ଓଡ଼ିଆ ସିନେ କଳାକାରଙ୍କ ଉପସ୍ଥିତିରେ ଉତ୍ସବମୁଖର ହେଲା ଗ୍ରାମ ପରିବେଶ
ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ଐତିହ୍ୟକୁ ମନେ ପକାଇ ନୟାଗଡ଼ ଜିଲ୍ଲାର ଗମ୍ଭାରୀଡ଼ିହି ଗ୍ରାମରେ ପ୍ରଥମ ଥର ପାଇଁ ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହୋଇଯାଇଛି ‘ପ୍ରଥମ ବୋଇତ ବନ୍ଦାଣ ମହୋତ୍ସବ–୨୦୨୬’। ଏହି ମହୋତ୍ସବ ଗ୍ରାମବାସୀଙ୍କ ମଧ୍ୟରେ ନୂତନ ଉତ୍ସାହ, ଆନନ୍ଦ ଓ ସାଂସ୍କୃତିକ ଚେତନା ସୃଷ୍ଟି କରିଛି । ଏହି ଉତ୍ସବରେ ନୟାଗଡ଼ର ମାନ୍ୟବର ବିଧାୟକ ଡ଼. ଅରୁଣ କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ତାଙ୍କ ଉପସ୍ଥିତି ଉତ୍ସବର ଗୁରୁତ୍ୱକୁ ଆହୁରି ବୃଦ୍ଧି କରିଥିଲା । ଏହି ଅବସରରେ ଓଡ଼ିଶାର ସୁପରିଚିତ ସିନେ କଳାକାର ଓ ହାସ୍ୟ ଅଭିନେତାମାନେ ଯୋଗଦେଇଥିଲେ ।

ସେମାନଙ୍କ ମଧ୍ୟରେ ହାସ୍ୟ ଅଭିନେତା ତଥା ବ୍ୟଙ୍ଗକବି ରବୀନ୍ଦ୍ର ରାଉତ, ହାସ୍ୟ ଅଭିନେତା ନିରଞ୍ଜନ ଆଚାର୍ଯ୍ୟ, ସତ୍ୟବ୍ରତ ପାଣିଗ୍ରାହୀ, ଚଳଚ୍ଚିତ୍ର ଓ ଧାରାବାହିକ ଅଭିନେତ୍ରୀ ଶିନା ମହାନ୍ତି ଏବଂ ପ୍ରିୟଙ୍କା ପ୍ରମୁଖ ଉପସ୍ଥିତ ରହି ନିଜର କଳା ପ୍ରଦର୍ଶନ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ । ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଗ୍ରାମର ପାରମ୍ପରିକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ । ଗ୍ରାମର କୁନି କୁନି କଳାକାରମାନେ ସାଧବ ଓ ସାଧବାଣୀ ବେଶରେ ସଜ୍ଜିତ ହୋଇ ଗ୍ରାମ ମଣ୍ଡପ ନିକଟସ୍ଥ ପୋଖରୀରେ ବୋଇତ ଭସାଇଥିଲେ । ଏହି ମନୋରମ ଦୃଶ୍ୟ ଓଡ଼ିଆ ଅସ୍ମିତା, ଐତିହ୍ୟ ଓ ପରମ୍ପରାର ସ୍ମୃତିକୁ ଉଜ୍ଜୀବିତ କରିଥିଲା ।
















