
ନୟାଗଡ ଜିଲ୍ଲା (ଓଡିଶା ତାଜା ନିଉଜ୍) ରଣପୁର ମହୋତ୍ସବ 8.1.2020 :- ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ରଣପୁର ବି.ସି. ହାଇସ୍କୁଲର ବାଘସାମନ୍ତ ପଡିଆରେ ଆଜି ଚତୁର୍ଥ ସଂନ୍ଧ୍ୟା ଅନୁଷ୍ଠିତ ହୋଇଛି । ହଜାର ହଜାର ଦର୍ଶକଙ୍କ ଗହଣରେ ମହୋତ୍ସବକୁ ଲୋକମାନେ ଉପଭୋଗ କରିଥିଲେ ।

ଆଜି ସଂନ୍ଧ୍ୟାରେ ମହୋତ୍ସବର ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୂଖ୍ୟ ଅତିଥି ଭାବେ ଯୋଜନା ସମନ୍ୱୟ ଓ ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା, ମୂଖ୍ୟ ବକ୍ତା ଭାବେ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ସମ୍ମାନୀତି ଅତିଥି ଭାବେ ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିଦ୍ଦେର୍ଶକ ସୁବାଷ ଚନ୍ଦ୍ର ରାୟ, ସୁନାଖଳା ଜିଲ୍ଲା ପରିଷଦ ସଭ୍ୟା ଭୁବନେଶ୍ୱରୀ ସାହୁ , ମହୋତ୍ସବ କମିଟିର ସଂଯୋଜକ ଦେବାଶିଷ ପଟ୍ଟନାୟକ, ସମ୍ପାଦକ ସୁରେଶ ମିଶ୍ର, ଆବାହକ ପୂର୍ଣ୍ଣଚନ୍ଦ୍ର ରାୟ ପ୍ରମୂଖ ଯୋଗ ଦେଇ ରଣପୁରର ଇତିହାସ ସମ୍ବନ୍ଧରେ ଅଭିଭାଷଣ ପ୍ରଦାନ କରିଥିଲେ ।

କିଶୋର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୂଖ୍ୟ ବକ୍ତା ବେଗୁନିଆ ବିଧାୟକ ତାଙ୍କ ଅଭିଭାଷଣରେ ଜଙ୍କିଆରୁ ରଣପୁର ରାସ୍ତାକୁ ପ୍ରଶସ୍ତୀକରଣ କରି ଉଭୟ ପାଶ୍ୱର୍ରେ ଆଲୋକୀକରଣ କରିବା ପାଇଁ ମୂଖ୍ୟ ମନ୍ତ୍ରିଙ୍କୁ ଅନୁରୋଧ କରିବେ ବୋଲି କହିଥିଲେ ।

ରଣପୁର ବସଷ୍ଟାଣ୍ଡ ପାଇଁ ବିଧାନ ସଭାରେ ପ୍ରଶ୍ନ ଉଠାଇବେ ବୋଲି ମତ ଦେଇଥିଲେ । ମୂଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ରଣପୁରରେ ଆଗାମୀ ଦିନରେ ମୋ-ବସ୍ ବସ ଚଳାଚଳ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ମହୋତ୍ସବର ସଭାପତି ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଧାୟକ ତାଙ୍କ ଅଭିଭାଷଣରେ ସମସ୍ତେ ମିଳିତ ହୋଇ ରଣପୁରକୁ ଦ୍ୱିତୀୟ ଶ୍ରୀ କ୍ଷେତ୍ରର ମାନ୍ୟତା ପ୍ରଦାନ ପାଇଁ ପରିବହନ ମନ୍ତ୍ରୀ ଓ ଉପସ୍ଥିତ ଥିବା ବେଗୁନିଆ ବିଧାୟକ ସହାୟତା କରିବା ପାଇଁ ନିବେଦନ କରିଥିଲେ । ସଙ୍ଗୀତ କଳା ବିଦ୍ୟା ନିକେତନର ଅଧ୍ୟକ୍ଷ ସତ୍ୟ ନାରାୟଣ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ।

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ମୂଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଖୋର୍ଦ୍ଧାରୁ ଆସିଥିବା କୁନି କୁନି ମହିଳା କଳାକାରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ମହିଳା ପାଇକ ଆଖଡା ଦେଖି ଲୋକମାନେ ବିମୋହିତ ହୋଇଥିଲେ । ଟେଲି କଳାକାର ସନ୍ତୋଷ, ନୀର ଯୋଡି ଦର୍ଶକଙ୍କ ମଧ୍ୟରେ ହାସ୍ୟରାଳ ସୃଷ୍ଟି କରିଥିଲା ।

ଅନ୍ୟତମ ଜି – ସାର୍ଥକ ଚ୍ୟାନେଲର “ତୋ ପାଇଁ ମୁଁ” ସିରିଏଲର ଟେଲି ଅଭିନେତ୍ରୀ ଉର୍ମି ସଂଳାପ ଓ ଗୀତ ଦର୍ଶକଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲା । ରିପୋର୍ଟ – ସୋନାଲି
