ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର) ଭୁବନେଶ୍ବର :- ସମଗ୍ର ରାଜ୍ୟରେ ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭାବେ ପରିଚିତି ଲାଭ କରିଥିବା ବାଲିଚନ୍ଦ୍ରପୁର ସ୍ଥିତ “ମାହାଙ୍ଗା-ବଡଚଣା ସାହିତ୍ୟ ଓ ସଂସ୍କୃତି ପରିଷଦ” ଆନୁକୂଲ୍ୟରେ ଏହି ଅନୁଷ୍ଠାନର ଜନ୍ମଦାତା ଏବଂ ଏହି ଅନୁଷ୍ଠାନର ମର୍ଯ୍ୟାଦାଜନକ “ବାଗ୍ଦେବୀ ସଂମାନ” ରେ ଅଭୂଷିତ ପ୍ରାକ୍ତନ ମନ୍ତ୍ରୀ ତଥା ବିଶିଷ୍ଟ ସାହିତ୍ୟିକ ସେକ ମତଲୁବ ଅଲି ଙ୍କ ଅକାଳ ବିୟୋଗରେ ଆଜି ଏକ ଶ୍ରଦ୍ଧାଞ୍ଜଳି ସଭା ସାହାସପୁର କଲେଜ ପରିସରରେ ସମଦୂରତା ରକ୍ଷା କରାଯାଇ ପରଷଦର ସଭାପତି ଭାବେ ମୋ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ବିଧାୟକ ଅମର ପ୍ରସାଦ ଶତପଥୀ ମତଲୁବ ଅଲିଙ୍କୁ ଜଣେ ପ୍ରଖ୍ୟାତ ରାଜନୀତିଜ୍ଞ ଓ ସାହିତ୍ୟ-ସଂସ୍କୃତି ସମ୍ପନ୍ନ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରି ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିରେ ସାହିତ୍ୟିକ ଡ଼ଃ କାର୍ତ୍ତିକେଶ୍ୱର ସାହୁ, ସମାଜସେବୀ ଦିବାକର ବିଶ୍ୱାଳ,କେନ୍ଦ୍ର ସାହିତ୍ୟ ଏକାଡେମୀ ର ଓଡିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡ଼ଃ ବିଜୟାନନ୍ଦ ସିଂହ, ସମାଜସେବୀ ପ୍ରଦୀପ୍ତ ଦାସ, ଡ଼ଃ ଭାଗ୍ୟଧର ସାହୁ, ଶିକ୍ଷାବିତ କୈଳାସ ଚନ୍ଦ୍ର ମହାନ୍ତି, ମାହାଙ୍ଗା ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ କୁଳମଣି ବରାଳ, ପଣ୍ଡିତ ଜ୍ଞାନେନ୍ଦ୍ର ତ୍ରିପାଠୀ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲାଲ ବିହାରୀ ଜେନା, ସମାଜସେବୀ ଧ୍ରୁବ ଚରଣ ପ୍ରଧାନ,ଅଧ୍ୟାପକ ଯଚୀନ୍ଦ୍ର ରାଉତ, ମାହାଙ୍ଗା ସାରସ୍ୱତ ସେବା ମଞ୍ଚ ସଭାପତି ଭାବଗ୍ରାହୀ ରାଉତ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ରତ୍ନାକର ପଣ୍ଡା,ବରିଷ୍ଠ ସାମ୍ବାଦିକ ମହେଶ୍ବର ବଳ,କଂଗ୍ରେସ ନେତା ରତିକାନ୍ତ ପ୍ରଧାନ,ପ୍ରଫୁଲ୍ଲ କୁମାର ସାମଲ, ହାଡ଼ିବନ୍ଧୁ ସାହୁ,କବି ନିରଞ୍ଜନ ଜେନା, କବି ବିମଳ ପତି, ଜିଲ୍ଲା