ଖଣ୍ଡପଡ଼ା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପାଖେଇ ଆସିଲାଣି ପାର୍ବଣ ଋତୁ। ଏହାର ଆଗମନରେ ଚଳଚଞ୍ଚଳ କାରିଗର । ଖଣ୍ଡପଡାରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା ଠାରୁ ଆରମ୍ଭ ହୋଇ ଭାଦ୍ରବ ମାସ ଖୁଦୁରୁକୁଣୀ ଓଷା,ମାର୍ଗଶୀର ମାସର ମାଣବସା ଲକ୍ଷ୍ମୀପୂଜା ପର୍ଯ୍ୟନ୍ତ ଚାଲିବ ପୂଜା ପର୍ବର ଧାରା । ଏହି ସମସ୍ତ ମୂର୍ତ୍ତି କାରିଗରଙ୍କ ପାଇଁ ଆୟର ପ୍ରମୁଖ ସମୟ। ତେବେ କଞ୍ଚା ମାଲର ଦରବୃଦ୍ଧି, ମୂର୍ତ୍ତି ତିଆରିରେ ବଢ଼ୁଥିବା ଖର୍ଜ ଏବଂ ଆବଶ୍ୟକ ସରକାରୀ ପ୍ରୋତ୍ସାହନର ଅଭାବ ଯୋଗୁଁ ଏହି ପାରମ୍ପରିକ କୌଳିକ ବୃତି ଏବେ ସଂକଟରେ ପଡ଼ିଛି ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ମୂର୍ତି କାରିଗରମାନେ ନିଜ କାରିଗରଶାଳାରେ ବିଭିନ୍ନ ପ୍ରକାରର ମୂର୍ତି ନିର୍ମାଣରେ ବ୍ୟସ୍ତ ଅଛନ୍ତି । ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଳକ୍ ସମେତ ଖଣ୍ଡପଡ଼ା ସହରର ଅଧିକାଂଶ ଅଞ୍ଚଳର ମୂର୍ତି ଆବଶ୍ୟକତା ଏହି କାରିଗରଙ୍କ ଉପରେ ନିର୍ଭରଶୀଳ। ଏବେ ଖୁଦୁରୁକୁଣୀ ଆରମ୍ଭ ହୋଇଯାଇଥିବା ବେଳେ ପରେ ଗଣେଶ ପୂଜା ତାପରେ ବିଶ୍ୱକର୍ମା ପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା ଓ କାର୍ତ୍ତିକେଶ୍ୱର ପୂଜା ଭଳି ପର୍ବ ଆସୁଥିବାରୁ ଏବେଠାରୁ କାରିଗରମାନେ ଦିନରାତି ମୂର୍ତି ତିଆରିରେ ଲାଗି ପଡ଼ିଛନ୍ତି। ଖଣ୍ଡପଡ଼ା , ଖଳି ସାହି,ବେଣା ଗାଡିଆ, କଣ୍ଟିଲୋ ଆଦି ଅଞ୍ଚଳରେ ମଧ୍ୟ ଅନେକ ପରିବାର ଏହି ବୃତ୍ତି ଉପରେ ନିର୍ଭର କରି ଆସୁଛନ୍ତି ।

କାରିଗରମାନଙ୍କ କହିବାନୁଯାୟୀ, ବାପା ଓ ଜେଜେ ଙ୍କଠାରୁ ଶିଖିଥିବା ଏହି କଳାକୁ । ସେମାନେ ପିଢ଼ି ପରେ ପିଢ଼ି ଜୀବିକା ଭାବେ ଆପଣାଇଛନ୍ତି। ପୂର୍ବ ଅପେକ୍ଷା ମୂର୍ତିର ଚାହିଦା ଓ ବିକ୍ରି ବଢ଼ିଥିଲେ ମଧ୍ୟ ଆୟ ସେହି ଅନୁପାତରେ ବଢୁନାହିଁ । ମାଟି, ନଡ଼ା, ରଙ୍ଗ, ବାଉଁଶ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ଦର ବଢ଼ିଥିବାରୁ ମୂର୍ତି ତିଆରି ଖର୍ଜ ବହୁଗୁଣିତ ହୋଇଛି। ଫଳରେ ଦିନରାତି ପରିଶ୍ରମ କରି ମଧ୍ୟ ଆଶାନୁରୂପ ଲାଭ ମିଳୁନାହିଁ। ଅନ୍ୟପକ୍ଷରେ ଏହି ବୃତ୍ତି ପ୍ରତି ଯୁବ ପିଢ଼ିର ଆଗ୍ରହ ମଧ୍ଯ କମିବାରେ ଲାଗିଛି । ମୂର୍ତ୍ତି ତିଆରିରେ ନିଶ୍ଚିତ ଆୟ ନ ଥିବାରୁ ଅନେକ ଯୁବକ ଅନ୍ୟତ୍ର ଯାଇ କାମ ଧନ୍ଦା ରେ ଦାଦନ ଖଟିବାକୁ ବାଧ୍ୟ ରେ ଯାଉଛନ୍ତି ।

