ରଣପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରଣପୁର ବ୍ଲକ ଅନ୍ତର୍ଗତ ନରସିଂହପୁର କ୍ଲଷ୍ଟରର ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ତ୍ୱାବଧାନରେ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିନୋଦିନୀ କୁଣ୍ଡଙ୍କ ସହଯୋଗରେ ଆୟୋଜିତ ଏହି ବୈଠକରେ କ୍ଲଷ୍ଟର ଅଧୀନସ୍ଥ ବିଦ୍ୟାଳୟଗୁଡ଼ିକର ଶିକ୍ଷାଦାନ, ଶିକ୍ଷଣ ଫଳାଫଳ ଓ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା ।

ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଠକକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସେ ବୈଠକର ବିଭିନ୍ନ ବିଷୟବସ୍ତୁ ସହିତ ୟୁଡାଇସ୍, ଉଲ୍ଲାସ, ସ୍ୱଚ୍ଛତା କାର୍ଯ୍ୟକ୍ରମ ଆଦିର ସଠିକ୍ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ସରକାରୀ ନିର୍ଦ୍ଦେଶନାମାକୁ ଗୁରୁତ୍ୱର ସହ ଗ୍ରହଣ କରି ସମୟାନୁସାରେ କାର୍ଯ୍ୟକାରୀ କରିବାକୁ ସେ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ବୈଠକର ଅନ୍ୟତମ ଆକର୍ଷଣ ଥିଲା ଜୁଲାଇ ଓ ଅଗଷ୍ଟ ମାସର ଶିକ୍ଷଣ ସୋପାନ ପ୍ରଦର୍ଶନର ମୂଲ୍ୟାଙ୍କନ। ବିଦ୍ୟାଳୟଗୁଡ଼ିକର ଶିକ୍ଷଣ ସୋପାନର ଗୁଣାତ୍ମକ ମାନ ଓ ନିୟମିତ ଲିପିବଦ୍ଧକରଣକୁ ଆଧାର କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଚୟନ କରାଯାଇଥିଲା | ଏଥିରେ ସମନ୍ତରାପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଉର୍ମିଳା ଦେଇ ପ୍ରଥମ ସ୍ଥାନ,

ହଂସରା ପ୍ରାଥମିକ ବିଦ୍ୟାଳୟର ପୂର୍ଣଚନ୍ଦ୍ର ପତି ଓ ସରୋଜିନୀ ଖୁଣ୍ଟିଆ ଦ୍ଵିତୀୟ ସ୍ଥାନ ଏବଂ ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟର ଆଶମଣୀ ସାମନ୍ତରାୟ ତୃତୀୟ ସ୍ଥାନ ହାସଲ କରିଥିଲେ | ସମସ୍ତ କୃତୀ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ମାନ ଅନ୍ୟ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଓ ଉନ୍ନତ ଶିକ୍ଷଣ ପ୍ରକ୍ରିୟା ପାଇଁ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଥିଲା ।

ବୈଠକ ଅବସରରେ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ଗ୍ୟାଲେରୀ ୱାକ୍ ପ୍ରଦର୍ଶନକୁ ବ୍ଲକ ଶିକ୍ଷା ଅଧିକାରୀ ପର୍ଯ୍ୟବେକ୍ଷଣ କରିଥିଲେ। ବିଦ୍ୟାଳୟଗୁଡ଼ିକର ଶିକ୍ଷଣ ସୋପାନ ସଠିକ୍ ଭାବରେ ଲିପିବଦ୍ଧ ହେଉଛି କି ନାହିଁ, ସେ ସମ୍ପର୍କରେ ମଧ୍ୟ ସେ ତଦାରଖ କରିଥିଲେ । ଏହି ଅବସରରେ ଶିକ୍ଷକ ଭ୍ରମରବର ତାଡ଼ଙ୍କ ଦ୍ୱାରା ପ୍ରଦର୍ଶିତ ମଡେଲ୍ ଶିକ୍ଷାଦାନ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା। ତାଙ୍କର ଶିକ୍ଷାଦାନ ପ୍ରଣାଳୀକୁ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ପ୍ରଶଂସା କରିଥିଲେ ।

ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ମାଝୀ ଏବଂ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଓ ସୂଚନାକୁ ଠିକ୍ ସମୟରେ ଓ ନିଷ୍ଠାର ସହ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ ନରସିଂହପୁର କ୍ଲଷ୍ଟରରେ ବିଭିନ୍ନ ଶିକ୍ଷାମୂଳକ ଓ ସରକାରୀ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହେଉଥିବା ନେଇ ସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହି ଧାରାକୁ ଆହୁରି ମଜବୁତ କରିବାକୁ ପରାମର୍ଶ ଦେଇଥିଲେ ।















