ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ଗଛରେ ଟାଙ୍ଗିଦେଇଥିବା ଅଭିଯୋଗ ।
ଟାଙ୍ଗୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ଗଛରେ ଟାଙ୍ଗିଦେଇଥିବା ଅଭିଯୋଗ । ରଣପୁର ଥାନା ନୋତର ପଞ୍ଚାୟତ କୋଡିଏ କାହାଣିଆ ଗାଁର ମାନସ କୁମାର ବେହେରା ଗତକାଲି କୌଣସି କାମରେ ଭୁବନେଶ୍ୱର ଯାଇଥିଲେ । ବହୁ ସମୟ ଧରି ଘରକୁ ନଫେରିବା ସହ ତାଙ୍କ ମୋବାଇଲ୍ ଫୋନ୍ ସ୍ୱିଚ୍ ଅଫ୍ ଆସିବାରୁ ପରିବାର ଲୋକଙ୍କ ସନ୍ଦେହ ବଢ଼ିଥିଲା ।

ପରେ ପରିବାର ଲୋକେ ବହୁ ଖୋଜାଖୋଜି କରି ମାନସଙ୍କୁ ନପାଇବାରୁ ରଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ସକାଳୁ ରଣପୁର ଥାନା ନିକଟସ୍ଥ ଭାଲିଆ ତଇଲା ଜଙ୍ଗଲକୁ କିଛି ଲୋକ କାଠ ସଂଗ୍ରହ ପାଇଁ ଯାଉଥିବା ବେଳେ ଏକ କାଜୁ ଗଛରେ ଜଣେ ଯୁବକ ଝୁଲୁଥିବା ଦେଖିଥିଲେ । ଏହାପରେ ସେମାନେ ଭୟଭୀତ ହୋଇ ମାନସଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ସହ ରଣପୁର ପୋଲିସକୁ ସୂଚନା ଦେଇଥିଲେ ।
ସୂଚନା ପାଇ ରଣପୁର ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛନ୍ତି । ସେପଟେ ମାନସଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ସହ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି । ତେବେ ଯୁବକଙ୍କ ମୃତ୍ୟୁର ପ୍ରକୃତ କାରଣ ଓ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ପୋଲିସ ତଦନ୍ତ ପରେ ଜଣାପଡ଼ିବ ।














