ବାଚସ୍ପତି ପଦର ମର୍ଯ୍ୟାଦା ଓ ନିରପେକ୍ଷତାକୁ ନେଇ ରାଜନୈତିକ ମହଲ ରେ ଚର୍ଚ୍ଚା
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର) :- ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ଦେଶ ଭାରତରେ ସମ୍ବିଧାନିକ ପଦପଦବୀର ମର୍ଯ୍ୟାଦା ଓ ନିରପେକ୍ଷତାକୁ ସଦା ଗୁରୁତ୍ୱ ଦିଆଯାଇଥାଏ । ସେହି ପରିପ୍ରେକ୍ଷୀରେ ଲୋକସଭା ଓ ବିଧାନସଭାର ବାଚସ୍ପତି ପଦକୁ ଏକ ସମ୍ମାନନୀୟ ଓ ନିର୍ଦଳୀୟ ଆସନ ଭାବେ ଦେଖାଯାଏ । ସମ୍ପ୍ରତି ରାଜ୍ୟର ସମ୍ମାନନୀୟା ବିଧାନସଭା ବାଚସ୍ପତିଙ୍କ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦାନକୁ ନେଇ କିଛି ବୁଦ୍ଧିଜୀବୀ ଓ ସାଧାରଣ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅନେକଙ୍କ ମତରେ ବାଚସ୍ପତି ପଦ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ନିରପେକ୍ଷ ଭୂମିକା ପାଳନ କରିବା ଉଚିତ୍ ।

ଏହି ପ୍ରସଙ୍ଗରେ ପୂର୍ବତନ ଲୋକସଭା ବାଚସ୍ପତି ଗଣେଶ ବାସୁଦେବ ମାଭଲଙ୍କର ଉଦାହରଣ ଦିଆଯାଉଛି ଯେ ସେ କଂଗ୍ରେସ ଦଳରୁ ନିର୍ବାଚିତ ହୋଇଥିଲେ ମଧ୍ୟ ବାଚସ୍ପତି ପଦ ଗ୍ରହଣ ପରେ ଦଳରୁ ଇସ୍ତଫା ଦେଇ ନିରପେକ୍ଷତାର ଉଦାହରଣ ସୃଷ୍ଟି କରିଥିଲେ । ସେହିପରି ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟର୍ଜୀ ମଧ୍ୟ ଦଳୀୟ ଚାପ ସତ୍ତ୍ୱେ ବାଚସ୍ପତି ପଦର ଗରିମାକୁ ପ୍ରାଧାନ୍ୟ ଦେଇ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ । ରାଜ୍ୟର ବରିଷ୍ଠ ରାଜନୈତିକ ବ୍ୟକ୍ତିତ୍ୱ ଯୁଧିଷ୍ଠିର ଦାଶ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମଧ୍ୟରେ ଘଟିଥିବା ଏକ ଘଟଣାକୁ ମଧ୍ୟ ଏହି ଆଲୋଚନାରେ ସ୍ମରଣ କରାଯାଉଛି, ଯେଉଁଠାରେ ବାଚସ୍ପତି ପଦର ସ୍ୱତନ୍ତ୍ର ମର୍ଯ୍ୟାଦା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ତେବେ ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଙ୍କ ଦଳୀୟ କାର୍ଯ୍ୟକ୍ରମରେ ବର୍ତ୍ତମାନ ର ସମ୍ମାନନୀୟା ବାଚସ୍ପତି ସୁରମା ପାଢ଼ୀଙ୍କର ଯୋଗଦାନକୁ ରାଜ୍ୟର ବୁଦ୍ଧିଜୀବୀ ସମାଜ ନାପସନ୍ଦ କରୁଥିବା ବେଳେ ଗାଣତାନ୍ତ୍ରିକ ପଦ ମର୍ଯ୍ୟାଦା ଭଙ୍ଗ କରିବା ଏକ ନିନ୍ଦନୀୟ କାର୍ଯ୍ୟକଳାପ ବୋଲି ରାଜନୀତିଜ୍ଞ ମାନେ ମତ ରଖିଛନ୍ତି । 
ବିଭିନ୍ନ ମହଲର ମତାମତ ଅନୁସାରେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ବାଚସ୍ପତି ଆସନର ନିରପେକ୍ଷତା ଓ ଗରିମା ଅବିକଳ ରହିବା ଆବଶ୍ୟକ । ଏହା ଦ୍ୱାରା ବିଧାନମଣ୍ଡଳ ପ୍ରତି ସାଧାରଣ ଲୋକଙ୍କର ଆସ୍ଥା ଆହୁରି ସୁଦୃଢ଼ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।













