ଓଡ଼ିଶା ତାଜା ନ୍ୟୁଜ (୦୧ ଅକ୍ଟୋବର ଗୁରୁବାର) ଭୁବନେଶ୍ୱର :- ବିଜୁଳି ଦର ବୃଦ୍ଧିକୁ ନେଇ ଘେରିଲେ ବିରୋଧି, ରାଜ୍ୟ ସରକାର ବିଜୁଳି ଦର ୟୁନିଟ ପିଛା ୨୦ ପଇସା ବଢାଇଛନ୍ତି । ଏହାକୁ ସମଗ୍ର ରାଜ୍ୟରେ ବିରୋଧ କରାଯାଉଛି । ଆଜି ବିଧାନସଭାରେ ଏହି ପ୍ରସଙ୍ଗରେ ବିରୋଧି ଦଳ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ବିଜୁଳି ଦର ବଢିବା ସପକ୍ଷରେ ଶକ୍ତିମନ୍ତ୍ରୀ ଯୁକ୍ତି ରଖୁଥିବା ବେଳେ ବିରୋଧି ବିଜେପି ଓ କଂଗ୍ରେସ ଏହାକୁ ଜନବିରୋଧି ବୋଲି ଅଭିଯୋଗ କରିଛନ୍ତି । ବିଜୁଳି ଦର ବୃଦ୍ଧି ମୁଲତବୀ ନୋଟିସରେ ଗୃହରେ ଉତ୍ତର ରଖିଥିଲେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି ଯେ, ୭ବର୍ଷ ପରେ ବିଜୁଳି ଦର ବଢିଲା । ୟୁନିଟ ପିଛା ମାତ୍ର ୨୦ ପଇସା ବଢିଛି ।
ଏନଟିପିସି,ଏନଏଚପିସି ଓ ପିଜିସିଆଇଏଲ ପ୍ରମୁଖ ୬୮ ପ୍ରତିଶତ ଦର ବୃଦ୍ଧି କରିଥିବାରୁ ଦରବୃଦ୍ଧି କରାଗଲା । ଗୋଟିଏ ଦୁଇଟିକୁ ଛାଡି ବାକି ରାଜ୍ୟର ବିଜୁଳି ଦର ଓଡିଶା ଉପରେ ରହିଛି । ଶକ୍ତିମନ୍ତ୍ରୀଙ୍କ ବିବୃତିକୁ ଜନସ୍ୱାର୍ଥ ବିରୋଧି ବୋଲି ବିଜେପି ବିଧାୟକ ମୋହନ ମାଝି କହିଥିଲେ । ସେ କହିଛନ୍ତି ବିପଦ ସମୟରେ ଦରବୃଦ୍ଧି କଟା ଘା ରେ ଚୂନ ଭଳି । ବିଜୁଳି ବିକୁଛନ୍ତି ୩ଟଙ୍କା ୩୩ ପଇସାରେ କିନ୍ତୁ କିଣୁଛନ୍ତି ୩ଟଙ୍କା ୮୧ ପଇସାରେ । ଦର ବୃଦ୍ଧି ପ୍ରତ୍ୟାହାର କରନ୍ତୁ ନଚେତ ମନ୍ତ୍ରୀ ଗାଦି ଛାଡନ୍ତୁ ବୋଲି ବିଜେପି ବିଧାୟକ ମୋହନ ମାଝି କହିଥିଲେ । ଅପର ପକ୍ଷରେ ବିଜୁଳି ଦର ପ୍ରତ୍ୟାହାର ନହେଲେ ବିରୋଧି କଂଗ୍ରେସ ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।