No Result
View All Result
ପୁରୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଆଷାଢ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ଏଥିପାଇଁ ବଡଦାଣ୍ଡ ସ୍ଥିତ ଶ୍ରୀମନ୍ଦିର କାର୍ଯ୍ଯାଳୟ ସମ୍ମୁଖ ରଥଖଳା ଚଳଚଞ୍ଚଳ ହୋଇଉଠିଛି । ରଥ ନିର୍ମାଣକାରୀ ସେବକ ମାନେ ତିନିରଥର ନିର୍ମାଣ କାର୍ଯ୍ଯ ଦ୍ରୁତ ଗତିରେ କରୁଛନ୍ତି । ଶୁକ୍ରବାର ରଥ ନିର୍ମାଣର ୭୪ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ରଥ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଥିଲେ ।

ଶୁକ୍ରବାର ଦୁଆର ବେଢାକୁ ମଜବୁତ ରଖିବା ପାଇଁ ଦୁଆର ବେଢା ଉପରି ଭାଗ ଚନ୍ଦ୍ର ଶାଳୀରେ ଧ୍ୱଜ ବତା ସଂଯୋଗ କରାଯାଇ ମଝି ଭୂଇଁ ସେଣି ରେ କଣ୍ଟା ବସି ଫିଟିଙ୍ଗ କାର୍ଯ୍ୟ ଶେଷ ହୋଇଛି । ଗୁରୁବାର ସୁଦ୍ଧା ତିନିରଥରେ ୮ ଟି ଲେଖାଏଁ ଋଷି ପଟା ସଂଯୋଗ ହେବାସହ ତିନିରଥର ପ୍ରଭାରେ ରୁପଖୋଦେଇ ଶେଷ ହୋଇଥିଲା । ଏଥିସହ ତିନିରଥ ଚାଳି ରେ ଦୁଇଟି ଲେଖାଏଁ ସିଂହାସନ ମାଲ କାଠ ର ଚଉପଟ କାର୍ଯ୍ୟ ଶେଷ ହୋଇଥିଲା ।

ରଥ ଉପରକୁ ଦୁଆର ବେଢା ଉଠିବା ଦିନ ବାଉଁଶ ନିର୍ମିତ ରଥ ଚାଳି ଭଙ୍ଗା ଯାଇ ରଥ ଚାଳିରୁ ବାହାରିଥିବା ବାଉଁଶରେ ତିନିରଥ ର ଦୁଆର ଦେଢ଼ା ରଥ ଉପରକୁ ଉଠିବା ପାଇଁ ବାଉଁଶ ତେଣ୍ଟିଆ ବ୍ଯବହୃତ ହୋଇଥିଲା ।ପରମ୍ପରା ପ୍ରକାରେ ଭୋଇ ସେବକ ମାନେ ପୂର୍ବାହ୍ନରେ ବାଉଁଶ ନିର୍ମିତ ରଥ ଚାଳି ଭାଙ୍ଗି ରଥ ଚାଳି ରୁ ବାହାରିଥିବା ବାଉଁଶରେ ବାଉଁଶ ତେଣ୍ଟିଆ ପ୍ରସ୍ତୁତ କାର୍ଯ୍ୟ ଶେଷ କରିଥିଲେ। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ତିନିରଥର ସାଥୀ ଭୋଇ ସେବକ ମାନେ ମିଶି ତିନିରଥର ଆଗ ଆଣି ,.

