ରଣପୁର (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ଚକାଶିଳାକ୍ଷେତ୍ର ଭାବେ ପରିଚିତ ରଣପୁର ରଥଯାତ୍ରାର ହେରାପଞ୍ଚମୀ ଅବସରରେ ଆଜି ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି । ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ବିଭିନ୍ନ ପ୍ରାନ୍ତରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ପରିଲକ୍ଷିତ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ପତ୍ନୀ ମହାଲକ୍ଷ୍ମୀଙ୍କୁ ବଡଦେଉଳରେ ଏକାକି ଛାଡ଼ି ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ନଅ ଦିନ ପାଇଁ ମାଉସୀମା’ ମନ୍ଦିରକୁ ଯାତ୍ରା କରିଥିବାରୁ ଆଜି କ୍ରୋଧାନ୍ୱିତ ହୋଇ ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗିଥିଲେ ।

ତେବେ ଭଉଣୀ ବିମଳାଙ୍କ ଠାରୁ ମୋହିନୀ ଚୂର୍ଣ୍ଣ ପାଇ ପଞ୍ଚୁ ମହାଦେବ ଗହଣରେ ଯଥା ଶ୍ରୀ ସ୍ୱପ୍ନେଶ୍ୱରଦେବ, ଶ୍ରୀ ଚଣ୍ଡେଶ୍ୱରଦେବ, ଶ୍ରୀ ବାଲୁଙ୍କେଶ୍ୱରଦେବ, ଶ୍ରୀ ହରିହରେଶ୍ୱରଦେବ ଓ ଶ୍ରୀ ଦଣ୍ଡାବାଲୁଙ୍କେଶ୍ୱରଦେବଙ୍କୁ ସାଙ୍ଗରେ ଧରି ମା’ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପରସା ଯାଇଥିବା ସେ ଦେଖିବାକୁ ପାଇଥିଲେ ।















