ବେଲପଡ଼ା (ଓଡିଶା ତାଜାନ୍ୟୁଜ) (ନି. ପ୍ର) :-ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଅଞ୍ଚଳର ଜଣେ ପ୍ରବାସୀ ଶ୍ରମିକ ଟିକେଲାଲ ବରିହାଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ଦୁଇ ଶିଶୁ ରୁଷମନ୍ତ ବରିହା ଓ ସୁକାନ୍ତ ବରିହାଙ୍କ ପାଠପଢ଼ାରେ ଡୋରି ଲାଗିଥିଲା। ପରିବାର ଆର୍ଥିକ ଓ ସାମାଜିକ ସମସ୍ୟା ଯୋଗୁଁ ଶିଶୁମାନେ ପାଠ ଛାଡ଼ିବା ସ୍ଥିତିରେ ପହଞ୍ଚିଥିଲେ। ଘଟଣା ସଂପର୍କରେ ଜାଣିବା ପରେ ବେଲପଡ଼ା ବିଇଓ ଅଭିନବ ମିଶ୍ର ଏବଂ

ବିଡିଓ ରାଜେଶ ମେହେର ପରିବାର ସହ ଆଲୋଚନା କରି ଶିଶୁମାନଙ୍କୁ ଶିକ୍ଷାର ମୂଳସ୍ରୋତରେ ସାମିଲ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ବିଇଓ ଶ୍ରୀ ମିଶ୍ର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଉକ୍ତ ଶିଶୁମାନଙ୍କୁ କପାଣିସ୍ଥିତ ୧୦୦ ଶଯ୍ୟା ବିଶିଷ୍ଟ ଏସ୍ଏସ୍ଡି ଛାତ୍ରାବାସରେ ରଖିବା ପାଇଁ ଅନୁମତି ଲୋଡ଼ିଥିଲେ। ଅନୁମତି ମିଳିବା ପରେ ଶ୍ରୀ ମିଶ୍ର ନିଜେ ଛାତ୍ରାବାସକୁ ଯାଇ ଶିଶୁଙ୍କୁ ରଖିବା ପାଇଁ ସମସ୍ତ ବିଧି ବ୍ୟବସ୍ଥାର ତଦାରଖ କରିଥିଲେ
ଓ ନିକଟସ୍ଥ କପାଣି ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇ ସେମାନଙ୍କ ନିୟମିତ ପାଠପଢ଼ା ବ୍ୟବସ୍ଥା ସୁନିଶ୍ଚିତ କରିଥିଲେ । ଉଭୟ ଅଧିକାରୀଙ୍କ ତ୍ବରିତ ପଦକ୍ଷେପ ଯୋଗୁଁ ଅଳ୍ପ ସମୟ ମଧ୍ୟରେ ଉକ୍ତ ଦୁଇ ଶିଶୁଙ୍କ ଛାତ୍ରାବାସ ଓ ବିଦ୍ୟାଳୟରେ ନାମଲେଖା ହୋଇପାରିଥିଲା। ଅଧିକାରୀଙ୍କ ଏଭଳି ପଦକ୍ଷେପଙ୍କୁ ବୁଦ୍ଧିଜୀବୀ ତଥା ଗ୍ରାମବାସୀ ବହୁ ପ୍ରଶଂସା କରିଛନ୍ତି ।














