No Result
View All Result
ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତନ, ସୃଜନଶୀଳତା, ଗବେଷଣାମନସ୍କତା ଓ ପରୀକ୍ଷଣ ଦକ୍ଷତାର ବିକାଶ ଲକ୍ଷ୍ୟରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶା ପକ୍ଷରୁ ନୟାଗଡ଼ ହାଉସିଂ ବୋର୍ଡ ନିକଟସ୍ଥ ରାମକୃଷ୍ଣ ବିହାରସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ତଥା ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ନୟାଗଡ଼ ଜିଲ୍ଲା ପ୍ରମୁଖ ସମାଜସେବୀ ଶ୍ରୀଧର ସାହୁଙ୍କ ପୌରହିତ୍ୟରେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।

ବିଦ୍ଯାଳୟର ବିଜ୍ଞାନ ଗୁରୁଜୀ ପବିତ୍ର ସାହୁ ଓ ଦେବଦତ୍ତ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ଶକ୍ତି ସଞ୍ଚୟ, ବର୍ଜ୍ୟବସ୍ତୁ ପରିଚାଳନା, କୃଷି, ସ୍ୱାସ୍ଥ୍ୟ ଓ ଆଧୁନିକ ପ୍ରଯୁକ୍ତି ଆଦି ବିଷୟକୁ ନେଇ ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରକଳ୍ପ ଓ ମଡେଲ୍ ପ୍ରଦର୍ଶନ କରିଥିଲେ । ନିଜ ପ୍ରକଳ୍ପର ଉଦ୍ଦେଶ୍ୟ, କାର୍ଯ୍ୟପ୍ରଣାଳୀ ଓ ଉପଯୋଗିତା ସମ୍ପର୍କରେ ଛାତ୍ରଛାତ୍ରୀମାନେ ବିଚାରକଙ୍କୁ ବୁଝାଇଥିଲେ ।

ବିଜ୍ଞାନ ମେଳାର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ଯକ୍ଷ ପ୍ରକାଶ ଚନ୍ଦ୍ର ରାଉତ ଯୋଗଦେଇ ବିଶିଷ୍ଟ ବୈଜ୍ଞାନିକ ଥୋମାସ ଏଡିସନ୍ ଙ୍କ ଜୀବନୀ ବିଷୟରେ ଆଲୋଚନାକରି “ଅସଫଳତା ପ୍ରମାଣ କରେଯେ ସଫଳତା ପାଇଁ ପୂର୍ଣ୍ଣମାତ୍ରାରେ ପ୍ରୟାସ କରାଯାଇ ନାହିଁ” ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ଯାପକ ଗୋଲକ କୁମାର ନାୟକ ଯୋଗଦେଇ ଥିଲା ବେଳେ ବିଜ୍ଞାନମେଳାର ବିଚାରକ ତଥା ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷା ପ୍ରଶିକ୍ଷକ ରବିନାରାୟଣ ପାତ୍ର, ନୟାଗଡ଼ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ଯାପକ ଅସିତ୍ କୁମାର ନାୟକ,

ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଅନାଦି ଚରଣ ମହାନ୍ତି ଓ ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶରତ କୁମାର ନାୟକ ଯୋଗଦେଇ ବିଜ୍ଞାନ ପ୍ରକଳ୍ପଗୁଡ଼ିକର ମୂଲ୍ଯାୟନ କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରକଳ୍ପର ବିଷୟବସ୍ତୁ, ବୈଜ୍ଞାନିକ ଧାରଣା, ନୂତନତ୍ୱ, ପ୍ରୟୋଗିକ ଉପଯୋଗିତା ଓ ଉପସ୍ଥାପନାକୁ ଆଧାର କରି ମୂଲ୍ୟାୟନ କରାଯାଇଥିଲା । ମେଳା ମାଧ୍ୟମରେ ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକରେ ଶିଖିଥିବା ବିଜ୍ଞାନକୁ ବ୍ୟବହାରିକ ଜୀବନ ସହ ଯୋଡ଼ିବାର ସୁଯୋଗ ପାଇଥିଲେ ।
ଉତ୍କୃଷ୍ଟ ପ୍ରକଳ୍ପ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରୀୟ ବିଜ୍ଞାନ ମେଳା ପାଇଁ ଚୟନ କରାଯାଇ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ଭାପୁର ଓ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ର ଛାତ୍ରଛାତ୍ରୀ ମାନେ ବାଜିମାତ କରିଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ମାଳିସାହି,ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଧୁଆଁମଡା, ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ଖମାରସାହି, ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ମହତପଲ୍ଲା, ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ନନ୍ଦିଘୋର,
ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ହରେକୃଷ୍ଣପୁରର ଗୋଟିଏ ଗୋଟିଏ ପ୍ରକଳ୍ପ ରାଜ୍ଯ ସ୍ତରୀୟ ବିଜ୍ଞାନମେଳା ରେ ଯୋଗଦେବା ପାଇଁ ଚୟନ ହୋଇଛନ୍ତି । ଏଭଳି ମେଳା ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ଉଜାଗର କରିବା ସହ ବୈଜ୍ଞାନିକ ମନୋଭାବ ଓ ସମସ୍ୟା ସମାଧାନ କ୍ଷମତା ବିକାଶରେ ସହାୟକ ହେବ ବୋଲି ଅତିଥି ଓ ଶିକ୍ଷାପ୍ରେମୀମାନେ ମତ ପ୍ରକାଶ କରିଥିଲେ । ମେଳାର ସଫଳ ଆୟୋଜନ ପାଇଁ ଆୟୋଜକ ମାନଙ୍କ ପକ୍ଷରୁ ସମସ୍ତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ, ବିଚାରକ ଓ ଅତିଥିମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

No Result
View All Result