ବାଲିଗୁଡ଼ା (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଶାରଦୀୟ ନବରାତ୍ର ଉତ୍ସବକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବାଲିଗୁଡ଼ାର ଆରାଧ୍ୟ ଦେବୀ ମା’ ପାଟଖଣ୍ଡାଙ୍କ ପୀଠ । ଶ୍ରୀ ଶ୍ରୀ ଶ୍ରୀ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ମନ୍ଦିର ପରିସରରେ ଚାଲିଥିବା ନବରାତ୍ର ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ଜାରି ରହିଛି । ରବିବାର ନବରାତ୍ରର ଅଷ୍ଟମ ଦିବସରେ ମା’ ଦୁର୍ଗା ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ପୀଠରେ ଭକ୍ତଙ୍କ ସମାଗମ ହୋଇଥିଲା ।

ନବରାତ୍ରର ପ୍ରତ୍ୟେକ ଦିନ ଦେବୀଙ୍କ ଭିନ୍ନ ଭିନ୍ନ ସ୍ୱରୂପର ଆରାଧନା କରାଯାଉଥିବା ବେଳେ ଅଷ୍ଟମ ଦିନର ମହାଗୌରୀ ବେଶ ଭକ୍ତଙ୍କ ମନରେ ବିଶେଷ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିଛି । ମନ୍ଦିର ପରିସରରେ ପୂଜାର୍ଚ୍ଚନା ଓ ଧାର୍ମିକ ବିଧିବିଧାନ ମଧ୍ୟରେ ଉତ୍ସବର ମାହୋଲ ଅଧିକ ଭକ୍ତିମୟ ହୋଇଉଠିଛି । ଅନ୍ୟପକ୍ଷରେ ମୃଣ୍ମୟୀ ଦେବୀଙ୍କ ମଣ୍ଡପରେ ମହାସପ୍ତମୀ ପୂଜା ଏବଂ ଶକ୍ତିପୀଠରେ ମହାଷ୍ଟମୀ ପୂଜା ବିଧି ଅନୁଯାୟୀ ସମ୍ପନ୍ନ ହୋଇଛି । ଚଳିତ ବର୍ଷ ପୂଜାରେ କର୍ତ୍ତା ଭାବେ ରବୀନ କୁମାର ମିଶ୍ର ଓ ନମିତା ମହାପାତ୍ର ଦାୟିତ୍ୱ ତୁଲାଉଛନ୍ତି ।
















