କଳାହାଣ୍ଡି (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଜଳ ହଁ ଜୀବନ ପୁଣି ଜଳକୁ ନେଇ କଷ୍ଟ ଭୋଗୁଛନ୍ତି ମଣିଷ। ସାମାନ୍ୟ ବର୍ଷାରେ ବି ଜଳବନ୍ଦୀ ଘେରରେ ରହି ଅକଥନୀୟ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି ପଡାବାସୀ। ଏପରି ଏକ ଅଭାବନୀୟ ଘଟଣା ରହିଛି ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମର ୧୧ନଂ ୱାର୍ଡରେ। ଏହି ପଡ଼ାରୁ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା କହିଲେ ଏକ କଂକ୍ରିଟ ରାସ୍ତାର ପୋଲ ଦେଇ ବର୍ଷା ଜଳ ତଳ ପଟକୁ ନିଷ୍କାସିତ ହୋଇଥାଏ। ତେବେ ଏହି କଂକ୍ରିଟ ରାସ୍ତାର ତଳପଟେ କିଛି ମୁଷ୍ଟିମେୟ ଲୋକ ମୋରମ ଓ ମାଟି ପକାଇ ବର୍ଷା ପାଣିକୁ ଅଟକାଇବା ଯୋଗୁଁ ଏବେ ଜଳବନ୍ଦୀ ଘେରରେ ରହିଛନ୍ତି ୧୧ନଂ ୱାର୍ଡ ବାସିନ୍ଦା ।

ଏସମ୍ପର୍କରେ ବର୍ଷା ପୂର୍ବରୁ ଏହାର ସମାଧାନ ଦିଗରେ ସୁବ୍ୟବସ୍ଥା ପାଇଁ ଉକ୍ତ ପଡାବାସୀ ସ୍ଥାନୀୟ ଗ୍ରାମପଞ୍ଚାୟତ ସରପଞ୍ଚଙ୍କୁ ଲିଖିତ ଅଭିଯୋଗ କରିଥିଲେ।ପରେ ପଡାବାସୀ ଗତ ୨ ତାରିଖରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ। ଏହା ସତ୍ବେ ନାଁ ଲୋକପ୍ରତିନିଧି ନାଁ ପ୍ରଶାସନ ଏ ଦିଗରେ ସୁବ୍ୟବସ୍ଥା କଲେ ବରଂ ନିଦାବିଷ୍ଣୁ ସାଜି ଚୁପ ରହିବା ଯୋଗୁଁ ଏପରି ବେହାଲ ଅବସ୍ଥାରେ ପାଣି ଘେରରେ ରହିଥିବା ପଡାବାସୀ ଅଭିଯୋଗ କରିଛନ୍ତି ।















