ଭକ୍ତି ଆଗରେ ବର୍ଷା ବାଧକ ସାଜିଲାନି ୮ ଲକ୍ଷ ଭକ୍ତଙ୍କ ସମାଗମ
ଜୟ ଜଗନ୍ନାଥ, ହରିବୋଲ ଓ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି ସମଗ୍ର ବଡ଼ଦାଣ୍ଡ ।
ପୁରୀ (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ଆଷାଢ ଶୁକ୍ଳ ଦ୍ବିତୀୟା ତିଥି । ଶ୍ରୀବିଗ୍ରହ ମାନଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ଲକ୍ଷାଧିକ ଭକ୍ତ ଚାହିଁ ରହିଛନ୍ତି ରଥାରୁଢ ବିଗ୍ରହଙ୍କୁ ଦର୍ଶନ କରିବାପାଇଁ । ଘଣ୍ଟ ଘଣ୍ଟା ମୃଦଙ୍ଗ ପଖଉଜ ଓ ହରିବୋଲ ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ବଡଦାଣ୍ଡ । ବାଜିଲା ବିଜେ କାହାଳୀ । ପହଣ୍ଡି ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି । ଧାଡି ପହଣ୍ଡିରେ ପ୍ରଥମେ ପ୍ରଭୁ ଶ୍ରୀସୁଦର୍ଶନ ପରେ ପ୍ରଭୁ ଶ୍ରୀବଳଭଦ୍ର ଓ ଦେବୀ ମା ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା ।କାଳିଆର ପହଣ୍ଡି ବିଳମ୍ବ ହୋଇଥିଲା ।

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିଥିଲେ । ପରେ ଶଙ୍କରାଚାର୍ଯ୍ଯ ନିଶ୍ଚଳାନନ୍ଦ ସରସ୍ବତୀ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ରତ୍ନ ସିଂହାସନ ନିକଟରେ ସକାଳ ୫ଟା୩୦ରେ ମଙ୍ଗଳଆଳତି, ୬ଟା ୫ରେ ଅବକାଶ ପୂଜା ଠା ଓ ୬ଟା ୧୦ରେ ଅବକାଶ ପୂଜା ଶେଷ ହୋଇଥିଲା । ୭ଟା ୨୫ରେ ଗୋପାଳବଲ୍ଲଭ ପୂଜା ଓ ୮ଟା ୩୦ରେ ସକାଳଧୂପ ଶେଷ ହୋଇଥିଲା । ୮ଟା୫୦ରେ ମଙ୍ଗଳାଅର୍ପଣ, ୮ଟା ୪୫ରେ ରଥ ପ୍ରତିଷ୍ଠା ଓ ୯ଟାରେ ପହଣ୍ଡି ଆରମ୍ଭ ହୋଇଥିଲା ।
ଶ୍ରୀବଳଭଦ୍ର ଓ ଦେବୀ ମା ସୁଭଦ୍ରାଙ୍କ ପହଣ୍ଡି ଶୀଘ୍ର ଶେଷ ହୋଇଥିବା ବେଳେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଏକଘଣ୍ଟା ବିଳମ୍ବ ହୋଇଥିଲା । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ଟାହିଆ ନଥିବାରୁ ଭକ୍ତ ଅସନ୍ତୋଷ ଦେଖା ଦେଇଥିଲା । ୨ଟା ୨୦ରେ ମଦନମୋହନ ରାମକୃଷ୍ଣ ବିଜେ, ୩ଟାରେ ଶ୍ରୀବିଗ୍ରହଙ୍କ ରୁନ୍ଧା ଶେଷ ହୋଇଥିଲା । ୩ଟା ୨୦ରେ ବେଶ ଶେଷ ହୋଇଥିଲା । ସକାଳୁ ଆଜ୍ଞାମାଳ ଆସିବା ପରେ ତିନିରଥ ପ୍ରତିଷ୍ଠା କରାଯାଇଥିଲା ।

