ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର ସୋମବାର ) ଗଞ୍ଜାମ :- ମାରାଳ ମାଳିନୀ ନୀଳାମ୍ବୁ ଚିଲିକା ଅତି ମନୋରମ । ପ୍ରକୃତିର ଗନ୍ତାଘର ଏହି ଚିଲିକା ରେ ବିଭିନ୍ନ ପ୍ରଜାତିର ଜଳଜୀବ ରହୁଥିବାବେଳେ ଇରାୱାଡି ପ୍ରଜାତିର ଡ଼ଲଫିନ ବହୁ ସଂଖ୍ୟାରେ ଦେଖାଯାଇଥାନ୍ତି । ଯାହାକୁ ନେଇ ଚିଲିକା ହ୍ରଦ କୁ ବହୁସଂଖ୍ୟାରେ ପର୍ଯ୍ୟଟକ ମାନେ ଚିଲିକାର ପ୍ରାକୃତିକ ଶୋଭା ଉପଭୋଗ କରିବାକୁ ଆସୁଥିବା ବେଳେ ଚିଲିକା ହ୍ରଦ ର ନୀଳ ଜଳରାଶି ମଧ୍ୟରେ ଡ଼ଲଫିନ ମାନଙ୍କ ଜଳକ୍ରୀଡା ମଧ୍ୟ ଦେଖି ଆନନ୍ଦ ଅନୁଭବ କରିଥାନ୍ତି । ସୋମବାର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମ ନିକଟସ୍ଥ ସ୍ୱସ୍ତି ହୋଟେଲ ପାର୍ଶ୍ଵ ଚିଲିକା କୂଳରେ ଇରାୱାଡି ପ୍ରଜାତିର ଡ଼ଲଫିନ ର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା ।
ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ଏହା ଦେଖି କେଶପୁର ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ କୁ ଖବର ଦେଇଥିଲେ । ଖବରପାଇ କେଶପୁର ବନ୍ୟପ୍ରାଣୀ ବନାଞ୍ଚଳ ଫରେଷ୍ଟର ଜୀତେନ୍ଦ୍ର କୁମାର ନାୟକ ଙ୍କ ନିର୍ଦ୍ଧେଶ କ୍ରମେ ଫରେଷ୍ଟ ଗାର୍ଡ ଛବିରାଣୀ ବେହେରା ଙ୍କ ସହ ବିଦ୍ୟାଧର ସାହୁ ବିଭାଗୀୟ କର୍ମଚାରୀ ଚିଲିକା କୂଳରେ ପହଁଚି ଡ଼ଲଫିନ ଟିକୁ ଅଞ୍ଚଳବାସୀ ଙ୍କ ସହଯୋଗରେ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି । ଡ଼ଲଫିନ ଟିର ଲମ୍ବ 5 ଫୁଟ ଓ ଓଜନ ଏକ କ୍ୟୁଣ୍ଟାଲ ହେବ ବୋଲି ଅନୁମାନ କରାଯାଉଛି ।ଏହାର ମୃତ୍ୟୁର କାରଣ ବ୍ୟବଛେଦ ପରେ ଜଣାପଡିବ ବୋଲି ଫରେଷ୍ଟର ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ( ରିପୋର୍ଟ : ଶେଷଦେବ ସାହୁ )