ଓଡ଼ିଶା ତାଜା ନ୍ୟୁଜ ( ୩ ଅକ୍ଟୋବର ଶନିବାର ) ବ୍ରହ୍ମପୁର :- ବେଗୁନିଆପଡା ସମସ୍ତଙ୍କ ମେସିନ ସଜାଡୁ ଥିବା ମଣିଷଟିର ନିଜ ମେସିନ ଅସଜଡ଼ା ହୋଇ ଖରାପ ହେଇଗଲା | ଅତୀତରେ ଯେ କୌଣସି ମେସିନ ହେଉ କି ତାଲାଚାବି ଅବା ବନ୍ଧୁକ ମରାମତି ହେଉ ସବୁଥିରେ ଧୁରନ୍ଧର ମଣିଷ ଏବେ କବର ଭିତରେ |ବେଗୁନିଆପଡା ବ୍ଲକର ଏକ ପରିଚିତ ନାମ ଭାସ୍କର ମହାରଣା l ଘର ଏହି ବ୍ଲକ ଅନ୍ତର୍ଗତ ବେଲପଡା ଗ୍ରାମରେ | ୭୫ବର୍ଷ ବୟସର ଅପରାହ୍ନରେ ମଧ୍ୟ୍ୟ ହାରିବା ଶିଖି ନଥିଲେ | ଅତୀତରେ ବାହାରୁ ଲାଇସେନ୍ସ ବନ୍ଧୁକ ତାଙ୍କ ନିକଟକୁ ଆଣି ମରାମତି କରୁଥିଲେ ବୋଲି ଲୋକେ କୁହନ୍ତି | ମରାମତି କିମ୍ବା ଯେ କୌଣସି ଯାନ୍ତ୍ରିକ ବସ୍ତୁ ନିର୍ମାଣ ପରେ ସେ କାହାକୁ ପାରିଶ୍ରମିକ ଦାବୀ କରୁନଥିଲେ | ଯେ ଯାହା ଦେଲା ତାକୁ ସାଦରେ ଗ୍ରହଣ କରୁଥିଲେ | ଯୁବକ ସମୟରେ ନିଜ ବିବାହ ପ୍ରସଙ୍ଗକୁ ପ୍ରତ୍ୟାଖାନ କରିଥିଲେ ବି ପରିବାର ଲୋକ ତାଙ୍କର ବିବାହ କରିଦେଇଥିଲେ | ପରେ ତାଙ୍କ ପତ୍ନୀଙ୍କୁ ସେ ବୁଝାଇ ତାଙ୍କୁ ଅଜଣା ରୋଗ ହୋଇଛି କହି ବାପ ଘରକୁ ପଠାଇ ଦେଇ ନିଜେ ଏକା ରହିଥିଲେ | ପରିବାର ଭିତରେ ୫ ଭାଇଙ୍କ ମଧ୍ୟରୁ ଭାସ୍କର ୪ର୍ଥ ଭାଇ ଥିଲେ l ବୟସ ଅଧିକ ହେବା ସହ ଦୁରାରୋଗରେ ପୀଡିତ ହେବା ପରେ ତାଙ୍କୁ ତାଙ୍କ ପରିବାର ଲୋକ ସମ୍ପୂର୍ଣ ଏକା କରିଦେବା ସହ ସେ ଏକା ଘରେ ଅସହାୟ ଅବସ୍ଥାରେ ପଡିରହିଥିଲେ |
ଗତ ୫ ମାସ ପୂର୍ବେ ତାଙ୍କ ଦେହ ଖରାପ ହେବା ସହ ତାଙ୍କୁ ଜ୍ୱର ହୋଇ ତାଙ୍କ ସ୍ୱାବ ଟେଷ୍ଟରେ ରିପୋର୍ଟ ପଜିଟିଭ ହେବା ପରେ ତାଙ୍କୁ ଚିକତ୍ସା ପାଇଁ କୋଭିଡ ହସ୍ପିଟାଲ ନେଇ ଚିକିତ୍ସା କରାଯାଇ ଭଲ ହେବା ପରେ ଘରକୁ ଫେରିଥିଲେ l ପରେ ସେ ଦୁର୍ବଳ ହେବା ସହ ଶଯ୍ୟାଶାୟୀ ହୋଇଗଲେ l ତାଙ୍କ ସେବା ଶୁଶ୍ରୁଷା କରିବା ପାଇଁ କେହି ସମ୍ପର୍କୀୟ ଆସିନଥିଲେ ଏପରିକି ନିଜ ଭାଇ ମଧ୍ୟ ପର କରିଦେଲେ l ଗ୍ରାମବାସୀଙ୍କ ସହାୟତାରେ ଜଣେ ସମ୍ପର୍କୀୟ ପୁତୁରା ସୂର୍ଯ୍ୟ ମହାରଣାଙ୍କୁ ଦାୟିତ୍ୱ ଦେଇଥିଲେ l କିନ୍ତୁ ସେ ସେବା ପାଇବା ପୂର୍ବରୁ ଘର ଭିତରେ ମୄର୍ତ୍ୟୁ ବରଣ କରିବା ପରେ ତାଙ୍କ ଭାଇ ମଧ୍ୟ ଶେଷରେ ସ୍ପର୍ଶ କରିନଥିଲେ | ତାଙ୍କ ଅଜଣା ରୋଗ ପାଇଁ ଶେଷରେ ତାଙ୍କୁ ଗ୍ରାମବାସୀଙ୍କ ସହଯୋଗରେ କବର ଦିଆଗଲା | ହିନ୍ଦୁ ସଂସ୍କାର ନୀତି ନିୟମକୁ ପରିତ୍ୟାଗ କରାଯାଇ ସୂର୍ଯ୍ୟଙ୍କ ଦ୍ୱାରା ଶେଷ ମାଟି ମୁଠାଏ ଦିଆଯାଇ ମାଟିରେ ଲୀନ ହୋଇଗଲେ ‘ଭାସ୍କର’ l ତାଙ୍କ ରହିବା ଘର ଏବେ ତାଲା ପଡିଛି l ସମସ୍ତଙ୍କ ମୁହଁରେ ଗୋଟିଏ କଥା ଆମ ଗାଁ କୁଶଳୀ କାରିଗର ଭାସ୍କର ସର୍ବଦା ଅନ୍ୟ ମାନଙ୍କ ମେସିନ ସଜାଡୁ ଥିବା ବେଳେ ଶେଷରେ ନିଜ ମେସିନ ସଜାଡି ନପାରି ଚାଲିଗଲା ( ରିପୋର୍ଟ- ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )