ଖଣ୍ଡପଡ଼ା (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଦିର୍ଘ ଦିନ ଧରି ଘରେ ଦେଶୀ ବନ୍ଧୁକ ମହଜୁଦ ରଖି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଖଣ୍ଡପଡ଼ା ବ୍ଲକର ଶିଖରପୁର ପଞ୍ଚାୟତ ଅଧୀନ ବରପଲ୍ଲୀ ତଂଳାସାହିର ରବୀନ୍ଦ୍ର ନାହାକ (୨୧) ଓ ଯୋଗିଆପଲ୍ଲୀ ପଞ୍ଚାୟତ ଅଧୀନ ସାନହାମରା ଗ୍ରାମର ରବୀନ୍ଦ୍ର ପ୍ରଧାନ (୨୫) ଓ ନୂଆଗାଁ ବ୍ଲକ ଅଧୀନ ମାଳିସାହି ଗ୍ରାମର କାବୁଲି ମହାରଣା(୪୫)ଙ୍କୁ ପୁଲିସ ଗିରଫ କରି ରବିବାର ଅଦାଲତ ଚାଲାଣ କରିଥିବା ନେଇ ପୁଲିସ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ।

ଖଣ୍ଡପଡ଼ା ଏସଡିପିଓ ସରୋଜ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀ କୃତିବାସ ହରିଚନ୍ଦନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପୁଲିସ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ସୂଚନା ମିଳିଛି । ଏସଡିପିଓ ସୂଚନାକ୍ରମେ ଏସଆଇ ମନସ୍ମିତା ସାହୁ ଓ ଏଏସଆଇ ଶଙ୍କର କୁମାର ପାଢୀଙ୍କ ନେତୃତ୍ଵରେ ପୁଲିସ ଟିମ ବିଶେଷ ସୂତ୍ରରୁ ସୂଚନା ପାଇ ପ୍ରଥମେ ରବୀନ୍ଦ୍ରଙ୍କ ଘରେ ଅଚାନକ ଚଢାଉ କରିଥିଲା । ଚଢାଉ ବେଳେ ଉଭୟଙ୍କ ଠାରୁ ୪ଟି ଚୋରା ଦେଶୀ ବନ୍ଧୁକ ମିଳିଥିଲା ।

ପରେ ଖଣ୍ଡପଡ଼ା ଥାନାଧିକାରୀ ମାଳିସାହିରେ ଚଢାଉ କରି ଏହି କାରବାରରେ ସମ୍ପୃକ୍ତି ଥିବା ଅଭିଯୋଗରେ କାବୁଲ ମହାରଣାଙ୍କୁ ଗିରଫ କରିଥିବା ଜଣାପଡିଛି । ଏଭଳି ବେଆଇନ କାରବାର ରୋକିବା ନିମନ୍ତେ ପୁଲିସ ଏସଆଇ ଟୁଲୁ ବିଶ୍ଵାଳଙ୍କ ନେତୃତ୍ଵରେ ଏକ ସ୍ପେଶାଲ ଟିମ ଗଠନ କରିଥିବା ସୂଚନା ମିଳିଛି।ଚଢାଉ ଅଭିଯାନରେ ଅନ୍ୟ ମାନଙ୍କ ମଧ୍ୟରେ ଏଏସଆଇ ଜୟଦେବ ରଣା, କନେଷ୍ଟବଳ ରାଘବ ବଢେଇ, ଓଏପିଏଫ ଅଖିଳ କୁମାର ନାୟକ, ପୀତବାସ ସାହୁ, ହୋମଗାର୍ଡ ପ୍ଲାଟୁନ କମାଣ୍ଡର କୃଷ୍ଣଚନ୍ଦ୍ର ସାହୁ, ଦେବାଶିଷ ବେହେରା ପ୍ରମୁଖ ସାମିଲ ହୋଇଥିଲେ।














