ପୁରୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ବାହୁଡା ଦିନ ତିନିରଥରେ ବିରାଜମାନ କରି ଚତୁର୍ଦ୍ଧାମୂର୍ତ୍ତି ସିଂହଦ୍ୱାର ଦ୍ବାର ଅଭିମୁଖେ ଯାତ୍ରା କରିବେ । ବଡଦାଣ୍ଡର ଅର୍ଦ୍ଧେକ ବାଟ ଆସିବା ପରେ ବଳଗଣ୍ଡି ଠାରେ ମା ମାଉସୀମାଙ୍କ ମନ୍ଦିର । ପ୍ରଥମେ ବଡଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥ ଅଟକିବା ପୋଡପିଠା ଅର୍ପଣ କରାଯାଏ । ମା ଓ ମାଉସୀ ଖାଇବା ଦେବାରେ ଅତି ଆଗ୍ରହ । ପରେ ପରେ ଦେବୀ ମା ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ପୋଡପିଠା ଅର୍ପଣ କରାଯାଇଥାଏ ।

ଏହି ପୋଡପିଠାର ସ୍ବତନ୍ତ୍ର ମହକ ରହିଛି । ଏହାର ପ୍ରସ୍ତୁତି ପ୍ରଣାଳୀ ନିଆରା । ଭକ୍ତ ଭାବୁଥିବେ ପୋଡପିଠା ପୋଡାଯାଏ । ପ୍ରକୃତରେ ଏହା ପୋଡାଯାଏ ନାହିଁ । ବାମ୍ଫରେ ସିଝା ଯାଇ ଭଲ ଘିଅରେ ଛଣାଯାଇଥାଏ । ଅଟା ରେ ଛେନା, ଚିନି ପିସ୍ତାବାଦାମ, ଅଳେଇଚ, ଲବଙ୍ଗ,ଦେଶୀ ଘିଅ ମିଶାଯାଇ ଭଲ ଭାବେ ଚକଟି ମଣ୍ଡ ପ୍ରସ୍ତୁତ କରାଯାଏ । କାଠଚୁଲିରେ ମାଟି ହାଣ୍ଡିରେ ପାଣି ରଖି ଚୁଲି ଜଳାଯାଇ ଗରମ କରାଯାଏ ।
ହାଣ୍ଡି ଉପରେ କରିଆ ଜାଲି ବାନ୍ଧି ତା ଉପରେ କଦଳୀପତ୍ର ପକାଯାଇ ପ୍ରସ୍ତୁତ ଚକଟା ମିଶ୍ରଣକୁ ରଖାଯାଏ । ଗରମ ପାଣିର ବାମ୍ଫରେ ସିଝା ଯାଏ । ପ୍ରାୟ ଆଠଘଣ୍ଟା ଧରି ସିଝାଯାଏ । ପରେ ଥଣ୍ଡା ହେବା ପରେ ଖଣ୍ଡ ଖଣ୍ଡ କରି କାଟି ଭଲ ଦେଶୀ ଘିଅରେ ଛଣାଯାଇ ରଖାଯାଇଥାଏ । ତିନୋଟି କୁଡୁଆରେ ତିନିରଥକୁ ପୂଜାପଣ୍ଡା ସେବକ ସମର୍ପଣ କରିଥାନ୍ତି । ବାହୁଡାରେ ମା ମାଉସୀମାଙ୍କ ବାତ୍ସଲ୍ୟ ସ୍ନେହ ର ପ୍ରତୀକ ଏହି ପୋଡପିଠା ।
ଅର୍ପଣ ପରେ ପ୍ରସାଦ ଭକ୍ତ ମାନେ ପାଇଥାନ୍ତି । ହେରାପଞ୍ଚମୀ ଠାରୁ ଏହି ପୋଡପିଠା ପ୍ରସ୍ତୁତି ଆରମ୍ଭ ହୋଇଥାଏ । ମାଉସୀମାଙ୍କ ପାଖରେ ଶୁଦ୍ଧପୂତ ଭାବେ ନିଷ୍ଠା,ଭକ୍ତି ଓ ପବିତ୍ରତାର ସହ ମୁଖ୍ଯ ପୂଜକ ବିଶ୍ବନାଥ ମିଶ୍ର ପୋଡପିଠା ପ୍ରସ୍ତୁତି କରୁଥିବା ବେଳେ ସହଯୋଗୀ ପୂଜକ ଭାବେ ଶୁଭେନ୍ଦୁ ତ୍ରିପାଠୀ, ଲିଙ୍ଗରାଜ ପଣ୍ଡା,ରତିକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତି ରହି ସହଯୋଗ କରୁଛନ୍ତି ।














