ଓଡ଼ିଶା ତାଜା ନ୍ୟୁଜ (୦୫ ଅକ୍ଟୋବର ସୋମବାର) ଢେଙ୍କାନାଳ :- ଆଜି ଅପରାହ୍ନରେ ଜିଲ୍ଲା ସମ୍ମୀଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଳନ ସଂପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।ସଂପ୍ରତି କରୋନା ସଂକ୍ରମଣ ଓ କୋଭିଡ୍ କଟକଣା ଅନୁପାଳନ ପୂର୍ବକ ଚଳିତ ବର୍ଷ ମା ଗଜଲକ୍ଷ୍ମୀଙ୍କ ପୂଜା ନିରାଡ଼ମ୍ବର ଭାବେ ବିଧି ମୁତାବକ ପାଳନ କରାଯିବ। ଅକ୍ଟୋବର ୩୦ ତାରିଖ ରାତିରେ ଆରମ୍ଭ ହେବାକୁ ଥିବା ଏହି ପୂଜାରେ ସର୍ବାଧିକ ୭ ଜଣ ବ୍ୟକ୍ତି ଉପସ୍ଥିତ ରହି ପାରିବେ। ସମସ୍ତ ଉପସ୍ଥିତ କର୍ମକର୍ତ୍ତା ମାସ୍କ ପରିଧାନ, ସାମାଜିକ ଦୂରତା ପାଳନ ସହିତ ଶାନିଟାଇଜେସନ୍ ପ୍ରତି ଧ୍ୟାନ ଦେବେ ।
ପୂଜା ପ୍ରତିଷ୍ଠାନରେ ମାଇକ୍ ଦ୍ଵାରା କୌଣସି ବାଦ୍ୟ ସଙ୍ଗୀତ ଗାନ କରାଯିବ ନାହିଁ। ପୂଜା ପୂର୍ବରୁ ପୂଜା ପ୍ରତିଷ୍ଠାନର ସଂପୃକ୍ତ କର୍ମକର୍ତ୍ତା ମାନଙ୍କର ଆଣ୍ଟିଜେନ୍ ଟେଷ୍ଟ୍ କରାଯିବ। ପୂଜା ପ୍ରତିଷ୍ଠାନ ଗୁଡିକରେ ସର୍ବ ସାଧାରଣଙ୍କ ସମାବେଶ ହେବ ନାହିଁ। ପୂଜା ପ୍ରତିଷ୍ଠାନ ଗୁଡିକର ଯଥାବିଧି ପୂଜାର୍ଚ୍ଚନା ହେବା ପରେ ନଭେମ୍ବର ୮ ତାରିଖ ଦିନ ବିସର୍ଜନ ପୂଜା କରାଯିବ ଏବଂ ୯ ତାରିଖ ଦିନ ସକାଳ ୬ ଟାରୁ ୧୧ ଟା ମଧ୍ୟରେ ପୌରପାଳିକା ପକ୍ଷରୁ ଧାର୍ଯ୍ୟ ପୋଖରୀ ଓ ଅସ୍ଥାୟୀ ଜଳାଶୟରେ ଲକ୍ଷ୍ମୀ ମାଁ ଙ୍କ ମୃଣ୍ମୟ ମୂର୍ତ୍ତି ବିସର୍ଜନ କରାଯିବ। ବିସର୍ଜନ ସମୟରେ ମୂର୍ତ୍ତି ସହିତ ସର୍ବାଧିକ ୧୦ ଜଣ କର୍ମକର୍ତ୍ତା ଉପସ୍ଥିତ ରହିପାରିବେ। ପୂଜା ପ୍ରତିଷ୍ଠାନ ଗୁଡିକରେ ମାଁ ଙ୍କ ମୂର୍ତ୍ତି ଉଚ୍ଚତା ୪ ଫୁଟ୍ ମଧ୍ୟରେ ସିମୀତ ରଖିବା ତୋରଣ ଆଦି ନ କରିବା ଏବଂ ଜନ ସାଧାରଣଙ୍କ ଠାରୁ କୌଣସି ପ୍ରକାରର ଚାନ୍ଦା ସଂଗ୍ରହ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସୌଦାମିନୀ ସେଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଗଣେଶ ଚନ୍ଦ୍ର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଶୁଜାତାରାଣୀ ମିଶ୍ର,ଏ ପି ଡି ଶ୍ରୀ ବିଜନ୍ କୁମାର ଥମ୍ବ,ମିଳିତ ବଜାର ଲକ୍ଷ୍ମୀ ପୂଜା କମିଟିର ସଭାପତି ବିଶ୍ଵନାଥ ବେହେରା, ସଂପାଦକ ଶ୍ରୀ ପିତବାସ ସାହୁ, ଶାନ୍ତି କମିଟିର ସଭାପତି ଶ୍ରୀ ନବ କିଶୋର ଗୁରୁ,ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା, ଢେଙ୍କାନାଳ ବିଧାୟକଙ୍କ ପ୍ରତିନିଧି ଶ୍ରୀ ଦେବାଶିଷ ମିଶ୍ର, ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ, ସଦର ତହସିଲଦାର ଶ୍ରୀ ଲକ୍ଷ୍ମୀଧର ରାଉତଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଳନ ସଂପର୍କରେ ସବିଶେଷ ଆଲୋଚନା କରିଛନ୍ତି। ଶେଷରେ ସଦର ଉପ-ଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।( ରିପୋର୍ଟ୍ ଅମର ରଞ୍ଜନ ଦାସ)