No Result
View All Result
ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଓଡ଼ିଶାରେ ଚାଷୀଙ୍କର ବହୁବିଧ ସମସ୍ୟା ଏବଂ ସରକାରୀ ପ୍ରାୟୋଜିତ ସାରର କଳାବଜାରୀକୁ ନେଇ ଓଡ଼ିଶା ଜନତା କଂଗ୍ରେସ ସଭାପତି ଇଂ ମହମ୍ମଦ ମୋକିମଙ୍କ ନିର୍ଦ୍ଦେଶରେ ଓଜେସି କୃଷକ ମୋର୍ଚ୍ଚା ସଭାପତି ସଂଗ୍ରାମ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଓଡ଼ିଶାର ଜୀବନରେଖା ସାଜିଥିବା କୃଷି ଓ କୃଷକ କୂଳ ପ୍ରତି ଦେଖାଦେଇଥିବା ଏକ ସାଂଘାତିକ ସଙ୍କଟ ବିଷୟରେ ମହାମହିମ ରାଜ୍ୟପାଳଙ୍କ ଜରୁରୀ ହସ୍ତକ୍ଷେପ ଭିକ୍ଷା କରିଛି ଓଜେସି ।

ରାଜ୍ୟରେ ପ୍ରାୟ ୭୦% ଲୋକ ଚାଷ ଉପରେ ନିର୍ଭରଶୀଳ ଏବଂ ସେମାନଙ୍କ ମଧ୍ୟରେ ଭାଗଚାଷୀଙ୍କ ସଂଖ୍ୟା ସର୍ବାଧିକ । ବର୍ତ୍ତମାନ ଠିକ୍ ରୁଆ ଓ ପୋତା ସମୟରେ ବିଜେପି ସରକାର, ସମବାୟ ସମିତି, କଳାବଜାରୀ ଓ ଅଫିସରମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର ଚାଷୀକୂଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛନ୍ତି । ସାରର ଅଭାବ ଏବଂ ଅହେତୁକ ମୂଲ୍ୟବୃଦ୍ଧି ଯୋଗୁଁ ବରଗଡ଼, ନୟାଗଡ଼, ନବରଙ୍ଗପୁର, କଟକ, କେନ୍ଦ୍ରାପଡ଼ା ସମେତ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଚାଷୀମାନଙ୍କ ମଧ୍ୟରେ ହାହାକାର ଦେଖାଦେଇଛି ।
ଚାଷୀମାନେ ରାତିଅନିଦ୍ରା ହୋଇ ଲାଇନ ଲଗାଉଥିଲେ ମଧ୍ୟ ସାର ପାଉନାହାନ୍ତି। ୟୁରିଆ ସାର ୫୦ କେଜି ବସ୍ତା ପିଛା ସରକାରୀ ଦର ₹୨୬୬ ଥିବାବେଳେ, ଚାଷୀ ଏହାକୁ ବଜାରରେ ₹୫୦୦ ରୁ ₹୬୦୦ ରେ କିଣିବାକୁ ବାଧ୍ୟ ହେଉଛି । ଯେଉଁ ଗ୍ରୋମର ସାର ବସ୍ତା ପିଛା ୨୦୨୫ ମସିହାରେ ₹୧,୨୦୦ ଥିଲା, ଚଳିତ ବର୍ଷ ସରକାର ତାହାର ଦର ₹୨,୧୦୦ କୁ ବୃଦ୍ଧି କରିଛନ୍ତି । ବିଡ଼ମ୍ବନାର ବିଷୟ, ଚାଷୀମାନେ ଏହାକୁ ମଧ୍ୟ କଳାବଜାରରେ ₹୨,୭୦୦ ରୁ ₹୨,୮୦୦ ରେ କିଣୁଛନ୍ତି ।
ଚାଷୀଙ୍କ ସମସ୍ୟାକୁ ଦୁଇଗୁଣିତ କରିଛି ଓଜନରେ ଚଞ୍ଚକତା ଏବଂ ଆର୍ଥିକ ବୋଝ । ମୋଦି ସରକାର ବଜେଟରେ ₹୧.୧୬ ଟ୍ରିଲିଅନର ସାର ସବସିଡି ପ୍ରାବଧାନ କରିଥିବା ଦାବି କରୁଥିଲେ ବି ଏହାର ଲାଭ କେବଳ ବେସରକାରୀ ସାର କମ୍ପାନୀମାନେ ନେଉଛନ୍ତି । ସରକାର ସାର ବସ୍ତା ପାଇଁ ୫୦ କେଜିର ଟଙ୍କା ନେଉଥିବା ବେଳେ କଳାବଜାରରେ ମିଳୁଥିବା ବସ୍ତାଗୁଡ଼ିକର ଓଜନ ମାତ୍ର ୪୫ କେଜି ରହୁଛି । ୨୦୧୬ ମସିହାରେ ପ୍ରତି ଏକର ଚାଷ ଜମିରେ ସାର ବାବଦକୁ ପ୍ରାୟ ₹୩,୧୫୫ ଖର୍ଚ୍ଚ ହେଉଥିବା ବେଳେ, ବର୍ତ୍ତମାନ ୨୦୨୬ରେ ଚାଷୀ ପକେଟରୁ ଏକର ପିଛା ₹୭,୦୦୦ ରୁ ଅଧିକ ଖର୍ଚ୍ଚ ହେଉଛି ।
