ଫୁଲବାଣୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କନ୍ଧମାଳ ଜିଲ୍ଲାର ପାରମ୍ପରିକ ହଳଦୀ ଚାଷ ସହ ନୂତନ ‘ସାଲେମ୍’ (Salem) କିସମ ହଳଦୀ ଚାଷର ପ୍ରସାର ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି ।

ଭୁବନେଶ୍ୱରଠାରେ MCL ର CSR (କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ୱ) ପଦକ୍ଷେପ ଅଧୀନରେ ଏହି MoU ସ୍ୱାକ୍ଷର କରାଯାଇଛି । ଏହି ଚୁକ୍ତିନାମାରେ MCL ପକ୍ଷରୁ ମହାପ୍ରବନ୍ଧକ (General Manager) ଶ୍ରୀ ଜ୍ୟୋତିର୍ମୟ ସିଂହ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦର ଡେପୁଟି ସିଇଓ (ORMAS) ଶ୍ରୀ ଗୁଣ୍ଡିଚା ବେହେରା ପ୍ରତିନିଧିତ୍ୱ କରି ସ୍ୱାକ୍ଷର କରିଛନ୍ତି ।
MoU ର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ :
କରକ୍ୟୁମିନ୍ର ଅଧିକ ମାତ୍ରା : ପ୍ରଚଳିତ ପାରମ୍ପରିକ ହଳଦୀ କିସମ ତୁଳନାରେ ଏହି ସାଲେମ୍ କିସମ ହଳଦୀରେ ଅଧିକ ମାତ୍ରାରେ ‘କରକ୍ୟୁମିନ୍’ (Curcumin) ରହିଛି, ଯାହା ଏହାର ଔଷଧୀୟ ଓ ବ୍ୟବସାୟିକ ମୂଲ୍ୟ ବୃଦ୍ଧି କରିବ । ଉଚ୍ଚ ଉତ୍ପାଦନ ଓ ଉତ୍ପାଦକତା: ଏହି ହଳଦୀ ଚାଷ ଦ୍ୱାରା ଜିଲ୍ଲାରେ ହଳଦୀର ଉତ୍ପାଦନ ଏବଂ ଉତ୍ପାଦକତା ହାର ଯଥେଷ୍ଟ ବୃଦ୍ଧି ପାଇବ ।
ଚାଷୀଙ୍କ ଆୟ ବୃଦ୍ଧି: ହଳଦୀର ଉନ୍ନତ ମାନ ଓ ଅଧିକ ଉତ୍ପାଦନ ଫଳରେ ସ୍ଥାନୀୟ କନ୍ଧମାଳ ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ସେମାନଙ୍କ ରୋଜଗାର ବୃଦ୍ଧି ପାଇବ । ଜିଲ୍ଲା ପ୍ରଶାସନ, କନ୍ଧମାଳ ଏବଂ MCL ର CSR ସହଯୋଗ ମାଧ୍ୟମରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା କନ୍ଧମାଳର ପ୍ରସିଦ୍ଧ ହଳଦୀ ଚାଷ ଏକ ନୂତନ ଦିଗ ଦେଖିବ ବୋଲି ଆଶା ପ୍ରକାଶ ପାଇଛି ।