ପଛ ଆଣି ଏବଂ ରଥ ଦୁଇ ପାର୍ଶ୍ୱ ର ଦୁଆର ବେଢାକୁ ବାଉଁଶ ତେଣ୍ଟିଆ ସହାୟତାରେ ଉଠାଇ ନାଟ ଗୋଡ଼ ସହ ସଂଯୋଗ ପୂର୍ବକ ରଥରେ ଦଉଡ଼ି ଦ୍ୱାରା ବାନ୍ଧେଣୀ କାର୍ଯ୍ୟ ଶେଷ କରିଥିଲେ। ଶୁକ୍ରବାର ଦୁଆର ବେଢାକୁ ମଜବୁତ ରଖିବା ପାଇଁ ଦୁଆର ବେଢା ଉପରି ଭାଗ ଚନ୍ଦ୍ର ଶାଳୀରେ ଧ୍ୱଜ ବତା ସଂଯୋଗ କରାଯାଇ ମଝି ଭୂଇଁ ସେଣି ରେ କଣ୍ଟା ବସି ଫିଟିଙ୍ଗ କାର୍ଯ୍ୟ ଶେଷ ହୋଇଛି । ରୂପକାର ସେବକ ମାନେ ତିନିରଥର ବାକିଥିବା ପଟା ଗୁଜରେ ନର ବିରାଳ ,ସିଂହ ବିରାଳ ଚିତ୍ର ଖୋଦେଇ ସହ ପ୍ରଭା ପଟାରେ ବାକି ରହି ଯାଇଥିବା ରୂପ ଖୋଦେଇ ର ପଲିସ୍ କାର୍ଯ୍ୟ ଶେଷ କରିଛନ୍ତି ।

ଚିତ୍ରକାର ସେବକ ମାନେ ତିନିରଥର ପାର୍ଶ୍ୱ ଦେବ ଦେବୀ, କଳସ,ହଂସ ପଟା, କନ୍ୟା ପଟା, ଠେକରା ବାଡ଼ ଇତ୍ୟାଦିର ରଙ୍ଗ କାର୍ଯ୍ୟ ଶେଷ ପରେ ତିନିରଥର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ସହ ତିନିରଥ ର ସାରଥୀ ଏବଂ ଘୋଡ଼ା ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି। ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର ଦୁଆର ବେଢା ପାଇଁ ଧ୍ଵଜ ବତା କଣ୍ଟା ସହ ତିନିରଥର ବ୍ରେକ ପୁଲି ପାଇଁ ଲୁହା କଡା ନିର୍ମାଣ ଶେଷ କରିଛନ୍ତି । ପାହି ମହାରଣା ମାନେ ଅଣସର ପାଇଁ କାଠ ନିର୍ମିତ ସରଞ୍ଜାମ ଯୋଗାଇ ଦେବାସହ ରଥଯାତ୍ରା ପାଇଁ ଆବଶ୍ୟକ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଯାରୀରଖିଛନ୍ତି ।

ମୁଖ୍ୟ ଦରଜୀ ସେବକ ଏବଂ ସହଯୋଗୀ ଦରଜୀ ସେବକ ମାନେ ମିଶି ରଥ କନା କଟିଙ୍ଗ ପୂର୍ବରୁ ଅନୁକୂଳ ପୂଜା ପୂର୍ବକ ମହାର୍ଦ ରଖି ନଡିଆ ବାଡେଇ ରଥ କନା କଟିଙ୍ଗ କାର୍ଯ୍ୟ ଶେଷ କରିଛନ୍ତି । ଶୁକ୍ରବାର ଠାରୁ ରଥ କନା ଜୋଡଣି ସହ ଲେସ୍ ପକା କାର୍ଯ୍ୟ ଆରମ୍ଭ କରିଛନ୍ତି । ତିନିରଥର ମହାରଣା ସେବକ ୭୭ଜଣ , ଭୋଇ ସେବକ ୭୬ଜଣ , କରତି ସେବକ ୪ଜଣ, ରୂପକାର ସେବକ ୨୧ଜଣ, ଓଝା କମାର ସେବକ ୨୦ଜଣ ,ତୁମ୍ବ ବିନ୍ଧ କାରିଗର ୨ଜଣ,ପାହି ମହାରଣା ୨ଜଣ, ଚିତ୍ରକାର ୪୦ଜଣ ଓ ରଥଖଳା ସହାୟକ ୧ଜଣ ମୋଟ ୨୪୩ ଜଣ ସେବକ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ଯରେ ନିମଗ୍ନ ରହିଛନ୍ତି ।

No Result
View All Result