ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର ) ଭୁବନେଶ୍ୱର :- ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ, ଭୁବନେଶ୍ୱର ଜିଲ୍ଲା କମିଟି ତରଫରୁ ବିଭିନ୍ନ ଦାବି ନେଇ ଆଜି ସ୍ଥାନୀୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କୋଭିଡ଼ ସହାୟତା ରାଶି ପାଇନଥିବା ପଞ୍ଜିକୃତ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ଲେଖାଏଁ ତୁରନ୍ତ ଯୋଗାଇଦେବା ଏବଂ ୨୦୧୫-୧୬ ମସିହାରୁ ନୂତନ ଭାବେ ପଞ୍ଜିକୃତ ପାଇଁ ପଡ଼ି ରହିଥିବା ଆବେଦନ ପତ୍ରକୁ ତୁରନ୍ତ ପଞ୍ଜିକରଣ କରିବା ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପୂର୍ବରୁ ପଡ଼ି ରହିଥିବା ବିଭିନ୍ନ ସହାୟତା ରାଶି ଯଥା
ସାଇକେଲ, ଯନ୍ତ୍ରପାତି, ନିରାପତ୍ତା ଉପକରଣ, ଶିକ୍ଷା, ବିବାହ, ମୃତ୍ୟୁକାଳୀନ, ପ୍ରସୂତୀକାଳୀନ ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ସହିତ ଜିଲ୍ଲା ଶ୍ରମ ଦପ୍ତରରେ କର୍ମଚାରୀ ସଂଖ୍ୟା ଚଢାଇ କାର୍ଯ୍ୟାଳୟକୁ ଚଳଚଞ୍ଚଳ କରିବା ଆଦି ବିଷୟରେ ଶ୍ରମ କମିଶନରଙ୍କ ସହିତ ସଂଗଠନର ସଭାପତି ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଏକ ପାଞ୍ଚଜଣିଆ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିଥିଲେ । ଏ ସମସ୍ତ ବିଷୟକୁ ଶ୍ରମ କମିଶନର ତୁରନ୍ତ ପୂରଣ କରିବା ପାଇଁ ଦୃଢ ପ୍ରତିଶ୍ରୁତ ଦେଇଥିଲେ ।
ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଜିଲ୍ଲା କମିଟି ସଭାପତିଙ୍କ ନେତୃତ୍ୱରେ ସହଯୋଗ କରିଥିଲେ ମନୋରଞ୍ଜନ ସାହୁ, ପଞ୍ଚାନନ ମହାରଣା, ସୁନୀଲ କୁମାର ଗୌଡ଼, ସୌମ୍ୟାଶ୍ରୀ ପଣ୍ଡା, ପରମାନନ୍ଦ ବେହେରା । ଅନ୍ୟମାନଙ୍କ ମଧ୍ୟରେ ସର୍ବୋପରି ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟ କମିଟି ସାଥୀ ତଥା ସି.ଡବ୍ଲୁ.ଏଫ୍.ଆଇ.ର ସଭ୍ୟ ସାଥୀ ଜଗଜ୍ଜୀବନ ଦାସ, ଅଭୟ କୁମାର ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ପାଢୀ ପ୍ରମୁଖ ବିକ୍ଷୋଭ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।