ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ଛତ୍ରପୁର :- ଗୋପାଳପୁର ବନ୍ଦରରେ ପଞ୍ଜିକୃତ ଶ୍ରମିକମାନଙ୍କୁ କାମ ମିଳୁନଥିବା ନେଇ ଗୋପାଳପୁର ପୋର୍ଟ ସୁପରଭାଇଜର ଓ ୱାର୍କସ ୟୁନିୟନ ପକ୍ଷରୁ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଶ୍ରମିକମାନଙ୍କୁ କିପରି ତୁରନ୍ତ କାମ ଯୋଗାଇଦେବା ସମ୍ବନ୍ଧରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଲୋଚନା କରାଯାଇଛି । ଏଥିସହ ୟୁନିୟନ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆସନ୍ତା ୧୫ ଦିନ ମଧ୍ୟରେ ଶ୍ରମିକମାନଙ୍କୁ ବନ୍ଦରରେ କାମ ଯୋଗାଇ ନଦେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଅନଶନ ଦିଆଯିବ ବୋଲି ୟୁନିୟନ ପକ୍ଷରୁ ଚେତାବନି ଦିଆଯାଇଛି । ଗୋପାଳପୁର ପୋର୍ଟ ସୁପରଭାଇଜର ଓ ୱାର୍କସ୍ ୟୁନିୟନ ପକ୍ଷରୁ ପ୍ରଦାନ କରାଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ବର୍ତମାନ ବନ୍ଦରରେ ବାର୍ଷିକ ଲକ୍ଷ ଲକ୍ଷ ମେଟ୍ରିକ ଟନ ଆମଦାନୀ ଓ ରପ୍ତାନି ହେଉଛି । କିନ୍ତୁ ଶ୍ରମିକମାନଙ୍କୁ କାମ ମିଳୁନାହିଁ । ଏହି ସମ୍ବନ୍ଧରେ ବାରମ୍ବାର ଜିଲ୍ଲା ପ୍ରଶାସନ, ଶ୍ରମ ବିଭାଗ ଓ ବନ୍ଦର କର୍ତୃପକ୍ଷଙ୍କୁ ଅବଗତ କରାଯାଇଛି ।
ଏଭଳିକି ଧାରଣା, ସଭା ଓ ବିକ୍ଷୋଭ ଆଦି ମାଧ୍ୟମରେ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଅତିଶୀଘ୍ର ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଉଛି କିନ୍ତୁ ପରବର୍ତି ସମୟରେ ତାହାକୁ କାର୍ଯ୍ୟକାରୀ କରାଯାଉନାହିଁ । କାମ ନଥିବା ଯୋଗୁଁ ଶ୍ରମିକମାନେ ଇଏସଆଇ ଓ ଇପିଏଫଓରୁ ବଂଚିତ ହୋଇଛନ୍ତି । ବନ୍ଦର ଶ୍ରମିକମାନେ ବର୍ଷ ବର୍ଷ ଧରି କାମ ନପାଇ ଗାଁ ଛାଡ଼ି ଦେଶ ଓ ରାଜ୍ୟ ବାହାରକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ବର୍ତମାନ କୋଭିଡ୍-୧୯ ଲାଗି ବାହାର ରାଜ୍ୟରୁ ଶ୍ରମିକମାନେ ଫେରି କାମ ଅନୁସରଣରେ ବୁଲୁଛନ୍ତି ଓ ଭୋକ ଉପାସରେ ଛଟପଟ ହେଉଛନ୍ତି । ଏହି ପରିସ୍ଥିତିରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାକୁ ବନ୍ଦର କର୍ତୃପକ୍ଷ ପୂର୍ବରୁ ନିର୍ଦ୍ଦେଶ ଦେବା ଓ ଏହା ଯେପରି କାର୍ଯ୍ୟକାରୀ ହେବ ସେଥିପ୍ରତି ପଦକ୍ଷେପ ନେବାକୁ ୟୁନିୟନର ନେତୃବୃନ୍ଦ ଜିଲ୍ଲାପାଳଙ୍କୁ କହିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଗୋପାଳପୁର ପୋର୍ଟ ସୁପରଭାଇଜର ଓ ୱାର୍କସ ୟୁନିୟନର ସଭାପତି ପ୍ରଶାନ୍ତ କୁମା ପାଟ୍ଟଯୋଶୀ, ଏଆଇଟିୟୁସିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଓ ଗଞ୍ଜାମ ଜିଲ୍ଲା ସିପିଆଇ ପାର୍ଟିର ସମ୍ପାଦକ ପ୍ରକାଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ( ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )