No Result
View All Result
ଶେଷ ଶ୍ରାବଣର ଅଫେରା ମାଝୀ’ରେ ଝଙ୍କୃତ ହେଲା କିମ୍ବଦନ୍ତୀ କଣ୍ଠଶିଳ୍ପୀଙ୍କ ଅମର ସ୍ୱର
ଶ୍ୟାମମଣି ଦେବୀଙ୍କୁ ‘ପ୍ରଣବ ପଟ୍ଟନାୟକ ସ୍ମାରକୀ ସ୍ମୃତି ସମ୍ମାନ’

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଓଡ଼ିଆ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତର କିମ୍ବଦନ୍ତୀ କଣ୍ଠଶିଳ୍ପୀ ସ୍ୱର୍ଗତ ପ୍ରଣବ କିଶୋର ପଟ୍ଟନାୟକଙ୍କ ସ୍ମୃତିରେ ଭୁବନେଶ୍ୱରର ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ‘ଶେଷ ଶ୍ରାବଣର ଅଫେରା ମାଝୀ’ ଶୀର୍ଷକ ଏକ ବୃହତ୍ ସାର୍ବଜନୀନ ଶ୍ରଦ୍ଧାଞ୍ଜଳି ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ସନ୍ଧ୍ୟାର ଆୟୋଜନ କରିଥିଲେ ଏକାମ୍ର-ଭୁବନେଶ୍ୱରର ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ ।

କାର୍ଯ୍ୟକ୍ରମକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ କଳା, ସାହିତ୍ୟ ଓ ସଙ୍ଗୀତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ, କଳାକାର ଓ ସଙ୍ଗୀତପ୍ରେମୀ ଉପସ୍ଥିତ ରହି ସ୍ୱର୍ଗତ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ପ୍ରଣବ କିଶୋର ପଟ୍ଟନାୟକ ଓଡ଼ିଆ ସଙ୍ଗୀତ ଜଗତର ଏକ ଅମର ଅଧ୍ୟାୟ । ୨୦ ଜାନୁଆରୀ ୧୯୩୮ରେ କଟକରେ ଜନ୍ମଗ୍ରହଣ କରିଥିବା ଏହି ମହାନ କଣ୍ଠଶିଳ୍ପୀ ୨୧ ଅଗଷ୍ଟ ୨୦୨୬ରେ ୮୮ ବର୍ଷ ବୟସରେ ଭୁବନେଶ୍ୱରରେ ପରଲୋକ ଗମନ କରିଥିଲେ ।
ଛଅ ଦଶନ୍ଧିରୁ ଅଧିକ ସମୟ ଧରି ସଙ୍ଗୀତ ସାଧନା କରି ସେ ୨୦୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରି ଓଡ଼ିଆ ସିନେମା ଓ ସଙ୍ଗୀତ ଜଗତକୁ ସମୃଦ୍ଧ କରିଥିଲେ । ଚଳଚ୍ଚିତ୍ର ସଙ୍ଗୀତଠାରୁ ଆରମ୍ଭ କରି ଓଡ଼ିଶୀ, ଭଜନ, ଲୋକଗୀତ, ଅର୍ଦ୍ଧ-ଶାସ୍ତ୍ରୀୟ ଓ ଗଜଲ ବିଭିନ୍ନ ସଙ୍ଗୀତ ଧାରାରେ ତାଙ୍କର ଅନନ୍ୟ କଣ୍ଠସ୍ୱର ଶ୍ରୋତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା ।

ଓଡ଼ିଶାର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ‘ଜୟଦେବ ସମ୍ମାନ’ ସହିତ ସେ ଏକାଧିକ ଥର ଶ୍ରେଷ୍ଠ ପୁରୁଷ ପ୍ରଚ୍ଛଦପଟ ଗାୟକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ବାବୁ ସିଂ କହିଥିଲେ ଯେ, ପ୍ରଣବ ପଟ୍ଟନାୟକ କେବଳ ଜଣେ ଗାୟକ ନୁହେଁ, ସେ ଓଡ଼ିଆ ଜାତିର ସଙ୍ଗୀତ ଐତିହ୍ୟର ଏକ ଅମୂଲ୍ୟ ସମ୍ପଦ । ତାଙ୍କ ସ୍ୱର ଆମ ହୃଦୟରେ ସବୁଦିନ ଜୀବନ୍ତ ରହିବ।
ଏକାମ୍ର-ଭୁବନେଶ୍ୱରର ବାସିନ୍ଦା ଭାବେ ତାଙ୍କ ପରଲୋକ ପରେ ରାଜଧାନୀରେ ପ୍ରଥମ ସାର୍ବଜନୀନ ଶ୍ରଦ୍ଧାଞ୍ଜଳି ଉତ୍ସବ ଆୟୋଜନ କରିବା ଆମ ପାଇଁ ସୌଭାଗ୍ୟର ବିଷୟ । ସେ ଆହୁରି କହିଥିଲେ ଯେ, କଳା ଓ ସଂସ୍କୃତି ସହିତ ତାଙ୍କର ଦୀର୍ଘଦିନର ସମ୍ପର୍କ ରହିଛି।ରାଜନୀତିରେ ପୂର୍ଣ୍ଣକାଳୀନ ଭାବେ ପ୍ରବେଶ କରିବା ପୂର୍ବରୁ ସେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜନା ସହିତ ଜଡ଼ିତ ଥିବା ସହ ଓଡ଼ିଆ ସିନେମା,
ଯାତ୍ରା ଓ ପାରମ୍ପରିକ ସଂସ୍କୃତି ପ୍ରତି ତାଙ୍କର ଗଭୀର ଆଗ୍ରହ ରହିଛି । ତେଣୁ ପ୍ରଣବ ପଟ୍ଟନାୟକଙ୍କ ଭଳି ଜଣେ ମହାନ କଳାକାରଙ୍କୁ ତାଙ୍କ ଅମର ସୃଷ୍ଟି ଓ ସଙ୍ଗୀତ ମାଧ୍ୟମରେ ସ୍ମରଣ କରିବା ତାଙ୍କର ନୈତିକ ଦାୟିତ୍ୱ ବୋଲି ସେ କହିଥିଲେ । ତାଙ୍କ କଣ୍ଠରେ ଓଡ଼ିଶା ନିଜକୁ ଶୁଣିଛି, ନିଜ ମାଟିର ଗନ୍ଧ ଅନୁଭବ କରିଛି ଏବଂ ନିଜ ସଂସ୍କୃତିର ଗୌରବକୁ ଅନୁଭବ କରିଛି ।
ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। କିନ୍ତୁ ଜଣେ ମହାନ କଳାକାର କେବେ ବିଦାୟ ନିଅନ୍ତି ନାହିଁ; ତାଙ୍କ ସୃଷ୍ଟି ଓ ସ୍ୱର ମାଧ୍ୟମରେ ସେ ପିଢ଼ି ପରେ ପିଢ଼ି ଜୀବନ୍ତ ରହନ୍ତି।ପ୍ରଣବ ବାବୁ ଏକାମ୍ର-ଭୁବନେଶ୍ୱରର ବାସିନ୍ଦା ଥିଲେ। ତେଣୁ ତାଙ୍କ ପରଲୋକ ପରେ ରାଜଧାନୀ ଭୁବନେଶ୍ୱରରେ ତାଙ୍କ ପ୍ରତି ଏକ ବୃହତ୍ ସାର୍ବଜନୀନ ଶ୍ରଦ୍ଧାଞ୍ଜଳି ଆୟୋଜନ କରିବା ମୋ ପାଇଁ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ମୋର ଶ୍ରଦ୍ଧା, ଦାୟିତ୍ୱ ଓ ଭାବନାର ପ୍ରକାଶ ।
ତାଙ୍କ ସୁରକୁ ସ୍ମରଣ କରିବା ଅର୍ଥ ଆମ ଓଡ଼ିଆ ସଙ୍ଗୀତ ଐତିହ୍ୟକୁ ସମ୍ମାନ ଦେବା । ଆଜିର ଏହି ‘ଶେଷ ଶ୍ରାବଣର ଅଫେରା ମାଝୀ’ ତାଙ୍କ ପ୍ରତି ଆମ ସମସ୍ତଙ୍କର ଏକ ଛୋଟ ଶ୍ରଦ୍ଧାସୁମନ । ଆମର ଉଦ୍ଦେଶ୍ୟ କେବଳ ପ୍ରଣବ ପଟ୍ଟନାୟକଙ୍କୁ ସ୍ମରଣ କରିବା ନୁହେଁ; ତାଙ୍କ ସଙ୍ଗୀତ ସାଧନାର ମୂଲ୍ୟବୋଧକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ।
ତାଙ୍କ ଗୀତ ଆମ ଘରେ, ଆମ ହୃଦୟରେ ଓ ଆମ ସଂସ୍କୃତିରେ ଆହୁରି ଦୀର୍ଘଦିନ ଧରି ଗୁଞ୍ଜରିତ ହେଉ ଏହା ହିଁ ଆଜିର ଶ୍ରଦ୍ଧାଞ୍ଜଳିର ସାର୍ଥକତା ବୋଲି ସେ କହିଥିଲେ । ଏହି ଅବସରରେ ପ୍ରଥମ ‘ପ୍ରଣବ ପଟ୍ଟନାୟକ ସ୍ମାରକୀ ସ୍ମୃତି ସମ୍ମାନ’ ସୁର ସାମ୍ରାଜ୍ଞୀ ଶ୍ରୀମତୀ ଶ୍ୟାମମଣି ଦେବୀଙ୍କୁ ପ୍ରଦାନ କରାଯାଇଥିଲା ।

ପ୍ରଣବ ପଟ୍ଟନାୟକଙ୍କ ସଙ୍ଗୀତ ସାଧନା ଓ ଓଡ଼ିଆ ସଙ୍ଗୀତ ଜଗତ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରି ଏହି ସମ୍ମାନ ପ୍ରଦାନ କରାଯାଇଛି । ଶ୍ରଦ୍ଧାଞ୍ଜଳି ସନ୍ଧ୍ୟାରେ ପ୍ରଣବ ପଟ୍ଟନାୟକଙ୍କ ଅମର ଗୀତଗୁଡ଼ିକୁ ପରିବେଷଣ କରିଥିଲେ ତୃପ୍ତି ଦାସ, ଅନିନ୍ଦିତା ଦାସ, ସୌରଭ ନାୟକ, ସିଦ୍ଧାର୍ଥ ମିଶ୍ର, ସିଦ୍ଧାନ୍ତ ଶତପଥୀ, ପ୍ରତିଭା ପ୍ରଧାନ, ମିତାଲି ଚିନରା, ନିଶାଦ ମିଶ୍ର, ଲିରିକା ସିଂ, ଶାନ୍ତନୁ ନାୟକ, ସୁଧୀରଞ୍ଜନ ମିଶ୍ର ଏବଂ ଛନ୍ଦା ମିଶ୍ର ।

ଗୀତଗୁଡ଼ିକର ସୁମଧୁର ପରିବେଷଣରେ ସମଗ୍ର ପରିବେଶ ଭାବବିହ୍ୱଳ ହୋଇଉଠିଥିଲା । ଏହି ଅବସରରେ ଇତି ସାମନ୍ତ,ତୃପ୍ତି ଦାସ, ଲକ୍ଷ୍ମୀକାନ୍ତ ପାଲିତ, ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପ୍ରଣବ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ ।

କାର୍ଯ୍ୟକ୍ରମର ମଞ୍ଚ ସଂଯୋଜନା କରିଥିଲେ ଡ଼. ଶ୍ରୀନିବାସ ଘଟୁଆରୀ ଏବଂ ମଞ୍ଚ ପରିଚାଳନା କରିଥିଲେ ଅତୀଶ ମହାନ୍ତି । ପ୍ରଣବ ପଟ୍ଟନାୟକଙ୍କ ଅମର କଣ୍ଠରେ ଗାଇଥିବା ଗୀତ ଓଡ଼ିଆ ମନରେ ସବୁଦିନ ଗୁଞ୍ଜରିତ ହେଉଥିବ । ତାଙ୍କର ଶରୀର ଆମ ମଧ୍ୟରେ ନଥିଲେ ମଧ୍ୟ, ତାଙ୍କ ସୁର, ସାଧନା ଓ ସୃଷ୍ଟି ଓଡ଼ିଆ ସଙ୍ଗୀତ ଜଗତରେ ତାଙ୍କୁ ଚିରଅମର କରି ରଖିବ ।

No Result
View All Result