ପରିଷଦ ସଭ୍ୟ ବିପିନ ବିହାରୀ ଜେନା,କବି ପ୍ରଭାତ କୁମାର କର, ଶାରଦା ପ୍ରସନ୍ନ ମହାନ୍ତି,ସରପଞ୍ଚ ଫନିଦ୍ର ନାଥ ପଣ୍ଡା,କଣ୍ଠଶିଳ୍ପୀ ଅଜୟ କୁମାର ଜେନା, ପ୍ରାକ୍ତନ ସରପଞ୍ଚ ବିଳାଶ ଚନ୍ଦ୍ର ବାରିକ, ସେକ ରିଆସତ ଅଲି, ସୁଦୀପ ସାମଲ,କବି ପ୍ରତାପ ନାୟକ,ସୁଲତାନ ସୈଫୁଲା ଖାଁ, ବାଲିଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ଉପ ସଭାପତି ମନୋଜ କୁମାର ପରିଡା ଓ ମନ୍ମଥ କେଶରୀ ସାହେବରାୟ, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାମଲ,ସମିତି ସଭ୍ୟ ସୁରେଶ ଚନ୍ଦ୍ର ନାୟକ,ବିଜୁ ବିଚାର ମଞ୍ଚ,ବଡଚଣା ର ସଭାପତି ଅଧ୍ୟାପକ କିଶୋର ଚନ୍ଦ୍ର ବେହୁରା,ସରୋଜ କାନ୍ତ ପରିଜା,ରାକେଶ ବାରିକ ଓ ସୟଦ ମହମ୍ମଦ ଜୁବେର ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ଅଲିଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଧାରୋ ଶ୍ୟାମ ସୁନ୍ଦର ପୁର ଗ୍ରାମର ଏକ ଜମିଦାର ପରିବାରରେ ଜନ୍ମିତ ସ୍ବର୍ଗତ ଅଲି ବିଗତ ୧୯୬୬ ମସିହାରେ ବାଲିଚନ୍ଦ୍ରପୁରକୁ ଆସି ଏଠାରେ ପ୍ରଥମେ “ପ୍ରୀତି” ଟକିଜ ନାମରେ ଏକ ସିନେମା ହଲ ପ୍ରତିଷ୍ଠା କରି ଏ ଅଞ୍ଚଳର ଜନସାଧାରଣଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଦେବା ସହିତ ଏ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମାନଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ଦୀର୍ଘ ୫ ବର୍ଷ କାଳ ଶ୍ରୀ ଅଲି ଏଠାରେ ରହି ସିନେମା ହଲ ଚଳାଇଥିଲେ । ତେବେ ୧୯୭୧ ବାତ୍ୟାରେ ତାଙ୍କ ସିନେମା ହଲଟି ଭାଙ୍ଗି ଯିବାରୁ ସେ ଏହି କାର୍ଯ୍ୟରୁ ଦୂରେଇ ଯାଇଥିଲେ ।
ସ୍ବର୍ଗତ ଅଲି ବାଲିଚନ୍ଦ୍ରପୁର ଠାରେ ଥିବାବେଳେ ବାଲିଚନ୍ଦ୍ରପୁର ହାଇସ୍କୁଲ ପ୍ରତିଷ୍ଠାରେ ସହଯୋଗ କରିବା ସହ ସେ ଏହି ହାଇସ୍କୁଲର ପ୍ରଥମ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ । ଏପରିକି ସିନେମା ହଲ ଭାଙ୍ଗି ଗଲାପରେ ସିନେମା ହଲ ପ୍ରତିଷ୍ଠା ସ୍ଥାନର ସମସ୍ତ ଜମିକୁ ବାଲିଚନ୍ଦ୍ରପୁର ହାଇସ୍କୁଲକୁ ବିନା ପଇସାରେ ଦାନ କରି ସେତେବେଳେ ସେ ବିଦ୍ୟାଳୟ ପ୍ରତିଷ୍ଠାରେ ଏକ ମହନୀୟ କାର୍ଯ୍ୟ କରି ସମସ୍ତଙ୍କର ପ୍ରିୟ ପାତ୍ର ହୋଇ ପାରିଥିଲେ । ବାଲିଚନ୍ଦ୍ରପୁରରୁ ବିଦାୟ ନେବା ପରେ ସେ ସାଲେପୁର କଲେଜରେ କିଛି ବର୍ଷ ଅଧ୍ୟାପନା କାର୍ଯ୍ୟ କରିଥିଲେ । ପରେ ପରେ ସେ ରାଜନୀତି ରେ ପ୍ରବେଶ କରି ଏଥିରେ ସଫଳତାର ଶୀର୍ଷରେ ପହଞ୍ଚିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ଜାନକୀ ବଲ୍ଲଭ ପଟ୍ଟନାୟକ,ଗିରିଧର ଗମାଙ୍ଗ ଓ ହେମାନନ୍ଦ ବିଶ୍ୱାଳଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ସେମାନଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ବର୍ଗତ ଅଲି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଯଥା-ଗ୍ରାମ ଉନ୍ନୟନ, ଜଳସେଚନ, ଶକ୍ତି,ଉଚ୍ଚଶିକ୍ଷା,ଗଣଶିକ୍ଷା, ସଂସ୍କୃତି, ଓ ଯୋଗାଣ ବିଭାଗ ମନ୍ତ୍ରୀ ପଦରେ ରହି ସୁଚାରୁରୂପେ ଦାୟିତ୍ୱ ତୁଲାଇ ମନ୍ତ୍ରିମଣ୍ଡଳରେ ନିଜର ପରାକାଷ୍ଠା ପ୍ରଦର୍ଶିତ କରି ପାରିଥିଲେ ।
କ୍ଷମତାରୁ ଓହରି ଯିବା ପରେ ସେ ସାହିତ୍ୟ ସେବାରେ ନିଜକୁ ନିୟୋଜିତ କରି ରଖିଥିଲେ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସେ “ଆଗାମୀ ଶତାବ୍ଦୀ” ନାମକ ଏକ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକାଟିଏ ପ୍ରକାଶ କରି ସେହି ପତ୍ରିକାଟିକୁ ଓଡ଼ିଶାରେ ଏକ ସ୍ୱତନ୍ତ୍ର ସ୍ଥାନରେ ସେ ପହଞ୍ଚାଇ ପାରିଥିଲେ । ମାହାଙ୍ଗା ମାଟିରେ ଜନ୍ମିତ ବହୁ ବରପୁତ୍ରଙ୍କ ସାହିତ୍ୟ କୃତିକୁ ଲୋକ ଲୋଚନକୁ ଆଣିବାରେ ତାଙ୍କର ଅବଦାନକୁ ଅସ୍ୱୀକାର କରାଯାଇ ନପାରେ । ସାହିତ୍ୟ-ସଂସ୍କୃତିର ପ୍ରଚାର ପ୍ରସାରରେ ତାଙ୍କର ଭୂମିକା ଅତୁଳନୀୟ । ବାଲିଚନ୍ଦ୍ରପୁର ମାଟିରୁ ହିଁ ଆରମ୍ଭ ହୋଇଥିଲା ତାଙ୍କର କର୍ମମୟ ଜୀବନ । ପରେ ସେ ସଫଳତାର ଶୀର୍ଷରେ ପହଞ୍ଚି ସମାଜରେ ନିଜକୁ ପ୍ରତିଷ୍ଠା କରାଇ ପାରିଥିଲେ । ମତଲୁବ ବାବୁ ଆଜି ନାହାନ୍ତି ସତ, ହେଲେ ସେ ତାଙ୍କ ନିଜର କୃତି ଓ କୃତିତ୍ୱ ପାଇଁ କେବଳ ମାହାଙ୍ଗା ନୁହେଁ ସମଗ୍ର ଓଡ଼ିଶାର ଜନମାନସରେ ସବୁଦିନ ପାଇଁ ସେ ଅମର ହୋଇ ରହିବେ ଏଥିରେ ସନ୍ଦେହର ଅବକାଶ ନାହିଁ ।।