ଫୁଲ ଚିତା ଲାଗି ହୋଇଥିଲା । ସକାଳଧୂପରେ ଖେଚେଡି ଭୋଗ କରାଯାଇଥିଲା । ଜଗମୋହନରୁ ଠାକୁର ଆସିବା ପରେ ଶ୍ରୀବଳଭଦ୍ରଙ୍କ ଆକର୍ଷଣୀୟ ଟାହିଆ ଲାଗି କରାଯାଇଥିଲା । ହରିବୋଲ ହୁଳହୁଳି, ଘଣ୍ଟ ଘଣ୍ଟୁଆଙ୍କ ନାଦ ସହିତ ପ୍ରଭୁ ବିଜେ କରି ପ୍ରଭୁ ଭକ୍ତଙ୍କୁ ଚାହିଁ ରହିଥିଲେ । ପହଣ୍ଡି ସମୟରେ ବେହେରା ଖୁଣ୍ଟିଆ ମଣିମା ମଣିମା ଡାକୁଥିଲେ । ଆଲଟ ଚାମର ଓ ଛତି ଛତ୍ର ସହ ପ୍ରଭୁ ବିଜେ କରିଥିଲେ । ତୁହାକୁ ତୁହା ବର୍ଷାରେ ବି ଭକ୍ତ ମାନେ ଭାବ ଭକ୍ତିର ସହ ମହାପ୍ରଭୁଙ୍କ ଆଖିରେ ଆଖି ମିଶାଇ ତିନିରଥ ଟାଣିଥିଲେ ।
ଝିପି ଝିପି ବର୍ଷା ସହ ମେଘୁଆ ପାଗ ଭକ୍ତ ମାନଙ୍କୁ ଆଶ୍ବସ୍ତି ଦେଇଥିଲା । ପହଣ୍ଡି ସମୟରେ ଓଡିଶୀନୃତ୍ଯ, ଗୋଟିପୁଅ ନୃତ୍ୟ, ମାହାରିନୃତ୍ଯ ପରିବେଶକୁ ମନମୁଗ୍ଧକର କରିଥିଲା । ରଥ ଉପରେ ତିନିଠାକୁରଙ୍କୁ ରୁନ୍ଧାଯିବା ପରେ ମାଳଫୁଲ ଲାଗି ହୋଇଥିଲା । ଗଜପତି ମହାରାଜ ପାରମ୍ପରିକ ପୋଷାକରେ ଶ୍ରୀନଅରରୁ ପାଲିଙ୍କିରେ ଆସିଥିଲେ । ପ୍ରଥମେ ବଡଠାକୁର ଶ୍ରୀବଳଭଦ୍ରଙ୍କ ରଥ ,ପରେ ଦେବୀ ମା ସୁଭଦ୍ରା ଓ ପରେ ପ୍ରଭୁ ଶ୍ରୀଜଗନ୍ନାଥ ରଥରେ ଛେରାପହଁରା ଓ ଆଳତି କରି ଶ୍ରୀନଅରକୁ ପ୍ରତ୍ଯାବର୍ତ୍ତନ କରିଥିଲେ ।

କୋଠ ସୁଆଁସିଆ ମାନେ ମହାପ୍ରଭୁଙ୍କ ବ୍ଯବହାର୍ଯ୍ଯ ଜିନିଷ ଥିବା ସିନ୍ଦୁକକୁ ରଥ ଉପରେ ରଖିଥିଲେ । ପରେ ଚାରମାଳ ଖୋଲାଯାଇଥିଲା । ପରେ ରଥ ଦଉଡି ଲଗାଯାଇ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥକୁ ଟଣାଯାଇ ମରଚିକୋଟ ଛକ ନିକଟରେ ଅଟକି ରହିଥିବା ବେଳ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀମନ୍ଦିର କାର୍ଯ୍ଯାଳୟ ପର୍ଯ୍ୟନ୍ତ ଆସି ସେଠାରେ ଅଟକି ରହିଥିଲେ । ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଳ୍ପ ବାଟ ଗଡି ସିଂହଦ୍ୱାର ଚକଡା ଠାରେ ଅଟକି ରହିଥିଲେ ।
ସଂଧ୍ଯା ସାଢେ ୭ଟା ସୁଦ୍ଧା ରଥଟଣା ବନ୍ଦ ହୋଇଯାଇଥିଲା । ଓଡ଼ିଶା ରାଜ୍ଯପାଳ ଡ. ହରିବାବୁ କୁମ୍ଭବପଟି,ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝି,ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡା, କନକବର୍ଦ୍ଧନ ସିଂହଦେଓ, ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ, ଆରକ୍ଷୀ ମହାନିର୍ଦ୍ଦେଶକ ( ଅତ୍ଯାଧୁନିକରଣ) ସୌମ୍ଯନ୍ଦ୍ର ପ୍ରିୟଦର୍ଶୀ, ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ.ଅରବିନ୍ଦ ପାଢୀଙ୍କ ସମେତ ବରିଷ୍ଠ ଅଧିକାରୀ ,ମନ୍ତ୍ରୀଗଣ ଉପସ୍ଥିତ ଥିଲେ ।
ମନ୍ଦିର ଭିତର ବାହାର ସମେତ ପୁରୀରେ ବ୍ଯାପକ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯବସ୍ଥା କରାଯାଇଥିଲା । ରଥ ନିକଟରେ ଭକ୍ତଙ୍କ ଗହଳିଚହଳି ଲାଗିଛି । ଭକ୍ତ ମାନେ ରଥାରୁଢ ଠାକୁରଙ୍କ ଦର୍ଶନ କରୁଛନ୍ତି । ରାଜ୍ଯ ଓ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।















