ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) ଆସିକା :- ଆଜି ଆସିକା ବିଜ୍ଞାନ ମହାବିଦ୍ୟାଳୟ ହିନ୍ଦୀ ବିଭାଗ ମୂଖ୍ୟ ଡଃ ଶେଖ୍ ସଈଦ୍ ଙ୍କ ଭୁବନେଶ୍ବର ସ୍ଥିତ ନିଳାଞ୍ଚଳ ସରକାରୀ କୋଭିଡ ହସ୍ପିଟାଲରେ ଅକାଳ ବିୟୋଗ ଘଟିଛି । ଏଥି ନିମନ୍ତେ କଲେଜ ତରଫରୁ ଇନ୍ଚାର୍ଯ୍ୟ ଅଧ୍ୟକ୍ଷ ପ୍ରଫେସର କେଦାର ନାଥ ପଣ୍ଡାଙ୍କ ଅଧ୍ୟକ୍ଷତା ଏବଂ କଲେଜ ଷ୍ଟାଫ୍ ସେକ୍ରେଟାରୀ ଡଃ ସ୍ମିତାରାଣୀ ପଣ୍ଡାଙ୍କ ପୌରହିତ୍ୟରେ ଏକ ଶୋକ ସଭାର ଆୟୋଜନ ହୋଇଥିଲା । ଦୁଇ ମିନଟ୍ ପାଇଁ ନିରବ ପ୍ରାର୍ଥନା ହୋଇଥିଲା । ଏହି କଲେଜର ହିନ୍ଦୀ ବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ । କେବଳ ଏହି କଲେଜ ପାଇଁ ନୁହେଁ ସମଗ୍ର ଗଞ୍ଜାମ ଜିଲ୍ଲାର ହିନ୍ଦୀ ସାହିତ୍ୟ ପ୍ରେମୀଙ୍କ ପାଇଁ ମଧ୍ୟ ଶୋକର ଛାୟା ଖେଳି ଯାଇଛି । ସାର୍ ଜଣେ ଅମାୟିକ, ଭାବପ୍ରବଣ, ପରୋପକାରୀ, ଛାତ୍ରବତ୍ସଳ ବ୍ୟକ୍ତିତ୍ବର ଅଧିକାରୀ ଥିଲେ । ଡଃ ସଈଦ୍ ଙ୍କ ସ୍ନାତକୋତ୍ତର ଏବଂ ଏମ୍.ଫିଲ୍ ପଞ୍ଜାବ ବିଶ୍ବବିଦ୍ୟାଳୟରୁ ଏବଂ ଡକ୍ଟୋରେଟ୍ ଡିଗ୍ରୀ ବ୍ରହ୍ମପୁର ବିଶ୍ବବିଦ୍ୟାଳରୁ ପ୍ରାପ୍ତ କରିଥିଲେ । ସାରଙ୍କ ଗାଇଡ୍ ରେ ଅନେକ ମେଧାବୀ ଛାତ୍ର ଛାତ୍ରୀ ମଧ୍ୟ ହିନ୍ଦୀ ସାହିତ୍ୟରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିପାରିଛନ୍ତି । ତାଙ୍କରି ବଳିଷ୍ଟ ତତ୍ତ୍ବାବଧାନରେ ଆସିକା ବିଜ୍ଞାନ କଲେଜରୁ ଆଜକୁ ନଅ ବର୍ଷ ହେଲା ହିନ୍ଦୀ ସାହିତ୍ୟରେ ହିନ୍ଦୀ ଛାତ୍ରଛାତ୍ରୀ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଟପ୍ପର ହୋଇଆସୁଛନ୍ତି ।
ସାରଙ୍କ ଅନେକ ମୋଧାବୀ ଛାତ୍ରଛାତ୍ରୀ ଗଞ୍ଜାମ ଜିଲ୍ଲାର ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ, ନବଦୋୟ ବିଦ୍ୟାଳୟ ଏବଂ ଅନ୍ୟ ଅନେକ ସରକାରୀ ଏବଂ ବେସରକାରୀ ଶିକ୍ଷା ଅନୁଷ୍ଠାନରେ ହିନ୍ଦୀ ଶିକ୍ଷକ ଏବଂ ଅଧ୍ୟାପକ ରୂପେ କାର୍ଯ୍ୟରତ ଅଛନ୍ତି । ଡଃ ସଈଦ୍ ଜଣେ କେବଳ ହିନ୍ଦୀ ଅଧ୍ୟାପକ ନଥିଲେ ଜଣେ ବଳିଷ୍ଟ ହିନ୍ଦୀ ପ୍ରଚାରକ, ଲେଖକ, ଉନ୍ମୁକ୍ତ ବକ୍ତା, ରେଡିଓ ବକ୍ତା, କବି, ଅନୁବାଦକ, ସଂପାଦକ, ଅନେକ ହିନ୍ଦୀ ସଂଗୋଷ୍ଟିର ରିଷୋର୍ସ ପରସନ୍ ମଧ୍ୟ ଥିଲେ । ପ୍ରଫେସର୍ ସଈଦ ହିନ୍ଦୀ ଭାଷା ସାହିତ୍ୟର ଏକ ଅନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦକ୍ଷିଣ ଓଡିଶାର ହିନ୍ଦୀ ଭାଷା ସାହିତ୍ୟର ଉନ୍ନତି କଳ୍ପେ ତାଙ୍କରି ଅବଦାନ ଅତୁଳନୀୟ । ଏହି ଶୋକ ସଭାରେ ହିନ୍ଦୀ ବିଭାଗୀୟ ଅଧ୍ୟାପକ ରାଜେଶ୍ କୁମାର ସାହୁ ଏବଂ ଅଧ୍ୟାପିକା ଜୀନିତ୍ ସବା, ପିଇଟି ସର ସନ୍ତୋଷ କୁମାର ପ୍ରଧାନ ତାଙ୍କରି କୀର୍ତ୍ତି ଏବଂ ଯଶ କୁ ଅତ୍ୟନ୍ତ ଭାବପ୍ରବଣତାର ସହ ଜୟଗାନ କରିଥିଲେ । ଏହି ଶୋକ ସଭାରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣଅନୁଷ୍ଠାନିକ କର୍ମଚାରୀ ବୃନ୍ଦ ଯୋଗଦାନ ପୂର୍ବକ ସାର୍ ଙ୍କ ଅମର ଆତ୍ମାର ସଦ୍ଗତି କାମନା ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଥିଲେ । ( ରିପୋର୍ଟ – ଶେଷଦେବ ସାହୁ )













