ଓଡ଼ିଶା ତାଜା ନ୍ୟୁଜ (୨୯ ସେପ୍ଟେମ୍ବର ମଙ୍ଗଳବାର ) ଭୁବନେଶ୍ୱର /ରିପୋର୍ଟ ,ଅଭିମନ୍ୟୁ :- ଭୁବନେଶ୍ୱର,କରୋନା ମହାମାରୀକୁ ଦେଖି ମୌସୁମୀ ଅଧିବେଶନ କାଟଛାଣ୍ଟ କରାଯାଇଛି । ଷୋଡ଼ଶ ବିଧାନସଭା ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏ ଚାଲିବ । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ବିଧାନସଭା ବନ୍ଦ ରହିବ । ତେବେ ରବିବାର ଅକ୍ଟୋବର ୪ ତାରିଖରେ ଅଧିବେଶନ ଚାଲୁ ରହିବ । ଏହି ଅଧିବେଶନରେ ୮ କାର୍ଯ୍ୟ ଦିବସ ରହିଛି । ସେଥିରେ ୭ ସରକାରୀ କାର୍ଯ୍ୟ ଦିବସ ଥିବାବେଳେ ଗୋଟିଏ ଦିନ ବେସରକାରୀ କାର୍ଯ୍ୟ ଦିବସ ରହିଛି । ସ୍ବଳ୍ପ ଦିନ ପାଇଁ ବସୁଥିବା ଏହି ଅଧିବେଶନରେ କୌଣସି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ । ତେବେ ଗୃହର ସଦସ୍ୟମାନଙ୍କୁ ଅଣତାରକା ପ୍ରଶ୍ନର ଉତ୍ତର ଯୋଗାଇ ଦିଆଯିବ । ଏହି ଅଧିବେଶନରେ ୧୨ଟି ଅଧ୍ୟାଦେଶ ବିଧାନସଭାରେ ଉପସ୍ଥାପନ କରିବାକୁ ସରକାର ଯୋଜନା କରିଛନ୍ତି ।
ଚଳିତ ବିଧାନସଭା ଅଧିବେଶନ ଦୁଇଦିନ ପୂର୍ବରୁ ବିଧାୟକ ଓ କର୍ମଚାରୀମାନଙ୍କର କୋଭିଡ୍ ଆର୍ଟିପିସିଆର ପରୀକ୍ଷା କରାଯାଇଛି । ଯେଉଁମାନଙ୍କର କରୋନା ନେଗେଟିଭ ବାହାରିଛି ସେମାନଙ୍କୁ ଗୃହକାର୍ଯ୍ୟରେ ଯୋଗଦେବାକୁ ଅନୁମତି ଦିଆଯିବ । ଯେଉଁମାନଙ୍କର ପଜିଟିଭ ହୋଇଛି ସେମାନଙ୍କୁ ବିଧାନସଭା ପରିସରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ପରବର୍ତ୍ତୀ ୫ ଦିନ ପରେ ମଧ୍ୟ ପୁଣିଥରେ କୋଭିଡ ପରୀକ୍ଷା କରାଯିବ । ଆବଶ୍ୟକ ସ୍ଥଳେ ଅଧିବେଶନ ସମୟରେ ଆଣ୍ଟିଜେନ ଟେଷ୍ଟ କରାଯିବ । ଅଧିବେଶନ ଆରମ୍ଭର ଦୁଇଦିନ ପୂର୍ବରୁ ଏବଂ ଅଧିବେଶନ ଶେଷ ହେବା ଯାଏ ବିଧାୟକମାନେ ଗୃହ ସଂଗରୋଧରେ ରହିବେ । ଅନ୍ୟମାନଙ୍କ ସହ ମିଳାମିଶାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ବିଧାୟକମାନଙ୍କୁ ଫେସସିଲ୍ଡ ମାସ୍କ, ହ୍ୟାଣ୍ଡ ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ ଯୋଗାଇ ଦିଆଯିବ ।
ଫେବୃୟାରୀ ୧୪ରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନକୁ ଅଧାରୁ ବନ୍ଦ କରାଯାଇଥିଲା । ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ବିଧାନସଭା କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ବଜେଟ ଅଧିବେଶନ ଶେଷ ପର୍ଯ୍ୟାୟକୁ ବିଧାନସଭାରୁ ଲୋକସେବା କନ୍ଭେନ୍ସନ୍ ହଲକୁ ସ୍ଥାନାନ୍ତର କରାଯାଇଥିଲା । ମାର୍ଚ୍ଚ ୩୦ରେ ୪୦ ପ୍ରତିଶତ ସଦସ୍ୟଙ୍କୁ ନେଇ ଅଧଘଣ୍ଟିଆ ଅଧିବେଶନ ବସି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ପାରିତ ହୋଇଥିଲା । ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ ଘୋଷଣା କରାଯାଇଥିଲା ।