ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର ସୋମବାର ) ବ୍ରହ୍ମପୁର :- ଗଞ୍ଜାମ ଜିଲାରେ କୋଭିଡ୍ ପରିଚାଳନା ପାଇଁ ସ୍କୁଲ ଗୁଡ଼ିକରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କରାଯାଇ କୋଭିଡ୍ ସଂକ୍ରମିତଙ୍କୁ ଚିକିତ୍ସା କରାଯାଉଥିଲା । ଉକ୍ତ ସ୍କୁଲ ଗୁଡିକ ଅନେକ ଦିନ ହେଲା ବନ୍ଦ ହୋଇସାରିଛି । କିନ୍ତୁ ଏବେ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲ ଖୋଲିବ । ଏଣୁ ଏହା ପୂର୍ବରୁ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଅନୁଷ୍ଠିତ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୈଠକ କରି ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ଗୁଡିକରେ ପରିବେଶ ସଫେଇ, ଆବଶ୍ୟକୀୟ ସରଞ୍ଜାମ ମରାମତି, ବୃକ୍ଷରୋପଣ ଓ ରଙ୍ଗ ଦେବାକୁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଓ ସହକାରୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ପୂଜା ଛୁଟିରେ କୌଣସି ଶିକ୍ଷକ ନିଜ ହେଡକ୍ୱାର୍ଟର ଛାଡ଼ି ଯିବେ ନାହିଁ। ସେମାନେ ଉକ୍ତ ସବୁ କାର୍ୟ୍ୟ ପରିଚାଳନା କରିବେ । ଶିକ୍ଷୟିତ୍ରୀ ଶିକ୍ଷକ ମାସ୍କ ବ୍ୟବହାର ବାଧ୍ୟତାମୂଳକ। ସ୍କୁଲ ପରିସର ସଫା ଓ ସୁନ୍ଦର ନ ରହିଲେ ଶିକ୍ଷକମାନେ ଦାୟୀ ରହିବେ । ପିଲା ମାନେ ଯେଭଳି ଘର ପାଖ ସ୍କୁଲରେ ପଢ଼ିବେ ଏବଂ କେହି ଡ୍ରପ୍ ଆଉଟ୍ ରହିବେନି ସେଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଶିକ୍ଷକ ଯଦି କରୋନା ସଂକ୍ରମିତ ହୁଅନ୍ତି ତେବେ ତାଙ୍କ ଟ୍ରାଭେଲ ହିଷ୍ଟ୍ରି ବାହାର କରି ସଂପୃକ୍ତ ଶିକ୍ଷକଙ୍କୁ ଦାୟୀ କରାଯିବ । ଏହି ବୈଠକରେ ଜିଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଜିଲା ସମାଜ ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ସମଗ୍ର ଶିକ୍ଷା ଜିଲା ସଂଯୋଜକ ବିନୀତା ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ : ଶେଷଦେବ ସାହୁ )