ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ମଙ୍ଗଳବାର ) ଭୁବନେଶ୍ୱର :- ପୂର୍ବତନ ବାଚସ୍ପତି ତଥା ବର୍ଷୀୟାନ ରାଜନେତା ଶରତ କୁମାର କରଙ୍କ ପରଲୋକରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ଡ. ପାତ୍ର କହିଛନ୍ତି ଯେ, ବିଧାୟକ, ସାଂସଦ, ମନ୍ତ୍ରୀ ଓ ବାଚସ୍ପତି ଭାବେ ସ୍ୱର୍ଗତ… କରଙ୍କର କାର୍ଯ୍ୟଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା । ବିଧାୟକ ଭାବେ ଏକାଧିକବାର ନିର୍ବାଚିତ ହେବା ତାଙ୍କର ଲୋକ ପ୍ରିୟତାର ପ୍ରମାଣ ବହନ କରେ । ଯୁବାବସ୍ଥାରୁ ରାଜନୀତି ଓ ସମାଜସେବା ସହିତ ସେ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ ।
ଜଣେ ଲ୨ ପ୍ରତିଷ୍ଠିତ ସାହିତ୍ୟିକ ଓ ସୁବକ୍ତା ଭାବେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ବିଧାୟକ ଓ ମନ୍ତ୍ରୀ ଭାବେ ସେ ରାଜ୍ୟର ପ୍ରଗତିରେ ନିଜର ଛାପ ଛାଡ଼ି ଯାଇଛନ୍ତି । ଜଣେ ପ୍ରବୀଣ ରାଜନୀତିଜ୍ଞ, ଦକ୍ଷ ସଂଗଠକ, ସାହିତ୍ୟିକ, ବାଗ୍ମୀ ଓ ଦରଦୀ ମଣିଷ ଭାବେ ସେ ଜନମାନସରେ ସର୍ବଦା ଜୀବିତ ରହିବେ । ତାଙ୍କର ନୀତି ଓ ଆଦର୍ଶ ଯୁବ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ । ବାଚସ୍ପତି ଡ. ପାତ୍ର ଦିବଂଗତ ନେତାଙ୍କ ଅମର ଆତ୍ମା ପ୍ରତି ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।