
ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର ) ଭୁବନେଶ୍ୱର :- ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ପାଳନ ପୂର୍ବ ସନ୍ଧ୍ୟାରେ ଆଜି ରାଷ୍ଟ୍ରପତିଙ୍କ ରାମନାଥ କୋବିନ୍ଦ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଜାରି କରିଛନ୍ତି । ସେ ନିଜ ବାର୍ତ୍ତାରେ କହିଛନ୍ତି ଯେ ‘ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜୟନ୍ତୀ ଅବସରରେ, ମୁଁ କୃତଜ୍ଞ ରାଷ୍ଟ୍ର ପକ୍ଷରୁ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଛି ।’ ସେ କହିଛନ୍ତି ଯେ ପ୍ରତି ବର୍ଷ ଅକ୍ଟୋବର ୨ ତାରିଖ ଦିନ, କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ଵରେ ଗାନ୍ଧୀଜୀଙ୍କର ସ୍ମୃତିଚାରଣ କରାଯାଇଥାଏ । ସେ ସମଗ୍ର ମାନବଜାତି ପାଇଁ ପ୍ରେରଣାର ସ୍ରୋତ ସାଜିଛନ୍ତି । ତାଙ୍କର ଜୀବନର ଅମର ଗାଥା, ସମାଜର ଦୁର୍ବଳରୁ ଦୁର୍ବଳତର ବ୍ୟକ୍ତିଙ୍କୁ ଶକ୍ତି ଓ ସମ୍ବଳ ପ୍ରଦାନ କରିଥାଏ । ସତ୍ୟ, ଅହିଂସା ଏବଂ ବିଶ୍ଵ କଲ୍ୟାଣର ମାର୍ଗ ପ୍ରଶସ୍ତ କରିଥାଏ ।

ତାଙ୍କର ଜୀବନାଦର୍ଶ ଗତକାଲି ମଧ୍ୟ ପ୍ରାସଙ୍ଗିକ ଥିଲା ଆଜି ମଧ୍ୟ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ପ୍ରାସଙ୍ଗିକ ହୋଇରହିବ । ରାଷ୍ଟ୍ରପତି କହିଛନ୍ତି, ବର୍ତ୍ତମାନ ଏକ ଧାରଣା ଜନ୍ମ ନେଇଛି ଯେ ସବୁ ବଡ଼ ସମସ୍ୟାର ସମାଧାନ ଗାନ୍ଧୀଜୀଙ୍କ ଦ୍ଵାରା ପ୍ରଦର୍ଶିତ ସଦଭାବନା ଓ ସହିଷ୍ଣୁତା ମାର୍ଗରେ ସମ୍ଭବ ହୋଇପାରିବ । ଗାନ୍ଧୀଜୀଙ୍କ ଜୀବନ ଏହି ମାର୍ଗରେ ଚାଲିବାର ଏକ ଉତ୍ତମ ଉଦାହରଣ । ସେ ଆମକୁ ଶିଖାଇଛନ୍ତି ଯେ ଖରାପ ଚାହୁଁଥିବା ଲୋକ ସହିତ ମଧ୍ୟ ଆମେ ଭଲ ବ୍ୟବହାର କରିବା ଏବଂ ସମସ୍ତଙ୍କ ପ୍ରତି ପ୍ରେମ, ଦୟା ଓ କ୍ଷମା ଭାବନା ରଖିବା । ଆମର ବିଚାର, ଶବ୍ଦ ଓ କର୍ମରେ ସାମଞ୍ଜସ୍ୟ ରହୁ ।

ସେ କହିଛନ୍ତି,’ଗାନ୍ଧୀଜୀ ନିଜ କାର୍ଯ୍ୟରେ ନୈତିକତା ଓ ସାଧ୍ୟ ତଥା ସାଧନର ପବିତ୍ରତା ଉପରେ ବିଶେଷ ଗୁରୁତ୍ଵ ଦେଉଥିଲେ । ମୁଁ ଆନନ୍ଦିତ ଯେ ଦେଶର ବିକାଶ ପାଇଁ ଆମ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯେପରିକି ସ୍ଵଚ୍ଛ ଭାରତ ମିଶନ, ମହିଳା ସଶକ୍ତିକରଣ, ଗରିବ ଓ ବଞ୍ଚିତଙ୍କ ସଶକ୍ତିକରଣ, କୃଷକମାନଙ୍କୁ ସହାୟତା ଏବଂ ଗ୍ରାମାଞ୍ଚଳରେ ଆବଶ୍ୟକ ସୁବିଧା ପହଞ୍ଚାଇବା ଆଦିର ମୂଳରେ ଗାନ୍ଧୀଜୀଙ୍କ ବିଚାର ଓ ଶିକ୍ଷା ନିହିତ ହୋଇ ରହିଛି ।’ ରାଷ୍ଟ୍ରପତି କୋବିନ୍ଦ ଗାନ୍ଧୀ ଜୟନ୍ତୀର ଏହି ଶୁଭ ଅବସରରେ ସମସ୍ତଙ୍କୁ ସତ୍ୟ ଓ ଅହିଂସା ମନ୍ତ୍ରର ଅନୁସରଣ କରି ରାଷ୍ଟ୍ର କଲ୍ୟାଣ ଓ ପ୍ରଗତି ନିମନ୍ତେ ସମର୍ପିତ ରହିବା ପାଇଁ ପୁଣିଥରେ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଏକ ସ୍ଵଚ୍ଛ, ସମର୍ଥ, ସଶକ୍ତ ଓ ସମୃଦ୍ଧ ଭାରତ ନିର୍ମାଣ କରି ଗାନ୍ଧୀଜୀଙ୍କ ସ୍ଵପ୍ନକୁ ଆମେ ସାକାର କରିବା।














