ଓଡ଼ିଶା ତାଜା ନ୍ୟୁଜ (୧୦ ଅକ୍ଟୋବର ଶନିବାର ) ବ୍ରହ୍ମପୁର :- ଭାରତରେ କମ୍ୟୁନିଷ୍ଟ ପାର୍ଟି ଗଠନର ଶହେ ବର୍ଷ ପୂରଣ ହୋଇଛି । ସିପିଏମ ପକ୍ଷରୁ ସାରା ଦେଶରେ ସତ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଉଛି । ଅକ୍ଟୋବର ୧୦ ରୁ ୧୭ ପର୍ୟ୍ୟନ୍ତ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ କରା ଯାଉଛି । ଆଜି ବ୍ରହ୍ମପୁରରେ ପ୍ରଥମ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କମ୍ୟୁନିଷ୍ଟ ପାର୍ଟିର ଇତିହାସ ହେଉଛି ଭାରତର ସାଧାରଣ ଲୋକ ମାନଙ୍କ ଉପରେ ଶୋଷଣ ଓ କଷଣରୁ ମୁକ୍ତି ସଂଗ୍ରାମର ଇତିହାସ । କମ୍ୟୁନିଷ୍ଟ ପାର୍ଟି ଅନ୍ୟ ରାଜନୈତିକ ଦଳଠାରୁ ଭିନ୍ନ । କ୍ଷମତା ହାସଲ କରିବା କେବଳ ମୂଳ ଲକ୍ଷ୍ୟ ନୁହେଁ । ଦେଶର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ପରିବର୍ତ୍ତନ ପାଇଁ ଏହା ଏକ ସଂଗ୍ରାମ । ସ୍ୱାଧୀନତା ଆନ୍ଦୋଳନ ଠାରୁ ଆଜି ପର୍ୟ୍ୟନ୍ତ ପାର୍ଟି ଏହି ସଂଗ୍ରାମକୁ ଜାରି ରଖିଛି ବୋଲି ସେ ଉଲ୍ଲେଖ କରିଥିଲେ । କମ୍ୟୁନିଷ୍ଟ ମାନେ କେରଳ, ପଶ୍ଚିମବଙ୍ଗ ଓ ତ୍ରିପୁରରେ ଯେତେବେଳେ କ୍ଷମତା ପାଇଛନ୍ତି ସେତେବେଳେ ଲୋକଙ୍କ ଆର୍ଥିକ ସାମାଜିକ ଓ ରାଜନୈତିକ ବିକାଶ ପାଇଁ ନିଷ୍ଠାର ସହ କାର୍ୟ୍ୟକରିଛନ୍ତି ।
ଯେତେ ସରକାର ପରିବର୍ତ୍ତନ ହେଲେ ମଧ୍ୟ ଲୋକଙ୍କ ଅବସ୍ଥାରେ ପରିବର୍ତ୍ତନ ହେବ ନାହିଁ ଏହା ଆମ ଦେଶରେ ପ୍ରମାଣିତ ହୋଇଛି । କମ୍ୟୁନିଷ୍ଟ ପାର୍ଟି ଶକ୍ତିଶାଳୀ ହେଲେହିଁ ଲୋକଙ୍କ ଅବସ୍ଥାର ପରିବର୍ତ୍ତନ ହେବ । ତେଣୁ ଛାତ୍ର ,ଯୁବକ, ଶ୍ରମିକ, କୃଷକ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେବାକୁ ଆହ୍ଵାନ ଦେଇଥିଲେ । ଏଥିରେ ଜିଲ୍ଲା ସମ୍ପାଦକ କୈଳାଷ ଷଡଙ୍ଗୀ, ବ୍ରହ୍ମପୁର ସମ୍ପାଦକ ଯୁଧିଷ୍ଠିର ବେହେରା, ବସନ୍ତ ନନ୍ଦ,ବିଦ୍ୟାଧର ଜେନା ,ହରୀକୃଷ୍ଣ ରେଡି, ଶିବ ପ୍ରସାଦ ମହାପାତ୍ର, ବାବୁଲା ନାୟକ ,ହରି ନାହାକ ,ଲୋକନାଥ ରଥ, ପଞ୍ଚାନନ ଜେନା , ପ୍ରମୁଖ ଅଂଶଗ୍ରହଣ କରିଥିଲେ।ଏଥିରେ ବରିଷ୍ଠ ଶ୍ରମିକ ନେତା ପ୍ରତାପ ଚୌଧୁରୀ ସଭାପତିତ୍ୱ କରିଥିଲେ । ଏହି ଅବସରରେ ମୁଜାଫର ଅହମଦଙ୍କ ଦ୍ଵାରା ରଚିତ ଓ କୈଳାଷ ଷଡଙ୍ଗୀଙ୍କ ଦ୍ୱାରା ଅନୁବାଦ କମ୍ୟୁନିଷ୍ଟ ପାର୍ଟିର ଇତିହାସ ପୁସ୍ତକ ଉନ୍ମୋଚନ କରାଯାଇଥିଲା । (ରିପୋର୍ଟ : ଶେଷଦେବ ସାହୁ : ଗଞ୍ଜାମ ଜିଲ୍ଲା ବ୍ୟୁରୋ)