No Result
View All Result

ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଓଡ଼ିଶା ବନ୍ଦର ପ୍ରଭାବରେ ଗୁରୁବାର ବାଲିଗୁଡ଼ା ସହରର ସ୍ୱାଭାବିକ ଜନଜୀବନ ଏକପ୍ରକାର ଅଚଳ ହୋଇପଡ଼ିଛି। ସହରର ପ୍ରମୁଖ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ତାଲା ଝୁଲିଥିବାବେଳେ ରାସ୍ତାରେ ଯାନବାହାନ ଚଳାଚଳ ମଧ୍ୟ ଉଲ୍ଲେଖନୀୟ ଭାବେ କମିଯାଇଥିଲା । ଏହାର ସିଧାସଳଖ ପ୍ରଭାବ ସହରର ଦୈନନ୍ଦିନ ଜୀବନଯାତ୍ରା ଉପରେ ପଡ଼ିଛି । ବନ୍ଦକୁ କେବଳ ଦୋକାନବଜାର ବନ୍ଦରେ ସୀମିତ ନରଖି ବାଲିଗୁଡ଼ାରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଏହି ୧୨ଘଣ୍ଟିଆ ବନ୍ଦକୁ ସଫଳ କରିବା ଉଦ୍ଦେଶ୍ୟରେ ଦଳ ପକ୍ଷରୁ ମୋଟରସାଇକେଲ ରାଲି କରାଯାଇ ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରାଯାଇଥିଲା । ଦଳୀୟ ନେତା ଓ କର୍ମୀମାନେ ଲୋକଙ୍କୁ ବନ୍ଦକୁ ସମର୍ଥନ କରିବାକୁ ଆହ୍ୱାନ ଦେଇଥିଲେ ।

ବାଲିଗୁଡ଼ା କଂଗ୍ରେସ ସଭାପତି କାମରାଜ ଦିଗାଲଙ୍କ ନେତୃତ୍ୱରେ ଏହି ବନ୍ଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ନଗର କଂଗ୍ରେସ ସଭାପତି ସାଗର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ବକ୍ସି, ନଗର କଂଗ୍ରେସ ଉପସଭାପତି ଭୀମ ବିନ୍ଧାଣି, ନଗର କଂଗ୍ରେସ ସେବାଦଳ ଅଧ୍ୟକ୍ଷ ତଥା ପିସିସି ମିଡିଆ ସେଲ୍ ସଦସ୍ୟ ସାମୁଏଲ ପ୍ରଧାନ, ନଗର କଂଗ୍ରେସ କୃଷକ ମୋର୍ଚ୍ଚା ସଭାପତି ଶରତ ଚନ୍ଦ୍ର ଦିଗାଲ, ବରିଷ୍ଠ ନେତା ଦେବବ୍ରତ ସିଂହଦେଓ (ଟିପୁ), ବିଚିତ୍ରାନନ୍ଦ ଆଚାର୍ଯ୍ୟ, ମନୋଜ କୁମାର ଆଚାର୍ଯ୍ୟ, ଟୁଟୁ ଆଚାରୀ, କେ. ବଳରାମ ଦୋରା, ଶିବରାମ ପ୍ରଧାନୀ, ଜିଲ୍ଲା ଏସ୍ଟି ସେଲ୍ ଅଧ୍ୟକ୍ଷ ବିଜେଶ୍ୱର ମଲିକ, ମନୋଜ ସାହୁ, ମହେଶ ମଲିକଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ । ବନ୍ଦ ପ୍ରଭାବରେ ଆଖପାଖ ଗ୍ରାମାଞ୍ଚଳରୁ ବାଲିଗୁଡ଼ାକୁ ଆସୁଥିବା ଲୋକଙ୍କ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିଲା ।

ବସ୍, ଅଟୋ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନ ଚଳାଚଳ କମିଯିବାରୁ ସହରର ବ୍ୟସ୍ତ ରାସ୍ତାଗୁଡ଼ିକ ଅପେକ୍ଷାକୃତ ଫାଙ୍କା ଦେଖାଯାଇଥିଲା। ସ୍କୁଲ ଓ କଲେଜ ବନ୍ଦ ରହିବା ଯୋଗୁଁ ଶିକ୍ଷାଦାନ ମଧ୍ୟ ପ୍ରଭାବିତ ହୋଇଥିଲା । ତେବେ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଥିଲା । ଆମ୍ବୁଲାନ୍ସ, ହସ୍ପିଟାଲ, ଔଷଧ ଦୋକାନ ଭଳି ଜରୁରୀ ସେବା ସ୍ୱାଭାବିକ ରଖିବା ସହ ପରୀକ୍ଷାର୍ଥୀ ଛାତ୍ରଛାତ୍ରୀଙ୍କ ଯାତାୟାତରେ ବାଧା ନଦେବାକୁ ଆୟୋଜକ ଙ୍କ ପକ୍ଷରୁ କୁହାଯାଇଥିଲା । ଅନ୍ୟ ପକ୍ଷରେ ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ ପୁଲିସ ପକ୍ଷରୁ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନଜର ରଖାଯାଇଥିଲା । ସମଗ୍ର ଘଟଣାକ୍ରମରେ ବାଲିଗୁଡ଼ା ରେ ବନ୍ଦର ପ୍ରଭାବ ସ୍ପଷ୍ଟ ହୋଇଥିବାବେଳେ ରାସ୍ତାକୁ ଓହ୍ଲାଇ କଂଗ୍ରେସ ନିଜର ସାଙ୍ଗଠନିକ ଶକ୍ତିର ମଧ୍ୟ ପ୍ରଦର୍ଶନ କରିଛି ।

No Result
View All Result