ରଣପୁର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ତାଲୁକ୍ ଆଇନ୍ ସେବା କମିଟି, ରଣପୁର ପକ୍ଷରୁ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ-୨୦୨୬’ ଅବସରରେ ରଣପୁର ମେଡିକାଲ ପରିସରରେ ଏକ ଆଇନ ସଚେତନତା ଓ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସକାଳ 11 ଘଣ୍ଟିକା ସମୟରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ତାଲୁକ ଲିଗାଲ ସର୍ଭିସ କମିଟି ର ସଚିବ ଶ୍ରୀ ଶ୍ରିଦିପ୍ ମିଶ୍ର ଶୁଭାରମ୍ଭ କରିଥିଲେ ।

ଚଳିତ ବର୍ଷର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ବିଷୟବସ୍ତୁ “Lived Experiences Heard: Real Voices, Real Change” ରହିଛି । ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଅନୁଭୂତି ଥିବା ବ୍ୟକ୍ତିମାନଙ୍କ କଥା ଶୁଣିବା ଏବଂ ସେମାନଙ୍କ ଅନୁଭୂତିକୁ ମାନସିକ ସ୍ୱାସ୍ଥ୍ୟ ନୀତି, ସେବା ଓ ନିଷ୍ପତ୍ତି ଗ୍ରହଣରେ ଗୁରୁତ୍ୱ ଦେବା ଉପରେ ଏହି ବର୍ଷ ଗୁରୁତ୍ୱ ଦିଆଯାଇଛି । କାର୍ଯ୍ୟକ୍ରମରେ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ, ମାନସିକ ଚାପ,

ଅବସାଦ, ଚିନ୍ତା ଓ ଅନ୍ୟାନ୍ୟ ମାନସିକ ସମସ୍ୟା ସମ୍ପର୍କରେ ସଚେତନତା ପ୍ରଦାନ କରାଯାଇଥିଲା । ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସମାଜରେ ଥିବା ଭ୍ରାନ୍ତ ଧାରଣା ଓ ଅପବାଦକୁ ଦୂର କରିବା ସହ ଆବଶ୍ୟକ ସମୟରେ ଯୋଗ୍ୟ ଡାକ୍ତର ଓ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଥିଲା ।

ଏହି ଅବସରରେ ଆଇନଜୀବୀଙ୍କ ପକ୍ଷରୁ ମାନସିକ ସ୍ୱାସ୍ଥ୍ୟ ସହିତ ଜଡ଼ିତ ‘ମାନବ ଅଧିକାର, ଆଇନଗତ ସୁରକ୍ଷା, ମର୍ଯ୍ୟାଦା ଓ ଭେଦଭାବରୁ ସୁରକ୍ଷା’ ସମ୍ପର୍କରେ ମଧ୍ୟ ଆଇନ ସଚେତନତା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ତାଲୁକ୍ ଆଇନ୍ ସେବା କମିଟିର ପ୍ରତିନିଧି, ପ୍ୟାନେଲ୍ ଆଇନଜୀବୀ, ଯଥା ଶ୍ରୀ ସୁବାଷ ଚନ୍ଦ୍ର ଜେନା, ପ୍ରିୟବ୍ରତ ପ୍ରହରାଜ, କୃପାସିନ୍ଧୁ ବେହେରା ଓ ସୁଦର୍ଶନ ମାନସିଂହ, ପାରାଲିଗାଲ୍ ଭଲ୍ୟୁଣ୍ଟିୟର୍ସ (PLVs), ଆଶାକର୍ମୀ, ମେଡିକାଲ୍ ଆସୋସିଏଟ୍ ଷ୍ଟାଫ୍ ,

ଡକ୍ଟର ଦେବାଶିଷ ଏବଂ ଅନ୍ୟାନ୍ୟ ଉପସ୍ଥିତ ବ୍ୟକ୍ତିମାନେ ଯୋଗଦେଇଥିଲେ । ସମସ୍ତଙ୍କୁ ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ସହ ମାନସିକ ସମସ୍ୟାରେ ପୀଡ଼ିତ ବ୍ୟକ୍ତିଙ୍କୁ ଅବହେଳା କିମ୍ବା ଭେଦଭାବ ନକରି ସହାନୁଭୂତି, ସମ୍ମାନ ଓ ଆବଶ୍ୟକ ସହଯୋଗ ପ୍ରଦାନ କରିବାକୁ ଆହ୍ୱାନ କରାଯାଇଥିଲା । ତାଲୁକ୍ ଆଇନ୍ ସେବା କମିଟି, ରଣପୁର ପକ୍ଷରୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ “ମାନସିକ ସ୍ୱାସ୍ଥ୍ୟ ମଧ୍ୟ ସ୍ୱାସ୍ଥ୍ୟର ଏକ ଅବିଚ୍ଛେଦ୍ୟ ଅଂଶ” ବୋଲି ସଚେତନତା ସୃଷ୍ଟି କରାଯାଇଥିଲା ।















