ପୁରୀ (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ପୁରୀ ଏସପି ପ୍ରତୀକ ସିଂଙ୍କ ନିକଟକୁ ସୂଚନା ଆସିଥିଲା ଯେ ଆନ୍ଧ୍ରପ୍ରଦେଶର କାକିନାଡା ଫିସିଙ୍ଗ ହାର୍ବରରୁ ମାଛ ଧରିବା ପାଇଁ ବାହାରିଥିବା IND-AP-V5-MM-872 ନମ୍ବର ବିଶିଷ୍ଟ ଏକ ମାଛଧରା ଡଙ୍ଗା ସମୁଦ୍ରରେ ଫସି ରହିଛି। ଡଙ୍ଗାଟିର ଇଞ୍ଜିନ ସମ୍ପୂର୍ଣ୍ଣ ଅଚଳ ହୋଇଯିବା ସହ ନଙ୍ଗର ମଧ୍ୟ କାର୍ଯ୍ୟକ୍ଷମ ନଥିବାରୁ ଏହା ପୁରୀର ତାଜ ହୋଟେଲ ଉପକୂଳ ନିକଟରେ, ସମୁଦ୍ରର ପ୍ରାୟ ୨ରୁ ୩ କିଲୋମିଟର ଦୂରରେ ପ୍ରତିକୂଳ ସମୁଦ୍ର ପରିସ୍ଥିତି ମଧ୍ୟରେ ଅଟକି ରହିଥିଲା।

ଏହି ସୂଚନା ପାଇବା ପରେ ଏସପି ତୁରନ୍ତ ସମସ୍ତ ସମ୍ପୃକ୍ତ ଟିମ୍କୁ ସତର୍କ କରି ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବଳିଆପଣ୍ଡା ଥାନା ଓ ପେଣ୍ଠକଟା ମେରାଇନ୍ ପୋଲିସ ଥାନାର ଅଧିକାରୀମାନେ ତୁରନ୍ତ ସମନ୍ୱୟ ରକ୍ଷା କରି ନିକଟସ୍ଥ ମାଛଧରା ଡଙ୍ଗା ସହ ଯୋଗାଯୋଗ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ବିଶାଖାପଟ୍ଟଣମର ଏକ ନିକଟବର୍ତ୍ତୀ ମାଛଧରା ଡଙ୍ଗା ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ୧୦ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା।
ଉଦ୍ଧାର ପାଇଥିବା ମତ୍ସ୍ୟଜୀବୀମାନେ ସୁରକ୍ଷିତ ଥିବା ସହ ସେମାନେ ନିଜ ଘରକୁ ଫେରିଛନ୍ତି। ଅଚଳ ଡଙ୍ଗାଟିକୁ ପରବର୍ତ୍ତୀ ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ । ଉଦ୍ଧାର ପାଇଥିବା ମତ୍ସ୍ୟଜୀବୀମାନେ ବିଜୟନଗରମ ଜିଲ୍ଲାର ଚିନ୍ତାପଲ୍ଲୀ ଗ୍ରାମର ବାସିନ୍ଦା ହୋଇଥିବା ବେଳେ ପୁରୀ ପୋଲିସର ତ୍ୱରିତ ପଦକ୍ଷେପ, ସମନ୍ୱୟ ଓ ମାନବିକ ଉଦ୍ୟମ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି ।














