No Result
View All Result
ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ, ହ୍ରଦ, ଜୈବବିବିଧତା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ଭଳି ଇକୋ-ଟୁରିଜମ୍ କୁ ସାରା ବିଶ୍ୱରେ ପ୍ରଚାର କରିବା ପାଇଁ ମାଲକାନଗିରି ବନ ବିଭାଗ ପକ୍ଷରୁ ଏକ ବଡ଼ ସଚେତନତା ପଦକ୍ଷେପ ସ୍ୱରୂପ ଡିସ୍କୋଭର ମାଲକାନଗିରି ଇକୋ-ଟୁରିଜମ୍ ରିଲ୍ ପ୍ରତିଯୋଗିତାର ଘୋଷଣା କରାଯାଇଛି । ସ୍ଥାନୀୟ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ସତୀଗୁଡ଼ା ଇକୋ-ପାର୍କ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ମାଧ୍ୟମରେ ଏହି ପ୍ରତିଯୋଗିତାର ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି ।

ଏହି ପ୍ରତିଯୋଗିତାର ଗାଇଡଲାଇନ, ପୁରସ୍କାର ରାଶି ଏବଂ ସମସ୍ତ ବିଧିବଦ୍ଧ ନିୟମାବଳୀ ବନ ବିଭାଗର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ @MalkangiriDfo ରେ ଉପଲବ୍ଧ ହେବ । ଇନଫ୍ଲୁଏନ୍ସର ଏବଂ କଣ୍ଟେଣ୍ଟ କ୍ରିଏଟରମାନେ ସେମାନଙ୍କର ସୃଜନଶୀଳ ରିଲ୍ସ ଆସନ୍ତା ଅଗଷ୍ଟ ୧୫ ରୁ ୨୫ ତାରିଖ ମଧ୍ୟରେ ସୋସିଆଲ ମିଡିଆରେ ଅପଲୋଡ୍ କରିପାରିବେ । ଭିଡିଓ ପୋଷ୍ଟ କରିବା ସମୟରେ ଅଫିସିଆଲ୍ ହ୍ୟାସଟ୍ୟାଗ୍ ଡିସ୍କୋଭର ମାଲକାନଗିରି ବ୍ୟବହାର କରିବା ସହ ବନ ବିଭାଗକୁ ଟ୍ୟାଗ୍ କରିବା ବାଧ୍ୟତାମୂଳକ କରାଯାଇଛି ଏବଂ ସର୍ବୋତ୍ତମ ପ୍ରଦର୍ଶନ କରିଥିବା କ୍ରିଏଟରମାନଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ।
ଏହି ସୂଚନା ସମ୍ପର୍କରେ ଜିଲ୍ଲାର ପ୍ରତିଭାବାନ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାନଙ୍କ ଦ୍ୱାରା ଆୟୋଜିତ ଏକ ଜିଲ୍ଲାସ୍ତରୀୟ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା, ଯେଉଁଠାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୧୦୦ ରୁ ଉର୍ଦ୍ଧ୍ୱ ପ୍ରତିଭାବାନ ଇନଫ୍ଲୁଏନ୍ସର ଓ କଣ୍ଟେଣ୍ଟ କ୍ରିଏଟର ଏକାଠି ହୋଇଥିଲେ ।ଇନଫ୍ଲୁଏନ୍ସରମାନଙ୍କ ଦ୍ୱାରା ଆୟୋଜିତ ଏହି ମଞ୍ଚରେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ପକ୍ଷରୁ ଯୋଗଦିଆଯାଇ ପ୍ରକୃତି ସୁରକ୍ଷା, ଆଞ୍ଚଳିକ କଳା-ସଂସ୍କୃତିର ପ୍ରସାର ଏବଂ ସରକାରୀ ଯୋଜନା ବିଷୟରେ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବୈଠକରେ ବନ ବିଭାଗର ସହକାରୀ ବନ ସଂରକ୍ଷକ ମନସୁନ୍ ଖେମୁଣ୍ଡୁ ଯୋଗଦେଇ ଉପସ୍ଥିତ ସମସ୍ତ ଇନଫ୍ଲୁଏନ୍ସରମାନଙ୍କୁ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ନିଜର ସାମାଜିକ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲାରେ ବେଆଇନ କଈଁଛ ଚୋରା ଚାଲାଣ ରୋକିବା ଏବଂ ବନ୍ୟପ୍ରାଣୀଙ୍କ ପ୍ରତି ଦୟାଶୀଳ ମନୋଭାବ ରଖିବା ନେଇ ସମାଜରେ ସଚେତନତା ସୃଷ୍ଟି କରିବାକୁ ସେ ଅନୁରୋଧ କରିଥିଲେ। ଏହାସହ ସେ କହିଥିଲେ ଯେ, କେବଳ ଲାଇକ୍ ବା ଭିୟୁ ପାଇଁ ସମାଜ ଉପରେ ଖରାପ ପ୍ରଭାବ ପକାଉଥିବା କୌଣସି ବିଭ୍ରାନ୍ତିକର ରିଲ୍ସ କିମ୍ବା ପୋଷ୍ଟ ସୋସିଆଲ ମିଡିଆରେ ଅପଲୋଡ୍ କରନ୍ତୁ ନାହିଁ।ଜିଲ୍ଲା
ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଇନଫ୍ଲୁଏନ୍ସରମାନଙ୍କୁ ଜିଲ୍ଲାରେ ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରେ ପାଳିତ ହେଉଥିବା ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ନିଜ ନିଜ ଡିଜିଟାଲ୍ ମାଧ୍ୟମରେ ସାମିଲ ହୋଇ ଜାତୀୟତା ବାର୍ତ୍ତା ପ୍ରସାର କରିବା ପାଇଁ ସଚେତନ କରିଥିଲେ। ସରକାରଙ୍କ ବିଭିନ୍ନ ବିକାଶମୂଳକ ଓ ଜନକଲ୍ୟାଣକାରୀ ଯୋଜନା ଯେପରି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ, ସେଥିପାଇଁ ନିଜ ସୃଜନଶୀଳ ଭିଡିଓରେ ସରକାରୀ ଯୋଜନାଗୁଡ଼ିକୁ ସକାରାତ୍ମକ ଭାବେ ଉପସ୍ଥାପନ କରିବାକୁ ସେ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମରେ ଉପସ୍ଥିତ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ ସେଠୀ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ସ୍ୱାସ୍ଥ୍ୟକର ପରିବେଶ ଓ ସ୍ୱଚ୍ଛତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ପର୍ଯ୍ୟଟନର ଅଭିବୃଦ୍ଧି ସହ ସୁରକ୍ଷିତ ଖାଦ୍ୟ ଯୋଗାଣ ଅତି ଜରୁରୀ ବୋଲି ପ୍ରକାଶ କରି ସେ କହିଥିଲେ ଯେ, ଇନଫ୍ଲୁଏନ୍ସରମାନେ ସେମାନଙ୍କ ବ୍ଲଗ୍ କିମ୍ବା ଭିଡିଓ ମାଧ୍ୟମରେ ସ୍ଥାନୀୟ ହୋଟେଲ, ଷ୍ଟଲ୍ ଏବଂ ପର୍ଯ୍ୟଟକମାନଙ୍କକୁ ସ୍ୱଚ୍ଛତା ଏବଂ ମିଶ୍ରିତ ଖାଦ୍ୟ ବର୍ଜନ କରିବା ବିଷୟରେ ସଚେତନ କରାଇଲେ, ମାଲକାନଗିରି ପର୍ଯ୍ୟଟନର ମାନ ଆହୁରି ସମୃଦ୍ଧ ହେବ। ବିଶିଷ୍ଟ ସାମାଜିକ କର୍ମୀ ବିନାଶ ମିଶ୍ର ଉପସ୍ଥିତ ଯୁବପିଢ଼ିଙ୍କୁ ମାର୍ଗଦର୍ଶନ ଦେଇ କହିଥିଲେ ଯେ,
ମାଲକାନଗିରିର ସମୃଦ୍ଧ ଆଦିବାସୀ ସଂସ୍କୃତି, ପାରମ୍ପରିକ କଳା ଏବଂ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ଯୁବ ଇନଫ୍ଲୁଏନ୍ସରମାନେ ନିଜ ମାଟିର ଗୌରବ, ସୁନ୍ଦର କଳାକୃତି ଏବଂ ସାଂସ୍କୃତିକ ଐତିହ୍ୟକୁ ସୋସିଆଲ ମିଡିଆରେ ପ୍ରଦର୍ଶିତ କରିବା ଉଚିତ୍। ଏହାଦ୍ୱାରା କେବଳ ପର୍ଯ୍ୟଟନର ବିକାଶ ହେବ ନାହିଁ, ବରଂ ଆଞ୍ଚଳିକ କଳାକାର ଓ ସ୍ଥାନୀୟ ଲୋକଙ୍କ ଜୀବିକାର୍ଜନର ପନ୍ଥା ମଧ୍ୟ ସୁଦୃଢ଼ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।

No Result
View All Result