ବାଲିପାଟଣା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଚାନ୍ଦୁଆ କେବଳ ରଙ୍ଗ ବେରଙ୍ଗର କପଡା ନୁହେଁ, ଏହା ମହାପ୍ରଭୁଙ୍କୁ ସମର୍ପିତ ପ୍ରସାଦ । ଏହା ଆମ ସଂସ୍କୃତିର ମୌଳିକ ବାର୍ତ୍ତା ବହନ କରେ । ଯେଉଁ କାରିଗରମାନେ ଏହା ପ୍ରସ୍ତୁତ କରନ୍ତି ସେମାନଙ୍କ ପ୍ରତି ବିଶ୍ୱକର୍ମାଙ୍କ ଆଶୀର୍ବାଦ ରହିଛି ।

ଆଜିକାର ପ୍ରତିଯୋଗିତାମୂଳକ ସମୟରେ ଉତ୍ପାଦନ ବଢ଼ାଇ ଆତ୍ମନିର୍ଭରଶୀଳ ହେବାକୁ ସମବାୟ ବିଭାଗ ପ୍ରୟାସ ଜାରି ରଖିଛି ବୋଲି ଭାକରସାହି ଠାରେ ଚାନ୍ଦୁଆ ଶିଳ୍ପୀ ମାନଙ୍କୁ ଉନ୍ନତ ସରଞ୍ଜାମମାନ ବଣ୍ଟନ କରି ହସ୍ତଶିଳ୍ପ ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ।

ଏହି ବ୍ଲକ ଅନ୍ତର୍ଗତ ଭାକରସାହି ଠାରେ ଉତ୍କଳିକାର ସଭାନେତ୍ରୀ ଦେବସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳିକାର ପରିଚାଳନା ନିର୍ଦେଶିକା ଚିନ୍ମୟୀ ବିଶ୍ୱାଳ, ଉପନିର୍ଦେଶକ ସନ୍ତୋଷ କୁମାର ମହାନ୍ତି, ଉପସଭାପତି ପ୍ରଶାନ୍ତ କୁମାର ମହାପାତ୍ର,

ସାଧାରଣ ପରିଚାଳକ ଶେଷଦେବ ଖଟୁଆ, ଉପ ନିର୍ଦେଶକ ଭୁବନ ଭାସ୍କର ପ୍ରମୁଖ ଯୋଗଦେଇ ୧୫୦ ଜଣ କାରିଗରଙ୍କୁ ସିଲେଇ ମେସିନ ଓ ଅନ୍ୟାନ୍ୟ ସରଞ୍ଜାମ ବଣ୍ଟନ କରି ସେବା ଆମର ସଂକଳ୍ପ ଓ ପ୍ରଗତି ଆମର ପ୍ରତିଶୃତି ବୋଲି କହିଥିଲେ।

ସାରା ରାଜ୍ୟରେ କାଠ, ପଥର, ସିଂଘ, ଲୌହ, ମୃତିକା ଓ ପିତଳ ପ୍ରଭୃତି ବିଭିନ୍ନ ହସ୍ତଶିଳ୍ପ କାରିଗରଙ୍କୁ ୧୨୦୦ କିଟସ ବଣ୍ଟନ କରାଯାଇଥିବା ବକ୍ତାମାନେ ସୂଚନା ଦେଇଥିଲେ। ବହୁ ସଂଖ୍ୟାରେ ସ୍ଥାନୀୟ କାରିଗରମାନେ ଆଜିର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।















