ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର ) ହିଞ୍ଜିଳିକାଟୁ :- ହିଞ୍ଜିଳି ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ଲଳିତା ମହାପ୍ରଭୁଙ୍କ ମନ୍ଦିର ଜମି ବିକ୍ରି ପ୍ରସଙ୍ଗକୁ କେନ୍ଦ୍ର କରି ସପକ୍ଷ ଓ ବିରୋଧ ଗୋଷ୍ଠୀଙ୍କ ମଧ୍ୟରେ ଛକା ପଞ୍ଝା ଲାଗି ରହିଛି । ଜମିବିକ୍ରି ପ୍ରସଙ୍ଗରେ ଯଥାର୍ଥତା ରହିଛି ବୋଲି ସପକ୍ଷ ଗୋଷ୍ଠୀ ଦାବୀ କରୁଥିବା ବେଳେ ଏହା ଅନୈତିକ ଏବଂ ଚଞ୍ଚକତା ପୂର୍ଣ ଭାବେ କରାଯାଇଛି ବୋଲି ବିପକ୍ଷ ଗୋଷ୍ଠୀ ଉଚ୍ଚ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ।ପରସ୍ପର ମଧ୍ୟରେ ଏଭଳି ବାଦ ବିବାଦ ପରେ ହିନ୍ଦୁ ଦେବୋତ୍ତର ଆୟୁକ୍ତଙ୍କ ହସ୍ତକ୍ଷେପ ଫଳରେ ସ୍ଥାନୀୟ ତହସିଲଦାରଙ୍କୁ ଅନ୍ତରୀଣ ଟ୍ରଷ୍ଟି ଭାବେ ନିଯୁକ୍ତି ହେବା ଏବଂ ୬ ଜଣିଆ ଅନ୍ତରୀଣ ମଧ୍ୟବର୍ତ୍ତୀ ନ୍ୟାସ ମଣ୍ଡଳୀ ପୁନର୍ଗଠନ ହେବା ଭଳି ରୋଚକ ପ୍ରସଙ୍ଗ ସୃଷ୍ଟି ହୋଇଛି । ପରେ ଗ୍ରାମବାସୀ ସମ୍ପୃକ୍ତ ମନ୍ଦିରର ଉନ୍ନତି ଏବଂ ସୁରକ୍ଷା ପ୍ରସଙ୍ଗରେ ୫ ଦଫା ଦାବି ସମ୍ବଳିତ ନିବେଦନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି । ଗ୍ରାମବାସୀଙ୍କ ଦ୍ୱାରା ଦାଖଲ ସ୍ବାକ୍ଷରପତ୍ର ଅନୁସାରେ, ଅନୈତିକ ଉପାୟରେ ସମ୍ପାଦିତ ହୋଇଥିବା ନିଲାମ ସମ୍ପର୍କିତ ଦଲିଲ ପତ୍ରକୁ ଅଭିଯୋଗ ପରେ ସବ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ସ୍ଥଗିତ ରହିଛି ।
ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ସକାଶେ ଗ୍ରାମବାସୀ ନିବେଦନ କରିଛନ୍ତି । ମହାପ୍ରଭୁଙ୍କ ଏ ୭.୭୮୧ ଡେସିମି ଜମିକୁ ପୂର୍ବତନ ଟ୍ରଷ୍ଟି ବିକ୍ରି କରିବା ପାଇଁ ଯେଉଁ ପ୍ରସଙ୍ଗ ଉପସ୍ଥାପନ କରିଥିଲେ ତାହାର ସରଜମିନ ତଦନ୍ତ କରି ଆୟୁକ୍ତ ଏବଂ ସରକାରଙ୍କୁ ସତ୍ୟାସତ୍ୟ ବିଷୟରେ ଅବଗତ କରିବା ଓ ଅନୁମତିର ପୁନର୍ବିଚାର ସକାଶେ ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି । ନକଲି ନିଲାମ ପ୍ରକ୍ରିୟାର ଯାଞ୍ଚ ,ଜମି ବିକ୍ରି ପ୍ରକ୍ରିୟାକୁ ରଦ୍ଦ କିମ୍ବା ନିଷ୍ପତ୍ତି ରୁ ଓହରିଯିବା ପାଇଁ ନିବେଦନ କରି ସମସ୍ତ ନୀତିକାନ୍ତିରେ ସହଯୋଗ କରିବାକୁ ଗ୍ରାମବାସୀ ଉଲ୍ଲେଖ କରିଛନ୍ତି । ଏହା ସତ୍ତ୍ୱେ କିଛି ଜବରଦଖଲ କିମ୍ବା ଆଇନଗତ ସମସ୍ୟା ଦେଖାଯାଏ ତେବେ ବ୍ରହ୍ମପୁର ଇମ୍ପୃଭମେଣ୍ଟ ଟ୍ରଷ୍ଟ, ପୌର ପରିଷଦ ଏବଂ ରେରା କତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଛୋଟ ଛୋଟ ପ୍ଲଟ କରି ନିର୍ଦ୍ଧାରିତ ବଜାର ମୂଲ୍ୟ ଅନୁସାରେ ବିକ୍ରି କରିବା ପାଇଁ ନିବେଦନ କରିଛନ୍ତି । ମନ୍ଦିର ଟ୍ରଷ୍ଟ ଦଲିଲ ଅନୁସାରେ ଆସନ୍ତା ୨୦୨୧ସାଲ ମଇ ମାସରେ ମନ୍ଦିରର ଶତ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହେବ ।
ଏଣୁ ରଙ୍ଗଦିଆ, ସାମାନ୍ୟ ମରାମତି ସକାଶେ ଅନୁମତି ପ୍ରଦାନରେ ପଦକ୍ଷେପ ଗ୍ରହଣ କରିବା ସମ୍ପର୍କରେ ନିବେଦନ କରିଛନ୍ତି । ଏତଦ ବ୍ୟତୀତ ମନ୍ଦିରର ପୁନରୁଦ୍ଧାର ଏବଂ ଶତବାର୍ଷିକୀ ଉତ୍ସବ ପାଳନ ନିମନ୍ତେ ହିନ୍ଦୁ ଦେବୋତ୍ତର ଆୟୁକ୍ତ ଏବଂ ସ୍ଥାନୀୟ ବିଧାୟକ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆର୍ଥିକ ଅନୁଦାନ ନିମନ୍ତେ ଅନୁରୋଧ କରିଛନ୍ତି।ଏନେଇ ତହସିଲଦାର ଜନ୍ମେଜୟ ସାହୁଙ୍କୁ ଗ୍ରାମବାସୀ ଦାବିପତ୍ର ପ୍ରଦାନ କରି ଏହାର ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାନ୍ୟବର ଦେବୋତ୍ତର ଆୟୁକ୍ତ ଓଡିଶା,ପୌର ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ,ପୂର୍ବତନ ପ୍ରଶାସନିକ ଅଧିକାରୀ ଶରତ ଚନ୍ଦ୍ର ମହାପାତ୍ର, ନୀଳମାଧଵ ଦିଆନ ସୁମନ୍ତ ଓ ପବିତ୍ର ମୋହନ ପାଣିଗ୍ରାହୀ ପ୍ରମୁଖ ସଦସ୍ୟଙ୍କୁ ପତ୍ର ପ୍ରେରଣ କରି ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ନୂତନ ଟ୍ରଷ୍ଟୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା । ( ରିପୋର୍ଟ – ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )














