ପୁରୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ପୁରୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ନବ ନିର୍ମିତ ଗୃହର ଶୁଭ ଉଦଘାଟନ ହୋଇଯାଇଛି । ଏହି ଅବସରରେ ପୁରୀ ଟାଉନ୍ ହଲ୍ ଠାରେ ଦଶମ-୩.୦ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ ଓ ଗତ ମାଟ୍ରିକ ପରୀକ୍ଷାରେ ବିଭିନ୍ନ ବିଦ୍ୟାଳୟରୁ “ଏ୧” ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ବିଭିନ୍ନ ବିଷୟରେ ଉତ୍କର୍ଷ ପ୍ରତିପାଦନ କରିଥିବା ୨୧ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ତଥା ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ ପ୍ରଦାନ କରିଥିବା ୧୧୧ ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ- ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି ।

ଜିଲ୍ଲାରେ “ଏ୧” ଗ୍ରେଡ୍ ହାର ବୃଦ୍ଧି, ବିଦ୍ୟାଳୟ ମାନଙ୍କରେ ଶୂନ୍ୟ ପ୍ରତିଶତ ଛାତ୍ରଛାତ୍ରୀ ମାନଙ୍କ ଅନୁପସ୍ଥିତି ଓ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ ପ୍ରାପ୍ତି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଅଟେ । ଏହି କାର୍ଯ୍ୟକ୍ରମ ସାମଗ୍ରୀକ ଭାବେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସଭାପତିତ୍ବ ଦିଗଦର୍ଶନ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା । ଜିଲ୍ଲାପାଳ ମହୋଦୟ ସୁନ୍ଦର ଉଦାହରଣ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟବସାୟ ବଳରେ ନିଜ ନିଜର ଭବିଷ୍ୟତକୁ ଉଜ୍ବଳ ମୟ କରିବା ପାଇଁ ଉତ୍ସାହିତ କରିଥିଲେ । ଏହି ଉତ୍ସବରେ ଉଦଘାଟକ ଭାବେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦାନ କରି ନୂତନ ଗୃହ ଉଦଘାଟନ କରିଥିଲେ ।
ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ଓ ପ୍ରେରଣା ପ୍ରଦାନ କରାଗଲେ ନିଶ୍ଚିତ ଭାବରେ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ଉତ୍ପ୍ରେରକ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ମେଧାବୀ ଛାତ୍ର ଏବେ ଠାରୁ ଲକ୍ଷ୍ୟ ପ୍ରତି ଉଦ୍ୟମ ଜାରି ରଖିଲେ ଦେଶ ଓ ଜାତିର ମାନ ବୃଦ୍ଧି କରିପାରିବେ ବୋଲି ସେମାନଙ୍କୁ ପ୍ରେରଣା ଦେଇଥିଲେ । ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହି ଏହିପରି ଅଭିନବ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜର ଓଜସ୍ବୀ ବକ୍ତବ୍ୟ ମାଧ୍ୟମରେ ପ୍ରେରଣା ପ୍ରଦାନ କରିଥିଲେ ।
















