ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର ) ଢେଙ୍କାନାଳ :- କଟକ ଏସ୍ ସି ବି ମେଡିକାଲ କଲେଜରେ ପ୍ଲାଜମା ଦାନ କରି ଫେରିଥିବା ୫ ଜଣ ବ୍ୟକ୍ତିଙ୍କୁ ଗତକାଲି ରାତିରେ ସ୍ଥାନୀୟ ସର୍କିଟ୍ ହାଉସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କାମାକ୍ଷାନଗର ଅନ୍ତର୍ଗତ ଝରାସାହିର ଅଶ୍ଵିନୀ ସାମଲ,କାଦୁଆର ସୁଶାନ୍ତ ସାହୁ,ବାଙ୍ଗୁରାର ଜ୍ଞାନ ରଞ୍ଜନ ସାମଲ ଓ ଆଳୁତୁମାର ବିଭୁତି ଭୁଷଣ ମହାନ୍ତି, ଶୁଭ୍ରାଂଶୁ ମହାନ୍ତି ଏବଂ ସ୍ନିଧାରାଣୀ ସାମଲ କରୋନା ରୋଗରେ ସମ୍ପୁର୍ଣ୍ଣ ଆରୋଗ୍ୟ ହୋଇ ପ୍ଲାଜମା ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିବାରୁ ପ୍ରଶାସନ ତରଫରୁ କଟକ ଏସ୍ ସି ବି ମେଡିକାଲ କଲେଜକୁ ପଠାଯାଇଥିଲା । ସେଠାରେ ସ୍ନିଧାରାଣୀ ସାମଲଙ୍କ ବ୍ୟତୀତ ଅନ୍ୟ ୫ ଜଣ ପ୍ଲାଜମା ଦାନ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସୌଦାମିନୀ ସେଠୀ ସେମାନଙ୍କୁ ଅଭିବାଦନ ଜଣାଇବା ସହ ମାନପତ୍ର ଦେଇ ପ୍ରଶଂସିତ କରିଥିଲେ । ଏହି ଅବସରରେ ଆପାତ୍ତକାଳୀନ ଅଧିକାରୀ ଶ୍ରୀ ଶଶାଙ୍କ ଶେଖର ମିଶ୍ର ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ମିଶ୍ର ଉପସ୍ଥିତ ଥିଲେ । ଏହି ମହତ୍ କାର୍ଯ୍ୟ ନିମନ୍ତେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ସେମାନଙ୍କୁ ଧନ୍ୟବାଦ ଦେବା ସହ ସେମାନେ ସମାଜର ଅନ୍ୟ ମାନଙ୍କ ପାଇଁଁ ଦୃଷ୍ଟାନ୍ତ ହେବେ ବୋଲି ପ୍ରକାଶ କରି, ପ୍ଲାଜମା ଦାନ ପାଇଁ ସ୍ବତଃ ପ୍ରବୃତ୍ତ ଭାବେ ଆଗେଇ ଅନ୍ୟମାନଙ୍କର ଅମୂଲ୍ୟ ଜୀବନ ବଞ୍ଚାଇବାକୁ ସେ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି । ( ରିପୋର୍ଟ, ଅମର ରଞ୍ଜନ ଦାସ )














