ଶ୍ରୀକ୍ଷେତ୍ର କୁମାର/କୁମାରୀ ଓ ‘ଶ୍ରୀକ୍ଷେତ୍ର ଗୃହିଣୀ’ ସାଜିଲା ପ୍ରମୁଖ ଆକର୍ଷଣ
ପୁରୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଗୌରବମୟ ଐତିହ୍ୟ ଓ ଚିରନ୍ତନ ପରମ୍ପରାକୁ ସଂରକ୍ଷଣ, ପ୍ରଚାର ଓ ପ୍ରସାର କରିବା ସହ ନୂତନ ପିଢ଼ି ମନରେ ନୈତିକତା, ଆଧ୍ୟାତ୍ମିକତା, ଦେଶପ୍ରେମ ଓ ସାଂସ୍କୃତିକ ଚେତନାର ବିକାଶ ଘଟାଇବାର ମହତ୍ ଉଦ୍ଦେଶ୍ୟ ନେଇ ପୁରୀ କୁମାର ଉତ୍ସବ ସମିତି ପକ୍ଷରୁ ଆୟୋଜିତ ୫୯ତମ କୁମାର ଉତ୍ସବ ୨୦୨୬ର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଭାବଗମ୍ଭୀର ପରିବେଶରେ ଉଦଯାପିତ ହୋଇଛି।

ସ୍ଥାନୀୟ ଅନ୍ନପୂର୍ଣ୍ଣା ଥିଏଟର ଠାରେ ସ୍ୱର୍ଗତ ପାର୍ବତୀ ପାଟ୍ଟଯୋଶୀ ମହାପାତ୍ରଙ୍କ ପବିତ୍ର ସ୍ମୃତିରେ ଆୟୋଜିତ ଏହି ଦୁଇଦିନିଆ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ଉଦଯାପନୀ ଦିବସରେ ବିଭିନ୍ନ ବିଭାଗରେ ପ୍ରତିଭାମାନଙ୍କ ଅପୂର୍ବ କଳାନୈପୁଣ୍ୟ ଓ ସୃଜନଶୀଳତାର ଝଲକ ଦେଖିବାକୁ ମିଳିଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପାରମ୍ପରିକ ରୀତିରେ ଦୀପ ପ୍ରଜ୍ଜ୍ୱଳନ କରାଯାଇ ସମିତିର ସଦସ୍ୟ ଓ ସଦସ୍ୟାମାନଙ୍କ ଉପସ୍ଥିତିରେ ଦିନର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଉଦଯାପନୀ ଦିବସରେ ଚିତ୍ରାଙ୍କନ, ଫ୍ୟାନ୍ସି ଡ୍ରେସ୍, ଝୋଟି, ଶ୍ରୀକ୍ଷେତ୍ର କୁମାର-କୁମାରୀ, ଶ୍ରୀକ୍ଷେତ୍ର ଗୃହିଣୀ, ଭକ୍ତି ଓ ଦେଶାତ୍ମବୋଧକ ସଙ୍ଗୀତ, ଭଜନ, ନୃତ୍ୟ ଓ ଲୋକନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ବିଶେଷ କରି ‘ଶ୍ରୀକ୍ଷେତ୍ର କୁମାର-କୁମାରୀ’ ଓ ‘ଶ୍ରୀକ୍ଷେତ୍ର ଗୃହିଣୀ’ ପ୍ରତିଯୋଗିତା ଉତ୍ସବର ପ୍ରମୁଖ ଆକର୍ଷଣ ସାଜିଥିଲା। ଏହି ଦୁଇଟି ବିଭାଗରେ ଶ୍ରୀକ୍ଷେତ୍ରର ପରମ୍ପରା, ସଂସ୍କାର, ଆତ୍ମବିଶ୍ୱାସ ଓ ପ୍ରତିଭାର ମନୋରମ ପ୍ରତିଫଳନ ଦେଖିବାକୁ ମିଳିଥିଲା। ଶିଶୁ, କିଶୋର ଓ ମହିଳା ପ୍ରତିଭାମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ସମଗ୍ର ପରିବେଶକୁ ଉତ୍ସବମୁଖର କରିଥିଲା। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ୨୭ – ୨୯ ଅକ୍ଟୋବର ପର୍ଯ୍ୟନ୍ତ ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହେବାକୁ ଥିବା ୫୯ତମ କୁମାର ଉତ୍ସବ ୨୦୨୬ ମୁଖ୍ୟ ମଞ୍ଚରେ ସମ୍ମାନିତ କରାଯିବ।

ଆଜିର ଉଦଯାପନୀ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ଛତିଶା ନିଯୋଗର ସଭାପତି ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମାଜସେବୀ ଚକ୍ରଧର ମହାପାତ୍ର, ବିଦ୍ୟୁଲତା ଆଚାର୍ଯ୍ୟ, ଶ୍ରୀକାନ୍ତ ମହାନ୍ତି, ସୁକାନ୍ତ ପଣ୍ଡା, ଅମରେନ୍ଦ୍ର ପାଇକରାୟ, ବିକାଶ ଦତ୍ତ ଓ କିଶୋର ଚନ୍ଦ୍ର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସମିତିର ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡାଙ୍କ ସଂଯୋଜନାରେ ଦୁଇଦିନିଆ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ସନ୍ତୋଷେ ମହାନ୍ତି,ଶୁଭଶ୍ରୀ ଜୟସିଂ, ବିରଞ୍ଚି ଷଡ଼ଙ୍ଗୀ, ଜ୍ୟୋତିର୍ମୟୀ ପଣ୍ଡା, ଶ୍ୟାମପ୍ରକାଶ ସେନାପତି, ମନସ୍ମିତା ସାହୁ, ଚନ୍ଦନ କୁମାର ସାହୁ, ମିର୍ଣ୍ଣାଲିନ ଦାସ, ପ୍ରୀତିପର୍ଣ୍ଣା କରନ, ବିଷ୍ଣୁପ୍ରିୟା ଦାସ, ରାକେଶ ନାୟକ, ଦେବରାଜ ଦାସ ଓ ସୌମ୍ୟରଞ୍ଜନ ନାୟକ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ।

ଏହି ସାଂସ୍କୃତିକ ମହାଯଜ୍ଞକୁ ସଫଳ କରିବାରେ ନିଗମ ପାତ୍ର, ମଳୟ ଗଜେନ୍ଦ୍ର, ପ୍ରମୋଦ ପଟ୍ଟନାୟକ, ବନିତା ଦୀକ୍ଷିତ, ପପି ସାହୁ, ରେଶ୍ମା ରଣା, ବିଷ୍ଣୁପ୍ରିୟା ସାହୁ, ନିରୋଜ ମହାନ୍ତି, ସାହିଲ ମହାନ୍ତି, ଗୌତମ ସାହୁ, ପାୟଲ ମହାନ୍ତି, ପ୍ରତିମା ମହାପାତ୍ର, କ୍ଷୀରୋଦ ଦାଶ, ମାନସ ପଟ୍ଟନାୟକ, କାହ୍ନୁଚରଣ ପ୍ରଧାନ, ସନ୍ତୋଷ ସେନାପତି ଓ ଅଭ୍ୟୁଦୟ ପ୍ରମୁଖ ସଦସ୍ୟ ଓ ସଦସ୍ୟା ସକ୍ରିୟ ସହଯୋଗ କରିଥିଲେ। ବିଶିଷ୍ଟ ନାଟ୍ୟକାର ଭରତ ନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ସମିତି ପକ୍ଷରୁ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଥିଲା।

ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ସମସ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଓଡ଼ିଆ ସଙ୍ଗୀତ ଜଗତ ପ୍ରତି ପ୍ରଣବ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣ କରି ତାଙ୍କ ବିୟୋଗକୁ ଏକ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରାଯାଇଥିଲା । କୁମାର ଉତ୍ସବ କେବଳ ଏକ ଉତ୍ସବ ନୁହେଁ; ଏହା ଓଡ଼ିଆ ମାଟିର ମହକ, ପରମ୍ପରାର ପ୍ରତିଧ୍ୱନି ଓ ଶ୍ରୀକ୍ଷେତ୍ରର ସାଂସ୍କୃତିକ ଅସ୍ମିତାର ଏକ ଜୀବନ୍ତ ପ୍ରତିଛବି । ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ମାଧ୍ୟମରେ ନୂଆ ପିଢ଼ିର ଅନ୍ତର୍ନିହିତ ପ୍ରତିଭାକୁ ମଞ୍ଚ ଦେବା ସହ ଓଡ଼ିଆ ସଂସ୍କୃତିର ଅମୂଲ୍ୟ ପରମ୍ପରାକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବାର ଏକ ସାର୍ଥକ ପ୍ରୟାସ ସଫଳତାର ସହ ସମାପ୍ତ ହୋଇଛି ।














