No Result
View All Result
ସାଇନାଥ ମନ୍ଦିରରୁ ରୁପା, ସୁନା ଅଳଙ୍କାର ଓ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରୀ
ହିଞ୍ଜିଳିକାଟୁ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କିଛି ଦିନର ବ୍ୟବଧାନ ପରେ ହିଞ୍ଜିଳି ଥାନା ଇଲାକାରେ ମନ୍ଦିର ଉପରେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି ପଡିଛି । ଲୁଟେରା ଗୋଷ୍ଠୀ ମନ୍ଦିର ଦ୍ବାର ତାଲା ଭାଙ୍ଗି ମନ୍ଦିର ପରିସରରେ ଲାଗିଥିବା ସିସିଟିଭି କ୍ୟାମେରା ତାର କାଟି ସୁନା, ରୂପା ଅଳଙ୍କାର ସମେତ ୨ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି । ଏଭଳି ଘଟଣା ଶନିବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ପୋଚିଲିମା ସାଇନାଥ ମନ୍ଦିରରେ ଦେଖିବାକୁ ମିଳିଛି । ଶନିବାର ରାତିରେ ଠାକୁରଙ୍କ ପହଡ ପରେ ମନ୍ଦିର ଦ୍ବାର ତାଲା ପକାଇ ପୂଜାରୀ ଫେରିଥିଲେ ।

ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ ଟାରେ ଲୁଟେରା ଗୋଷ୍ଠୀ ମନ୍ଦିର ପାଚେରୀ ଡେଇଁ ମନ୍ଦିର ଭିତରକୁ ପ୍ରବେଶ କରିଥିବା ଅନୁମାନ କରା ଯାଇଛି । ମନ୍ଦିର ସମ୍ମୁଖ ଭାଗରେ ସଂଯୋଗ ହୋଇଥିବା ସିସିଟିଭି କ୍ୟାମେରାର ତାର କାଟି ମନ୍ଦିର ଦ୍ବାର ତାଲା ଭାଙ୍ଗି ମନ୍ଦିର ଭିତରେ ପଶି ୨ କିଲୋଗ୍ରାମରୁ ଉର୍ଦ୍ଧ୍ବ ଓଜନର ୩ଟି ରୁପା ମୁକୁଟ, ପ୍ରାୟ ୨ ଭରି ଓଜନର ସୁନା ଛାଉଣୀର ହାର, ରୁପା ଥାଳିଆ, ଲୋଟା ସମେତ ମନ୍ଦିର ଭିତରେ ଥିବା ୨ଟି ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇ ଚମ୍ପଟ ମାରିବାରେ ସଫଳ ହୋଇଥିଲେ ।
ରବିବାର ଭୋର ସମୟରେ ମନ୍ଦିର ପୂଜାରୀ ମନ୍ଦିରରେ ପହଞ୍ଚି ତାଲା ଭଙ୍ଗାଯାଇଥିବା ଏବଂ ମନ୍ଦିର ଭିତରେ ଥିବା ସାଇନାଥ, ଗଣେଶ ଓ ତ୍ରୀଦେବଙ୍କ ରୁପା ମୁକୁଟ, ସାଇନାଥଙ୍କ ବେକରୁ ସୁନା ଛାଉଣୀର ହାର ଓ ୨ଟି ହୁଣ୍ଡି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଚୋରୀ ଘଟଣା ସମ୍ପର୍କରେ ପୂଜାରୀ ଟ୍ରଷ୍ଟ ସଭାପତି ପଵିତ୍ର ମୋହନ ପାଣିଗ୍ରାହିଙ୍କୁ ଅବଗତ କରିଥିଲେ । ଏ ନେଇ ମନ୍ଦିର ଟ୍ରଷ୍ଟ ସଭାପତି ହିଞ୍ଜିଳି ଥାନାକୁ ଖବର ଦେଇଥିଲେ। ଖବର ପାଇ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି,ଏସଆଇ ସୁରେଶ କୁମାର ସାହୁ, ରଶ୍ମିରଞ୍ଜନ ସାମଲ ଓ ପୁଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମନ୍ଦିର ପରିସରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ମନ୍ଦିର ଟ୍ରଷ୍ଟ ସଭାପତି ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଗତ କିଛି ଦିନ ଧରି ହିଞ୍ଜିଳି ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ଛୋଟ ବଡ ଚୋରୀ ଘଟଣା ଘଟୁଥିବା ଦେଖିବାକୁ ମିଳିଛି । କେତେବେଳେ ବାଇକ୍ ତ ଆଉ କେତେବେଳେ ସାଇକେଲ। କେତେବେଳେ ଘରକରଣା ସାମଗ୍ରୀ ତ ଆଉ କେତେବେଳେ ପାଣି ମିଟର, ପାଣି ପମ୍ପ, ଏସିରେ ସଂଯୋଗ ତମ୍ବା ତାର ଓ ବିଦ୍ୟୁତ୍ ତାର ଚୋରୀ ହେଉଥିବା ନିତିଦିନିଆ ଘଟଣା ପାଲଟିଛି।
ରାତ୍ରକାଳୀନ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା ହେଉଛି ସତ କିନ୍ତୁ କଡାକଡି ହେଉନଥିବାରୁ ଲୁଟେରା ଗୋଷ୍ଠୀ ପୁଲିସ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ କରି ଗୋଟେ ପରେ ଗୋଟେ ଲୁଟ୍ କରି ପୁଲିସକୁ ଚକମା ଦେଖାଇ ଚମ୍ପଟ ମାରିବାରେ ସକ୍ଷମ ହେଉଛନ୍ତି । ଗତ ପ୍ରାୟ ୩ ମାସ ପୂର୍ବେ ହିଞ୍ଜିଳି ଥାନା ଇଲାକାର ୫ଟି ପୃଥକ ମନ୍ଦିରରୁ ଲୁଟ୍ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଶନିବାର ବିଳମ୍ବିତ ରାତିରେ ପୋଚିଲିମା ସାଇନାଥ ମନ୍ଦିରରୁ ବଡ ଧରଣର ଲୁଟ୍ ଘଟଣା ପୁଲିସ ପ୍ରଶାସନର ନିଦ ହଜାଇ ଦେଇଛି। ସ୍ଥାନୀୟ ଅଞ୍ଚଳ ବିଭିନ୍ନ ସ୍ଥାନରୁ ଲଗାତାର ଲୁଟ୍ ଅଭିଯୋଗ ଏବଂ ଏବେ ମନ୍ଦିରରୁ ଚୋରୀ ଘଟଣା ଅଞ୍ଚଳବାସୀଙ୍କ ମନରେ ଭୟ ଓ ଆତଙ୍କ ଜନିତ ପରିସ୍ଥିତି ସୃଷ୍ଟି କରିଛି ।

ଏ ଦିଗରେ ପୁଲିସ ପ୍ରଶାସନ ପକ୍ଷରୁ ଅପରାଧୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ଯଥୋଚିତ ପଦକ୍ଷେପ ଗ୍ରହଣ କରିବା ସହ ରାତ୍ରୀକାଳୀନ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏ ନେଇ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କୁ ପଚାରିବାରୁ ସେ କୁହନ୍ତି ଘଟଣାର ତଦନ୍ତ ଚାଲିଛି। ଖୁବ ଶୀଘ୍ର ଲୁଟେରା ଗୋଷ୍ଠୀଙ୍କୁ ଚିହ୍ନଟ କରି କୋର୍ଟ ଚାଲାଣ କରାଯିବ।

No Result
View All Result