ରୋପଣ ହେଲା ୧,୫୫୦ରୁ ଅଧିକ ଚାରା
ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- ପରିବେଶ ସଂରକ୍ଷଣ ଏବଂ ନିରନ୍ତର ସ୍ଥାୟୀ ବିକାଶ ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତାକୁ ପୁଣିଥରେ ପ୍ରମାଣିତ କରି ଅଗ୍ରଣୀ ସିମେଣ୍ଟ ଉତ୍ପାଦନକାରୀ ସଂସ୍ଥା ଡାଲମିଆ ଭାରତ ଲିମିଟେଡ୍ (DBL) ରାଜଗାଙ୍ଗପୁର ଓ କଟକସ୍ଥିତ ନିଜ ୟୁନିଟ୍ଗୁଡ଼ିକରେ ବୃକ୍ଷରୋପଣ ଏବଂ ପରିବେଶ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବନ ମହୋତ୍ସବ ପାଳନ କରିଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ, ସ୍ଥାନୀୟ ସମୁଦାୟର ସଦସ୍ୟ ଏବଂ କମ୍ପାନୀର କର୍ମଚାରୀମାନେ ଉତ୍ସାହର ସହ ଯୋଗଦେଇ ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ଗଠନ ପାଇଁ ସାମୂହିକ ଦାୟିତ୍ୱର ବାର୍ତ୍ତା ଦେଇଥିଲେ।

‘ବନ ମହୋତ୍ସବ’ ବା ‘ଫରେଷ୍ଟ ଫେଷ୍ଟିଭାଲ୍’ ହେଉଛି ଭାରତବ୍ୟାପୀ ପ୍ରତିବର୍ଷ ପାଳିତ ହେଉଥିବା ଏକ ବୃକ୍ଷରୋପଣ ଅଭିଯାନ, ଯାହାର ଉଦ୍ଦେଶ୍ୟ ବନୀକରଣକୁ ପ୍ରୋତ୍ସାହନ ଦେବା ଓ ପରିବେଶ ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି କରିବା। ସ୍ଥାୟୀ ବିକାଶ, ଜୈବ ବିବିଧତା ସଂରକ୍ଷଣ ଏବଂ ସମୁଦାୟ-ଭିତ୍ତିକ ପରିବେଶ ସୁରକ୍ଷା ପ୍ରୟାସର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଭାବେ ଡାଲମିଆ ଭାରତ ଏହି ପର୍ବକୁ ପାଳନ କରିଆସୁଛି। ଏହି ଅଭିଯାନ ଅଧୀନରେ ରାଜଗାଙ୍ଗପୁର ଓ କଟକ ସିମେଣ୍ଟ କାରଖାନା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ୧,୫୫୦ରୁ ଅଧିକ ଚାରା ରୋପଣ କରାଯିବା ସହ ପରିବେଶ ସଂରକ୍ଷଣ ଏବଂ ଏକ ସବୁଜ ଓ ସ୍ଥାୟୀ ପୃଥିବୀ ଗଠନ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା।

ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜଗାଙ୍ଗପୁରରେ ମୋଟ ୧,୨୫୦ଟି ଚାରା ରୋପଣ କରାଯାଇଥିଲା। ଏହି ଅବସରରେ ବିହାବନ୍ଧ ବିଦ୍ୟାଳୟରେ ଆୟୋଜିତ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ଆଶିଷ ମହାନ୍ତି, ପରିବେଶ ବିଭାଗ ମୁଖ୍ୟ ଶ୍ରୀ ପଙ୍କଜ ଗୁପ୍ତା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦୀପିକା କେରକେଟ୍ଟା ଏବଂ ସିଏସ୍ଆର୍ ଟିମ୍ ଉପସ୍ଥିତ ଥିଲେ। ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା ଅଧିବେଶନ ପରେ ବିଦ୍ୟାଳୟ ପରିସରରେ ୨୫୦ଟି ଚାରା ରୋପଣ କରାଯାଇଥିଲା।

କଟକରେ ଟାଙ୍ଗୀସ୍ଥିତ ପୁରାତନ ଛାତ୍ର ସଂଘ ପାଠାଗାରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସଚେତନତା ବୃଦ୍ଧି ପାଇଁ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୫୦ଟି ବନଜାତୀୟ ଚାରା ରୋପଣ କରାଯାଇଥିବା ବେଳେ ସପ୍ତାହବ୍ୟାପୀ ଅଭିଯାନରେ ସମଗ୍ର ଅଞ୍ଚଳରେ ୩୦୦ଟି ଚାରା ରୋପଣ କରାଯାଇଥିଲା।
ଏ ସମ୍ପର୍କରେ ଡାଲମିଆ ଭାରତ ଲିମିଟେଡ୍ (DBL) କାର୍ଯ୍ୟବାହୀ ନିର୍ଦ୍ଦେଶକ ତଥା ରାଜଗାଙ୍ଗପୁର ୟୁନିଟ୍ ମୁଖ୍ୟ ଶ୍ରୀ ଚେତନ ଶ୍ରୀବାସ୍ତବ କହିଛନ୍ତି, “ପରିବେଶର ଯତ୍ନ ନେବା ଆମର ସ୍ଥାୟୀ ବିକାଶ ଅଭିଯାନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ବନ ମହୋତ୍ସବ ପରି ପଦକ୍ଷେପ ମାଧ୍ୟମରେ ଆମେ ବିଶେଷକରି ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କୁ ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣରେ ସକ୍ରିୟ ଭାଗୀଦାର ହେବାକୁ ପ୍ରେରିତ କରୁଛୁ। ସଚେତନତା ସହ ଏହି କାର୍ଯ୍ୟକ୍ରମକୁ ଯୋଡ଼ିବା ଦ୍ଵାରା ଆମେ ଦୀର୍ଘମିଆଦି ପରିବେଶ ଦାୟିତ୍ୱବୋଧତା ସୃଷ୍ଟି କରିବା ସହ ଏକ ସବୁଜ ଓ ସୁସ୍ଥ ଭବିଷ୍ୟତ ଗଢ଼ିବାପାଇଁ ଆମେ ଆଶାୟୀ।”
ଡାଲମିଆ ଭାରତ ପାଇଁ ପରିବେଶ ସୁରକ୍ଷା ହେଉଛି ଏହାର ସ୍ଥାୟୀ ବିକାଶ ଅଭିଯାନର ମୂଳ ଆଧାର। ଜୈବ ବିବିଧତାର ସଂରକ୍ଷଣ, ସବୁଜ ବଳୟ ବିସ୍ତାର ଏବଂ ସ୍ଥାନୀୟ ସମୁଦାୟ ସହ ମିଳିତ ଭାବେ ପ୍ରାକୃତିକ ପରିବେଶର ସୁରକ୍ଷା ଦିଗରେ କମ୍ପାନୀ ନିରନ୍ତର କାର୍ଯ୍ୟ କରୁଛି। ନିଜର ‘ଗ୍ରେ ଟୁ ଗ୍ରୀନ୍’ ଯାତ୍ରାକୁ ଆଗେଇ ନେଇ ଡାଲମିଆ ଭାରତ ୨୦୪୦ ସୁଦ୍ଧା “କାର୍ବନ୍ ନେଗେଟିଭ୍” କମ୍ପାନୀ ହେବାର ଲକ୍ଷ୍ୟ ନେଇ କାର୍ଯ୍ୟରତ।














