No Result
View All Result
ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଶ୍ରୀଜଗନ୍ନାଥ ଧାମକୁ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ସେମାନଙ୍କର ସୁରକ୍ଷା, ସହାୟତା ଓ ସୁବିଧା ସୁନିଶ୍ଚିତ କରିବା ପାଇଁ ପୁରୀ ପୋଲିସ ସଦା ତତ୍ପର ରହିଛି। ଏହି ପରିପ୍ରେକ୍ଷୀରେ ସିଂହଦ୍ୱାର ଥାନା ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜଣେ ଭକ୍ତଙ୍କ ହଜିଯାଇଥିବା ୱାଲେଟ୍ ସହ ନଗଦ ଅର୍ଥ ଏବଂ ଜରୁରୀ କାଗଜପତ୍ର ଉଦ୍ଧାର କରାଯାଇ ତାଙ୍କୁ ସୁରକ୍ଷିତ ଭାବେ ଫେରସ୍ତ କରାଯାଇଛି । କର୍ଣ୍ଣାଟକ ରାଜ୍ୟର ବେଲଗାଉମ ଅଞ୍ଚଳର ବାସିନ୍ଦା ଶ୍ୱେତା ବାସପୁର (ବୟସ-୩୬ ବର୍ଷ), ସ୍ୱାମୀ- ଅଶୋକ ବାସପୁର, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ ।

ଦର୍ଶନ ସମୟରେ ଅସାବଧାନତାବଶତଃ ତାଙ୍କର ଏକ ୱାଲେଟ୍ ହଜିଯାଇଥିଲା। ଉକ୍ତ ୱାଲେଟ୍ରେ ପ୍ରାୟ ୭୦,୦୦୦/- (ସତୁରି ହଜାର) ଟଙ୍କା ନଗଦ, ସେଥିସହ କିଛି ମୂଲ୍ୟବାନ ଏବଂ ଜରୁରୀ କାଗଜପତ୍ର ରହିଥିଲା। ୱାଲେଟ୍ ହଜିଯାଇଥିବା ଜାଣି ଶ୍ରୀମତୀ ବାସପୁର ଓ ତାଙ୍କ ପରିବାର ସଦସ୍ୟମାନେ ମାନସିକ ଭାବେ ବିଚଳିତ ହୋଇପଡ଼ିଥିଲେ। ପରବର୍ତ୍ତୀ ସମୟରେ ସେମାନେ ସିଂହଦ୍ୱାର ଥାନା ପୋଲିସର ସହାୟତା ଲୋଡ଼ିଥିଲେ। ଅଭିଯୋଗ ପାଇବା ମାତ୍ରେ ସିଂହଦ୍ୱାର ଥାନା ପୋଲିସ ତତ୍ପରତାର ସହ ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲେ ।
ଦାୟିତ୍ୱରତ ପୋଲିସ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହ ଆବଶ୍ୟକ ତଦନ୍ତ କାର୍ଯ୍ୟ କରିଥିଲେ। ପୋଲିସର ନିଷ୍ଠା, ତ୍ୱରିତ ପଦକ୍ଷେପ ଓ ସକ୍ରିୟ ଉଦ୍ୟମ ଫଳରେ ହଜିଯାଇଥିବା ୱାଲେଟ୍ଟି ଠାବ କରାଯାଇଥିଲା। ପରେ ସେଥିରେ ଥିବା ନଗଦ ରାଶି ଓ ସମସ୍ତ ଜରୁରୀ କାଗଜପତ୍ର ଯାଞ୍ଚ କରାଯାଇ, ଉପଯୁକ୍ତ ପରିଚୟ ଓ ଯାଞ୍ଚ ପ୍ରକ୍ରିୟା ସମ୍ପନ୍ନ କରି ଶ୍ରୀମତୀ ଶ୍ୱେତା ବାସପୁରଙ୍କୁ ସୁରକ୍ଷିତ ଭାବେ ଫେରସ୍ତ କରାଯାଇଥିଲା।
ନିଜର ହଜିଯାଇଥିବା ଅର୍ଥ ଓ ଜରୁରୀ ଦସ୍ତାବିଜ ଫେରି ପାଇ ଶ୍ରୀମତୀ ବାସପୁର ଏବଂ ତାଙ୍କ ପରିବାର ସଦସ୍ୟମାନେ ପୁରୀ ପୋଲିସର ତ୍ୱରିତ କାର୍ଯ୍ୟଶୈଳୀ, ସତତା ଓ ଜନସେବା ମନୋଭାବ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ସେମାନେ କହିଥିଲେ ଯେ, ଅଜଣା ରାଜ୍ୟରେ ଏପରି ସହଯୋଗ ପାଇ ସେମାନଙ୍କ ମନରେ ପୁରୀ ପୋଲିସ ପ୍ରତି ଗଭୀର ବିଶ୍ୱାସ ଓ ସମ୍ମାନ ସୃଷ୍ଟି ହୋଇଛି। ପୁରୀ ପୋଲିସ କେବଳ ଆଇନ-ଶୃଙ୍ଖଳା ରକ୍ଷାରେ ସୀମିତ ନରହି, ପ୍ରତ୍ୟେକ ଭକ୍ତଙ୍କର ସୁରକ୍ଷା, ସହାୟତା ଓ ସେବାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛି। ପୁରୀକୁ ଆସୁଥିବା ସମସ୍ତ ଭକ୍ତ ଯେପରି ସୁରକ୍ଷିତ ପରିବେଶରେ ମହାପ୍ରଭୁଙ୍କ ଦର୍ଶନ କରି ସୁଖଦ ଅନୁଭୂତି ନେଇ ଫେରିପାରିବେ, ସେଥିପାଇଁ ପୁରୀ ପୋଲିସ ସଦା ପ୍ରତିବଦ୍ଧ।

No Result
View All Result