଦ ଅଞ୍ଚଳରେ ବିନା ଟି ପି ରେ ନେଉଥିବା ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଓ ଗୋଟିଏ ମାଙ୍କଡ଼ା ପଥର ଟ୍ରକକୁ ଜବତ କରିବା ସହ ଜୋରିମାନା ବାବଦକୁ ୬୦,୦୦୦ ଟଙ୍କା ରାଜସ୍ବ ଆଦାୟ କରିଛନ୍ତି । ଜିଲ୍ଲାର ସମସ୍ତ ଖଣି ଖାଦାନ ଗୁଡ଼ିକରୁ ଚୋରା ଚାଲାଣ ରୋକିବା ପାଇଁ ଆଗକୁ ଏହିପରି ପୂର୍ଣ୍ଣମାତ୍ରାରେ ଚଢ଼ାଉ ଜାରି ରହିବ । ( ରିପୋର୍ଟ , ଅମର ରଞ୍ଜନ ଦାସ)