ସପ୍ତଦଶ ବିଧାନ ସଭାର ୭ମ ଅଧିବେଶନର ପ୍ରଥମ ଦିନ ରେ ଓଡ଼ିଶା ବିଧାନସଭା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି. ପ୍ର) :- ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୨୨ ତାରିଖ ମଙ୍ଗଳବାର ଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ପୂର୍ବାର୍ହ ୧୧ରେ ବାଚସ୍ପତି ସୁରମା ପାଢ଼ୀ ବିଧାନସଭା ଗୃହରେ ପହଂଚିବା ପରେ ରାଷ୍ଟ୍ରୀୟ ସଂଗୀତ ବନ୍ଦେ ମାତରମ୍ ଓ ଜାତୀୟ ସଙ୍ଗୀତ ଗାନରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା ।
ଗୃହର ନେତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ୨ ଜଣ ପୂର୍ବତନ ମନ୍ତ୍ରୀ ଦିବଂଗତ ଡମ୍ବୁର ମାଝୀ, ସୁଶାନ୍ତ ସିଂ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ସତ୍ୟ ଭୂଷଣ ସାହୁ, ପୂର୍ବତନ ସଦସ୍ୟ ରାମମୂର୍ତ୍ତି ଗମାଙ୍ଗ, ହାଜି ମହମ୍ମଦ ଆୟୁବ ଖାଁ, ଶିବାଜୀ ମାଝୀ ଙ୍କ ସମେତ ନିକଟରେ ନେପାଳରେ ଘଟିଥିବା ଜଳ ପ୍ରଳୟରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ।
ମୁଖ୍ୟମନ୍ତ୍ରୀ ସେହି ଦିବଂଗତଙ୍କ ସମ୍ପର୍କରେ ଅବତାରଣା କରି ଦୁଃଖ ପ୍ରକାଶ କରିଥିଲେ । ସେହି ଦିବଂଗତଙ୍କ ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳି କାମନା କରିବା ପରେ ଶୋକ ପ୍ରସ୍ତାବକୁ ସମର୍ଥନ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କଡ଼ାମ, ସିପିଆଇ ନେତା ଓ ବାଚସ୍ପତି ଶ୍ରୀମତୀ ପାଢ଼ୀ ଶୋକ ବ୍ୟକ୍ତ କରିବା ସହ ସମବେଦନା ଅର୍ପଣ କରିଥିଲେ । ଏହା ପରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।