ଏହାସହ ଚାଷ ସମୟରେ ସରକାର ନୂଆ ‘NPK’ ଭଳି ଅଧିକ ଦରର ବିକଳ୍ପ ସାର ବାଧ୍ୟତାମୂଳକ କରି ଚାଷୀଙ୍କ ଉପରେ ଆର୍ଥିକ ବୋଝ ବଢ଼ାଉଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲୁଟ୍- ଏହି ବୀମା ଯୋଜନା ଚାଷୀଙ୍କ ପାଇଁ ନୁହେଁ, ବରଂ ବେସରକାରୀ ବୀମା କମ୍ପାନୀଗୁଡ଼ିକର ମୁନାଫା ପାଇଁ କାମ କରୁଛି । ସମ୍ପୂର୍ଣ୍ଣ ପଞ୍ଚାୟତକୁ ଗୋଟିଏ ୟୁନିଟ୍ ଧରାଯାଉଥିବାରୁ ବ୍ୟକ୍ତିଗତ ଭାବେ ଫସଲ ନଷ୍ଟ ହେଉଥିବା ଚାଷୀ କ୍ଷତିପୂରଣ ପାଉନାହାନ୍ତି । ଏହା ସହିତ କଠିନ ନିୟମାବଳୀ ଯୋଗୁଁ ରାଜ୍ୟର ଲକ୍ଷ ଲକ୍ଷ ଭାଗଚାଷୀ ଏହି ବୀମା ସୁରକ୍ଷାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇ ରହିଛନ୍ତି ।
ଓଜେସି କୃଷକ ସେଲ୍ ପକ୍ଷରୁ ଦାବି କରାଯାଇଛି ଯେ :
ସାର ନେବା ନିୟମରେ ପରିବର୍ତ୍ତନ :- ସାର ପାଇଁ ସୋସାଇଟିରେ କେବଳ ଜଣେ ମେମ୍ବର କିମ୍ବା ଲୋନି (Loanee) ହୋଇଥିବା ବାଧ୍ୟତାମୂଳକ ନିୟମକୁ ତୁରନ୍ତ ସରଳ କରାଯାଉ ଏବଂ ସବୁ ମଣ୍ଡି ଓ PACS/LAMPCS ରେ ପର୍ଯ୍ୟାପ୍ତ ସାର ମହଜୁଦ ରଖାଯାଉ।
କଳାବଜାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ :- ସାର ଜମାଖୋର ଓ କଳାବଜାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେମାନଙ୍କୁ ତୁରନ୍ତ ଗିରଫ ଓ ଜେଲ୍ ପଠାଯାଉ ।
ଗ୍ରୋମର ସାରରେ ସବସିଡି :- ଗ୍ରୋମର ସାର ଦରରେ ବସ୍ତା ପିଛା ଯେଉଁ ₹୧,୦୦୦ ବୃଦ୍ଧି କରାଯାଇଛି, ତାହା ସରକାର ନିଜ ଆଡ଼ୁ ସବସିଡି ଆକାରରେ ବହନ କରି ଚାଷୀଙ୍କୁ ପ୍ରଦାନ କରନ୍ତୁ ।
ନୂଆ ସାର ଏକ୍ସପେରିମେଣ୍ଟ ବନ୍ଦ :- ମହଙ୍ଗା NPK ଭଳି ନୂଆ ସାରର ବାଧ୍ୟତାମୂଳକ ଏକ୍ସପେରିମେଣ୍ଟ ତୁରନ୍ତ ବନ୍ଦ କରାଯାଇ ଚାଷୀଙ୍କ ଆର୍ଥିକ ବୋଝ ହ୍ରାସ କରାଯାଉ ।
ଫସଲ ବୀମାର ସଂଶୋଧନ :- ବୀମା ଆକଳନ ପାଇଁ ବ୍ୟକ୍ତିଗତ ଜମିକୁ ୟୁନିଟ୍ ଧରାଯାଉ ଏବଂ ଓଡ଼ିଶାର ସର୍ବାଧିକ ସଂଖ୍ୟକ ଭାଗଚାଷୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ।
ଓଡ଼ିଶାର ଅନ୍ନଦାତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ମହାମହିମ ରାଜ୍ୟପାଳ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରି ରାଜ୍ୟ ସରକାରଙ୍କୁ ଦୃଢ଼ ନିର୍ଦ୍ଦେଶ ଦେବାକୁ ଓଜେସି କୃଷକ ସେଲ୍ ପ୍ରତିନିଧିମଣ୍ଡଳୀ ସ୍ମାରକପତ୍ର ମାଧ୍ୟମରେ ବିନମ୍ର ଅନୁରୋଧ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ଓଜେସିର ଉପସଭାପତି ପ୍ରଦୀପ ପ୍ରଧାନ, ଓଜେସି ସେବା ସଂଗଠନର ଅଧ୍ୟକ୍ଷ, ମନୋଜ ଜେନା, ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ, ପ୍ରତିଷ୍ଠାତା ସଦସ୍ୟ ତଥା କୃଷକ ନେତା ଦୁର୍ଗାଚରଣ ବାରିକ ଉପସ୍ଥିତ ଥିଲେ ।

No Result
View All Result