ଏହା ଫଳରେ ପାରମ୍ପରିକ କୌଳିକ ବୃତ୍ତି ପାଇଁ ଆଗାମୀ ଦିନରେ ଧୀରେଧୀରେ କାରିଗର ମାନଙ୍କ ବୃତ୍ତି ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି । ଏଠାରେ ସାଧାରଣ ରେ ଚର୍ଚା ସରକାରଙ୍କ ପକ୍ଷରୁ ହସ୍ତଶିଳ୍ପ ଓ ପାରମ୍ପରିକ କଳାକୁ ପ୍ରୋତ୍ସାହନ ଦେବା ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ ମେଳା ଆୟୋଜନ କରାଯାଇଛି । ହେଲେ ବାସ୍ତବ କ୍ଷେତ୍ରରେ ଏହାର ସୁଫଳ ସମସ୍ତ କାରିଗରଙ୍କ ପାଖରେ ପହଞ୍ଚୁ ନଥିବା ଅଭିଯୋଗ ହୋଇଛି ଏଥି ପ୍ରତି ବିଭାଗ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଉନଥିବା ଅଭିଯୋଗ। ଖାଉଟି ରାସନ କାର୍ଡ,ଆବାଶ ଗୃହ ନିର୍ମାଣ ଯୋଜନାରେ ସାମିଲ ହେବାକୁ ଆବେଦନ କରି ଛନ୍ତି ଦୀର୍ଘ ଦିନ ଧରି ହେଲେ ସରକାରଙ୍କ ପକ୍ଷରୁ ହସ୍ତଶିଳ୍ପ ଓ କୂଶଳି କାରିଗର ମାନଙ୍କ ପାଇଁ ନଜର ନାହିଁ ।

ଋଣ ପାଇଁ ବ୍ୟାଙ୍କକୁ ଗଲେ ବିଭିନ୍ନ କାଗଜପତ୍ର ମଗାଯାଇଥିବାରୁ ଅନେକ କାରିଗର ରଣ ପାଇବାରୁ ବଞ୍ଚିତ ହେଉଥିବା କହିଛନ୍ତି । ଫଳରେ ନିଜସ୍ବ ପୁଞ୍ଜି ନଥିବା କାରିଗରମାନେ ଧାରକରଜ କରି ମୂର୍ତି ତିଆରି କରୁଛନ୍ତି । କାରିଗରମାନଙ୍କ ଦାବି ସରକାରୀ ବିଭାଗର ଅଧୀକାରୀମାନେ ମୂର୍ତ୍ତି କାରିଗରଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝିବା ସହ ସହଜରେ ରଣ, ଆର୍ଥିକ ସହାୟତା, କଞ୍ଚାମାଲ ଓ ବଜାର ସୁବିଧା ଯୋଗାଇଦେବା ଆବଶ୍ୟକ । ଏଭଳି ପଦକ୍ଷେପ ନିଆଗଲେ କେବଳ କାରିଗର ପରିବାରଗୁଡ଼ିକର ଜୀବିକା ସୁଦୃଢ଼ ହେବ ନାହିଁ, ଆଗାମୀ ପିଢ଼ି ମଧ୍ୟ ଏହି ପାରମ୍ପରିକ କଳା ପ୍ରତି ଆକୃଷ୍ଟ ହେବ ବୋଲି କାରିଗରମାନେ ପ୍ରକାଶ କରିଛନ୍ତି ।














